ଆଇପିଏଲ୍, ୧୨ ପଏଣ୍ଟ ସହ ଶୀର୍ଷକୁ ଉଠିଲା ଗୁଜରାଟ ଟାଇଟାନ୍ସ

କଲକାତା: ପ୍ରଥମ ରାଉଣ୍ଡରେ ଏହି ଦୁଇ ଦଳଙ୍କ ମୁକାବିଲା ଚଳିତ ଆଇପିଏଲ୍ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଥିଲା। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ୫ଟି ବଲ୍ରୁ କଲକାତା ନାଇଟ୍ ରାଇଡର୍ସ (କେକେଆର୍) ୨୮ ରନ୍ ଆବଶ୍ୟକ କରୁଥିବା ବେଳେ ରିଙ୍କୁ ସିଂହ ଏହି ୫ଟି ବଲ୍ରୁ ୫ଟି ଛକାମାରି ଦଳକୁ ଜିତାଇଥିଲେ। ୨ୟ ରାଉଣ୍ଡରେ ଉକ୍ତ ପରାଜୟର ପ୍ରତିଶୋଧ ନେଇଛି ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍ସ। ଶନିବାର ଅପରାହ୍ଣର ମ୍ୟାଚ୍ରେ କେକେଆର୍କୁ ୭ ୱିକେଟରେ ଗୁଜରାଟ ପରାସ୍ତ କରିଛି। ରହମନୁଲ୍ଲା ଗୁର୍ବାଜଙ୍କ ବିସ୍ଫୋରକ ୮୧ ଓ ଆେନ୍ଦ୍ର ରସେଲଙ୍କ ଦ୍ରୁତ ୩୪ ରନ୍ ବଳରେ କେକେଆର୍ ୭ ୱିକେଟରେ ୧୭୯ ରନ୍ କରି ପାରିଥିଲା। ପରେ ଶୁବ୍ମାନ ଗିଲ୍ ଚମତ୍କାର ଭାବେ ରନ୍ ପିଛା ଆରମ୍ଭ କରିଥିବା ବେଳେ ବିଜୟ ଶଙ୍କର ଓ ଡେଭିଡ୍ ମିଲର ମ୍ୟାଚ୍କୁ ଶେଷ କରିଥିଲେ। ୧୩ଟି ବଲ୍ ବାକିଥାଇ ୩ ୱିକେଟ ହରାଇ ଗୁଜରାଟ ଜିତିଥିଲା। କ୍ରମାଗତ ୩ଟି ଏବଂ ମୋଟଉପରେ ୮ଟି ମ୍ୟାଚ୍ରୁ ୬ଷ୍ଠ ବିଜୟ ପରେ ଗୁଜରାଟ ୧୨ ପଏଣ୍ଟ ସହ ଟେବୁଲ ଶୀର୍ଷକୁ ଉଠିଛି। କେକେଆର୍ ୯ମ ମ୍ୟାଚ୍ରେ ୬ଷ୍ଠ ପରାଜୟ ପରେ ଚିନ୍ତାରେ ପଡ଼ିଯାଇଛି।

୧୮୦ ରନ୍ ଲକ୍ଷ୍ୟରେ ଗୁଜରାଟ ଟାଇଟାନ୍ସ ଓପ୍ନିଂ ଯୋଡ଼ିରେ ୪ ଓଭରରେ ୪୧ ରନ୍ କରିଥିଲା। ଋଦ୍ଧିମାନ ଶାହା ୧୦ ବଲ୍ରୁ ୧୦ ରନ୍କରି ବିଦାୟ ନେଇଥିଲେ। ପରେ ଶୁବ୍ମାନ ଗିଲ୍ ଓ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୨ୟ ୱିକେଟ ପାଇଁ ୩୯ ବଲ୍ରୁ ୫୦ ରନ୍ ଯୋଡ଼ିଥିଲେ। ହାର୍ଦିକ ୨୦ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୬ ରନ୍କରି ଆଉଟ୍ ହୋଇ ଯାଇଥିଲେ। ପର ଓଭରରେ ଗିଲ୍ ଆଉଟ୍ ହୋଇଥିଲେ। ଶୁବ୍ମାନ ଗିଲ୍ ୩୫ ବଲ୍ରୁ ୮ଟି ଚୌକା ସହ ୪୯ ରନ୍ କରିଥିଲେ। ବିଜୟ ଶଙ୍କର ଓ ଡେଭିଡ୍ ମିଲର ଲଢ଼ୁଆ ବ୍ୟାଟିଂ କରିଥିଲେ। ୩୬ ବଲ୍ରୁ ୬୯ ରନ୍ ଆବଶ୍ୟକ ଥିବା ବେଳେ ବିସ୍ଫୋରକ ବ୍ୟାଟିଂକରି ଶଙ୍କର ଓ ମିଲର ୨୩ ବଲ୍ରୁ ଆବଶ୍ୟକ ୬୯ ରନ୍ ହାସଲ କରି ନେଇଥିଲେ। ଦୁହେଁ ଅବିଭାଜିତ ୪ର୍ଥ ୱିକେଟ ପାଇଁ ଦ୍ରୁତ ୮୭ ରନ୍ ଯୋଡ଼ିଥିଲେ। ବିଜୟ ଶଙ୍କର ମାତ୍ର ୨୪ ବଲ୍ରୁ ୫ଟି ଛକା ଓ ୨ଟି ଚୌକା ସହ ୫୧ ଏବଂ ବାମହାତି ଡେଭିଡ୍ ମିଲର ୧୮ ବଲ୍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୨ ରନ୍କରି ଅପରାଜିତ ରହିଥିଲେ।
ବର୍ଷା ଯୋଗୁଁ ୪୫ ମିନିଟ ବିଳମ୍ବରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଗୁଜରାଟ ଟସ୍ ଜିତି ଫିଲ୍ଡିଂ ନେଇଥିଲା। କେକେଆର୍ର ଓପ୍ନିଂ ଯୋଡ଼ି ୨୩ ରନ୍ କରିବା ପରେ ନାରାୟଣ ଜଗଦ୍ଦୀଶନ୍ ୧୫ ବଲ୍ରୁ ୪ଟି ଚୌକା ସହ ୧୯ ରନ୍କରି ଆଉଟ୍ ହୋଇଥିଲେ। ଗୋଟିଏ ପଟେ ରହମନୁଲ୍ଲା ଗୁର୍ବାଜ ବିସ୍ଫୋରକ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟୁ ୱିକେଟ ପଡ଼ି ଚାଲିଥିଲା। ସାର୍ଦ୍ଦୁଳ ଠାକୁର ଖାତା ଖୋଲି ପାରିନଥିଲେ। ଭେଙ୍କଟେଶ ଆୟର ୧୧ ଓ ଅଧିନାୟକ ନୀତୀଶ ରାଣା ୪ ରନ୍କରି ଆଉଟ୍ ହୋଇଥିଲେ। ୮୮ ରନ୍ରେ ୪ଟି ୱିକେଟ ପଡ଼ିବା ପରେ ଗୁର୍ବାଜ ଓ ରିଙ୍କୁ ସିଂହ ପରବର୍ତ୍ତୀ ୨୮ ବଲ୍ରୁ ୪୭ ରନ୍ ଯୋଡ଼ିଥିଲେ। ୧୬ଶ ଓଭରରେ ଆଉଟ୍ ହୋଇଥିବା ଆଫ୍ଗାନିସ୍ତାନର ରହମନୁଲ୍ଲା ଗୁର୍ବାଜ ୩୯ ବଲ୍ରୁ ୭ଟି ଛକା ଓ ୫ଟି ଚୌକା ସହ ୮୧ ରନ୍ କରିଥିଲେ। ତାଙ୍କ ଖ୍ୟାତି ଅନୁସାରେ ରିଙ୍କୁ ସିଂହ ବ୍ୟାଟିଂ କରି ପାରିନଥିଲେ। ରିଙ୍କୁ ୨୦ ବଲ୍ରୁ ମାତ୍ର ୧୯ ରନ୍ କରିଥିଲେ। ଆେନ୍ଦ୍ର ରସେଲଙ୍କ ପ୍ରହାର ଯୋଗୁଁ ଶେଷ ୪ ଓଭରରୁ ୪୨ ରନ୍ ହୋଇଥିଲା। ତାଙ୍କ ଜନ୍ମଦିନରେ ରସେଲ୍ ୧୯ ବଲ୍ରୁ ୩ଟି ଛକା ଓ ୨ଟି ଚୌକା ସହ ୩୪ ରନ୍ କରିଥିଲେ। ମହମ୍ମଦ ସାମି ୩ଟି ଏବଂ ଜୋସୁଆ ଲିଟ୍ଲ ଓ ନୁର୍ ଅହମ୍ମଦ ୨ଟି ଲେଖାଏଁ ୱିକେଟ ନେଇଥିଲେ। ୪ ଓଭରରୁ ମାତ୍ର ୨୫ ରନ୍ ଦେଇ ୨ଟି ୱିକେଟ ନେଇଥିବା ଆୟରଲାଣ୍ଡର ଜୋସୁଆ ଲିଟ୍ଲ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Comments are closed.