ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୧୬ର ରବିବାର ଦୁଇଟି ମ୍ୟାଚ ଖେଳାଯିବ। ଅପରାହ୍ଣ ୩ଟା୩୦ରୁ ହାଇଦରାବାଦ୍ରେ ସନରାଇଜର୍ସ ହାଇଦରାବାଦ୍-ରାଜସ୍ଥାନ ରୟାଲ୍ସକୁ ଓ ବାଙ୍ଗାଲୋରରେ ରାତି ୭ଟା୩୦ରେ ଦ୍ବିତୀୟ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଭୁବନେଶ୍ବର କୁମାରଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦ୍ ଦଳରେ ଅବଦୁଲ ସାମଦ,ମୟଙ୍କ ଅଗ୍ରୱାଲ, ହ୍ୟାରୀ ବ୍ରୁକ୍ସ, ହେନରିଚ କ୍ଲାସେନ, ଆଇଡାନ ମାର୍କରାମ, ରାହୁଲ ତ୍ରିପାଠୀଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଥିବାବେଳେ ଅଭିଷେକ ଶର୍ମା ରହିଛନ୍ତି। ବୋଲିଂ ଭାର ଭୁବନେଶ୍ବର କୁମାରଙ୍କ ସହ ମାର୍କୋ ୟାନସେନ, ଟି. ନଟରାଜନ, ଉମ୍ରାନ ମଲିକ, ଆଦିଲ ରସିଦ ଦାୟିତ୍ବ ତୁଲାଇବେ। ସନରାଇଜର୍ସ ୨୦୧୬ରେ ଥରେ ମାତ୍ର ଚମ୍ପିଆନ ହୋଇଛି। ଦଳ ଦ୍ବିତୀୟ ଟ୍ରଫି ଲକ୍ଷ୍ୟ ନେଇ ଅଭିଯାନ ଆରମ୍ଭ କରିବ। ଅନ୍ୟପକ୍ଷରେ ୨୦୦୮ ପ୍ରଥମ ସଂସ୍କରଣର ଚମ୍ପିଆନ ରାଜସ୍ଥାନ ରୟାଲ୍ସ ଶେଷ ସଂସ୍କରଣ ୨୦୨୨ରେ ରନର୍ସଅପ ହୋଇଥିଲା।
ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ଦଳରେ ସିମରନ ହେତମେୟାର, ଜୋସ ବଟ୍ଲର, ଜାସନ ହୋଲଡର, ଦେବଦତ୍ତ ପାଡିକଲଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି। ବୋଲିଂ ବିଭାଗରେ ଯୁଜୁବେନ୍ଦ୍ର ଚହଲ,ଓବେଡ ମ୍ୟାକଏ, ଟ୍ରେଣ୍ଟ ବୋଲ୍ଟ କୁଳଦୀପ୍ ସେନ, ନବଦୀପ ସୈନି, ଆଡାମ ଜାମ୍ପା ପ୍ରମୁଖ ରହିଛନ୍ତି।ଉଭୟ ଦଳର ଶେଷ ୫ଟି ମ୍ୟାଚ ପ୍ରଦର୍ଶନକୁ ଦେଖିଲେ ରାଜସ୍ଥାନ ରୟାଲ୍ସ ୩ଟି ଓ ସନରାଇଜର୍ସ ହାଇଦରାବା୍୍ଦ୍ ଦୁଇଟି ମ୍ୟାଚରେ ବିଜୟୀ ହୋଇଛି। ୨୦୨୨ରେ ଉଭୟ ଦଳ ଥରେ ମୁହଁାମୁହିଁ ହୋଇଥିଲେ।ଏଥିରେ ରାଜସ୍ଥାନ ରୟାଲ୍ସ ୬୧ରନରେ ବିଜୟୀ ହୋଇଥିଲା। ଅନ୍ୟପକ୍ଷରେ ସର୍ବାଧିକ ୫ଥର ବିଜେତା ମୁମ୍ବଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଦ୍ବିତୀୟ ମ୍ୟାଚ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ଚମ୍ପିଆନ ହୋଇଥିଲା। ଦଳ ଶେଷ ସଂସ୍କରଣରେ ସର୍ବନିମ୍ନ ସ୍ଥାନରେ ରହିଥିଲା। ଦଳରେ ଅଧିନାୟକ ରୋହିତ ଶର୍ମାଙ୍କ ସହ କାମେରୁନ ଗ୍ରୀନ, ଟିମ୍ ଡେଭିଡ୍, ଇଷାନ କିଷାନ, ତିଲକ ବର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଛନ୍ତି। ବୋଲିଂ ବିଭାଗରେ ଯଶପ୍ରୀମ ବୁମରା ଅନୁପସ୍ଥିତ ଥିଲେ ମଧ୍ୟ ଡୁଆନ ୟାନସେନ, କୁମାର କାର୍ତ୍ତିକେୟ, ଜେଫ୍ରା ଆର୍ଚର, ଅର୍ସଦ ଖାନ ପ୍ରମୁଖ ରହିଛନ୍ତି। ଦାୱାଦ ବ୍ରେଭିସ,ସାମ୍ସ ମୁଲାନି ପ୍ରମୁଖ ରହିଛନ୍ତି। ସେହିପରି ଫ୍ଳାଫ ଡୁପ୍ଲେସିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ୨୦୦୯ରେ ରନର୍ସଅପ ଶ୍ରେଷ୍ଠ ପ୍ରଦର୍ଶନ ରହିଛି। ଦଳ ୨୦୨୨ ସଂସ୍କରଣରେ ୩ୟ ସ୍ଥାନ ହାସଲ କରିଥିଲା। ବିରାଟ କୋହଲି, ୱାନିନ୍ଦୁ ହାସରଙ୍ଗା ଡିସିଲ୍ଭା, ଦିନେଶ କାର୍ତ୍ତିକ, ମିଚେଲ ବ୍ରାସୱେଲ, ଡେଭିଡ୍ ୱିଲି,ସାହାବାଜ ଅହମ୍ମଦ, ଫିନ୍ ଆଲେନଙ୍କୁ ନେଇ ଗଠିତ ଦଳ ପ୍ରଥମ ଥର ପାଇଁ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି।




