ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୭ ଜୁଲାଇରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହ୍ୱାଇଟ୍ ହାଉସରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସ୍ପଷ୍ଟତା ମିଳିଛି । ଗାଜାରେ ଯୁଦ୍ଧବିରତି ଏବଂ ବନ୍ଧକଙ୍କ ମୁକ୍ତି ପାଇଁ ଟ୍ରମ୍ପ ତାଙ୍କର ପ୍ରୟାସକୁ ଜାରି ରଖିଛନ୍ତି। ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଫେରିବା ପରେ ନେତାନ୍ୟାହୁଙ୍କ ହ୍ୱାଇଟ୍ ହାଉସକୁ ଏହା ତୃତୀୟ ଗସ୍ତ ହେବ। ଏହି ବୈଠକରେ ଗାଜାରେ ଯୁଦ୍ଧବିରତି ଏବଂ ଇରାନର ଆଞ୍ଚଳିକ କାର୍ଯ୍ୟକଳାପ ଏବଂ ରାଜନୈତିକ ସମ୍ପର୍କ ଉପରେ ଗୁରୁତ୍ୱ ଦିଆଯିବ।
ସୂଚନାନୁଯାୟୀ, ଟ୍ରମ୍ପ ଏବଂ ପ୍ରଶାସନିକ ଅଧିକାରୀମାନେ ଇସ୍ରାଏଲ ନେତୃତ୍ୱ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଗାଜା ସଂଘର୍ଷର ଅନ୍ତ କରିବା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରାଥମିକତା। ଏହି ଯୁଦ୍ଧ ସମୟରେ ଇସ୍ରାଏଲ ଏବଂ ଗାଜା ଉଭୟରୁ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଏହାର ଅନ୍ତ ଦେଖିବାକୁ ଚାହାଁନ୍ତି। ସେ ଲୋକଙ୍କ ଜୀବନ ବଞ୍ଚାଇବାକୁ ଚାହାଁନ୍ତି। ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ସଂଘର୍ଷର ଅନ୍ତ ପାଇଁ ଧ୍ୟାନ ଦେବାର ସୂଚନା ଦେଇଛନ୍ତି ଏବଂ ଶୁକ୍ରବାର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆସନ୍ତା ସପ୍ତାହ ସୁଦ୍ଧା ଗାଜାରେ ଯୁଦ୍ଧବିରତି ହେବାର ସମ୍ଭାବନା ଅଛି।
ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ପରେ ନେତାନ୍ୟାହୁ ଆମେରିକା ଗସ୍ତ କରିଛନ୍ତି। ଟ୍ରମ୍ପ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଆଣିବାକୁ ଦାବି କରିଥିଲେ। ଗାଜା ଯୁଦ୍ଧବିରତି ଆଲୋଚନା ସମ୍ପର୍କରେ ଦ୍ୱିତୀୟ ବୈଠକ ପାଇଁ ନେତାନ୍ୟାହୁ ସୋମବାର ସନ୍ଧ୍ୟାରେ ତାଙ୍କର ପ୍ରମୁଖ ସହାୟକ ଏବଂ ମନ୍ତ୍ରୀମାନଙ୍କୁ ଡାକିଛନ୍ତି।
ଦେଖନ୍ତୁ ଛାତିଥରା ଭିଡିଓ ; ରାସ୍ତାରେ ବୃଦ୍ଧଙ୍କୁ କଚାଡି କଚାଡି ମାରିଲା ଷଣ୍ଢ



