ନୂଆଦିଲ୍ଳୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ନାରା ‘ଜୟ ଯବାନ, ଜୟ କିଷାନ’ ସେତେବେଳେ ସମଗ୍ର ଦେଶରେ ନୂଆ ଉନ୍ମାଦନା ଓ ସାହସ ଭରି ଦେଇଥିଲା। ଦୀର୍ଘ ଦିନ ପରେ ପୋଖରାନ୍ରେ ଆଣବିକ ପରୀକ୍ଷଣ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେଥିରେ ଯୋଡ଼ି ଥିଲେ ‘ଜୟ ବିଜ୍ଞାନ’ ନାରା। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜୟ ଅନୁସନ୍ଧାନ’ ସ୍ଳୋଗାନ ଦେଇଛନ୍ତି।
ପଞ୍ଜାବର ଜଲନ୍ଧରରେ ୧୦୬ତମ ଭାରତୀୟ ଜାତୀୟ କଂଗ୍ରେସକୁ ଉଦ୍ଘାଟନ କରିବା ଅବସରରେ ‘ଫ୍ୟୁଚର ଇଣ୍ଡିଆ: ସାଇନ୍ସ ଆଣ୍ଡ ଟେକ୍ନୋଲଜି(ଭବିଷ୍ୟତର ଭାରତ: ବିଜ୍ଞାନ ଓ ବୈଷୟିକ)’ ଶୀର୍ଷକ ଅଭିଭାଷଣ ପ୍ରଦାନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୌଳିକ ଓ ଅତ୍ୟାଧୁନିକ ଜ୍ଞାନ ଉପରେ ଆଧାରିତ ଭାରତୀୟ ବୈଜ୍ଞାନିକଙ୍କ ଜୀବନ ଓ ସାଧନା ଦେଶଗଠନ ପାଇଁ ଉତ୍ସର୍ଗୀକୃତ। ତେଣୁ ପୂର୍ବ ସ୍ଲୋଗାନ୍ରେ ଏବେ ‘ଜୟ ଅନୁସନ୍ଧାନ’ ଯୋଡ଼ି ହେବା ଆବଶ୍ୟକ। ଭବିଷ୍ୟତ ଓ ବର୍ତ୍ତମାନକୁ ଯୋଡ଼ିବାରେ ବିଜ୍ଞାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୨୦୧୮ ଭାରତୀୟ ବୈଜ୍ଞାନିକଙ୍କ ପାଇଁ ଉଲ୍ଲେଖନୀୟ ଥିଲା। ଦୃଷ୍ଟିବାଧିତଙ୍କ ପାଇଁ ଦିବ୍ୟ ନୟନ, ବିମାନ ପାଇଁ ଜୈବଇନ୍ଧନ, କର୍କଟ ନିରୂପଣ ପାଇଁ ସୁଲଭ ଉପକରଣ, ଭୂକମ୍ପ ପୂର୍ବାନୁମାନ ବା ସୂଚନା ଉପକରଣର ଉଦ୍ଭାବନ ଆଦି ୨୦୧୮ରେ ଭାରତୀୟ ବୈଜ୍ଞାନିକଙ୍କ ସଫଳତାର କାହାଣୀ କହୁଛି। ଜାତୀୟ ପରୀକ୍ଷାଗାର, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟି, ଆଇଆଇଏସ୍ସି, ଟିଆଇଏଫ୍ଆର ଓ ଆଇଜର ଆଦି ଆମ ଦେଶର ମେରୁଦଣ୍ଡ। ଏହି ସବୁ ଅନୁଷ୍ଠାନ ଜରିଆରେ ଆମ ଦେଶରେ ଆଗାମୀ ଦିନରେ ଅନେକ ଲୋକାଭିମୁଖୀ ଗବେଷଣା ଓ ଉଦ୍ଭାବନ ସମ୍ଭବ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି।
ଏବେ ଜୟ ଅନୁସନ୍ଧାନ: ପ୍ରଧାନମନ୍ତ୍ରୀ
Popular Categories



