ସମାଜ ନ୍ୟୁଜ ଡେସ୍କ: ଅଦିନିଆ ରଥଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୋକ୍ତି ରଖିଲା ଇସ୍କନ । ଗଜପତି ମହାରାଜାଙ୍କ ତାଗିଦ ପରେ ଇସ୍କନ ଅଦିନିଆ ରଥଯାତ୍ରା କରିନାହିଁ କି ଆଗକୁ କରିବ ନାହିଁ ବୋଲି ଇସ୍କନ ପକ୍ଷରୁ କୁହାଯାଇଛି । ମାତ୍ର କିଛି ଗଣମାଧ୍ୟମ ବିଭ୍ରାନ୍ତିକର ଖବର ପରିବେଶଣ କରୁଛନ୍ତି । ଏନେଇ ଅଭିଯୋଗ କରିଛନ୍ତି ଇସ୍କନର ସନାତନ ସଂସ୍କୃତି ପ୍ରଚାରକ ପ୍ରାଣେଶ୍ୱର କ୍ରିଷ୍ଣ ଦାସ । ବିଭ୍ରାନ୍ତିକର ଖବର ପରିବେଷଣ ନ କରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।
ଇସ୍କନ ଛଡ଼ା ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଅଦିନିଆ ରଥଯାତ୍ରା କରୁଛନ୍ତି । ଓଡ଼ିଶାର ନୂଆପଡ଼ାରେ ମଧ୍ୟ ଅଦିନିଆ ରଥାଯାତ୍ରା ଦୀର୍ଘ ବର୍ଷ ହେଲା ହୋଇଆସୁଛି । ସେହିପରି ଦିଲ୍ଲୀରେ ମଧ୍ୟ ଅଦିନିଆ ରଥଯାତ୍ରା ଆଜକୁ 22ରୁ ଅଧିକ ବର୍ଷ ହେଲା ହୋଇଆସୁଥିବା ଇସ୍କନ ସଫେଇ ଦେଇଛି । ମାତ୍ର ସୋସିଆଲ ମିଡ଼ିଆରେ ଯେଉଁ ରଥଯାତ୍ରା ନେଇ ଭିଡ଼ିଓ ଭାଇରାଲ ହେଉଛି ତାହା ଇସ୍କନର ନୁହେଁ । ତାହା ମଧୁବନ ଆଶ୍ରମର ବୋଲି ସ୍ପଷ୍ଟ ମତ ରଖିଛି ଇସ୍କନ ।

ଧାର୍ମିକ ସଂଗଠନକୁ ମିଥ୍ୟା ଆରୋପ ପ୍ରତ୍ୟରୋପ ବନ୍ଦ କରନ୍ତୁ । ଗଜପତି ମହାରାଜାଙ୍କ ଆଦେଶ ପରେ ,ଆଜି ପର୍ଯ୍ୟନ୍ତ ଇସ୍କନ ଭାରତ ବର୍ଷରେ ଅଦିନିଆ ରଥଯାତ୍ରା କରିନାହିଁ , ବୋଲି କହିଛନ୍ତି ଇସ୍କନର ସନାତନ ସଂସ୍କୃତି ପ୍ରଚାରକ ପ୍ରାଣେଶ୍ୱର କ୍ରୀଷ୍ଣ ଦାସ ।





