କଟକ : ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କଲ୍ପେଶ ସତ୍ୟେନ୍ଦ୍ର ଝାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜଗମୋହନ, ନାଟ ମଣ୍ଡପ ଓ ମନ୍ଦିର ଚର୍ତୃପାର୍ଶ୍ବରେ ଥିବା ଦେବାଦେବୀ ମନ୍ଦିର ମରାମତି ନେଇ କଣ ସ୍ଥିତି ରହିଛି; ସେ ନେଇ ସତ୍ୟପାଠ ମାଧ୍ୟମରେ ଜବାବ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଅାସନ୍ତା ୨୧ରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରି ଇଂ ଏନ କେ ମହାନ୍ତି ଉପସ୍ଥିତ ଥିବାବେଳେ ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସଆଇ) ପକ୍ଷରୁ ଭାରପ୍ରାପ୍ତ ସୁପରଟେଣ୍ଡେଡିଂଙ୍ଗ ଅରୁଣ ମଲ୍ଲିକ ସତ୍ୟପାଠ ଦାଖଲ କରି ଦର୍ଶାଯାଇଥିଲେ ଯେ ନାଟ୍ୟ ମଣ୍ଡପ ମରାମତି କାମ ଆଗେଇ ଚାଲିଛି। ଅନ୍ୟପକ୍ଷରେ ଏଏସଆଇ ପକ୍ଷରୁ ଗଠିତ କୋର କମିଟି ନାଟ ମଣ୍ଡପ ଭିତର ଭାଗ ଅନୁଧ୍ୟାନ କରିଛି। ଏହି ଟିମରେ ଏଏସଆଇ ବିଶେଷଜ୍ଞ, ଆଇଆଇଟି (ମାଡ୍ରାସ) ଓ ଆଇଆଇଟି(ଖଡ଼ଗପୁର) ପ୍ରଫେସର ସାମିଲ ହୋଇଥିବାବେଳେ ବୈଷୟିକ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କରାଯାଉଛି। ସେହିପରି ମନ୍ଦିର ପାଶ୍ୱର୍ବର୍ତ୍ତୀ ଦେବାଦେବୀ ମନ୍ଦିର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଚାଲୁରହିଛି। ମାଉସୀ ମା ମନ୍ଦିର ଓ ଗୁଣ୍ଡିଚା ମନ୍ଦିର କାମ ପାଇଁ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟ ଭାର ନେଇ ବୋଲି ଦର୍ଶାଇଥିଲେ।
Popular Categories



