ରାହୁଲଙ୍କ ଆଗରେ ଅନଭିଜ୍ଞ ସାମ୍‌ସନ୍‌ ଆହ୍ବାନ

ଚେନ୍ନଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ଶ ସଂସ୍କରଣର ସୋମବାର ମୁମ୍ବଇର ୱାଙ୍ଖେଡେ ଷ୍ଟାଡ଼ିୟମରେ ପୂର୍ବ ବିଜେତା ରାଜସ୍ଥାନ ରୟାଲ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମୁହାଁମୁହିିଁ ହେବେ। ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍‌ସ ଆଗରେ ଅନଭିଜ୍ଞ ରାଜସ୍ଥାନ ରୟାଲ୍‌ସ ଅଧିନାୟକ ସଞ୍ଜୁ ସାମ୍‌ସନ ଆହ୍ବାନ ହୋଇଛି। ଉଭୟ ଦଳ ବିଜୟ ସହ ସିଜିନ୍‌ ଆରମ୍ଭ କରିବା ଲକ୍ଷ୍ୟରେ ରହିଛନ୍ତି।
ଆଇପିଏଲର ଉଦ୍‌ଘାଟନୀ ସଂସ୍କରଣ ୨୦୦୮ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିବା ରାଜସ୍ଥାନ ରୟାଲ୍‌ସ ଖେଳିଥିବା ପରବର୍ତ୍ତୀ ୧୦ଟି ସଂସ୍କରଣରେ ଥରେ ହେଲେ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିପାରିନାହିଁ। ଚଳିତଥର ଦଳ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ ସଞ୍ଜୁ ସାମସନଙ୍କ ନେତୃତ୍ବରେ ଖେଳିବ। ଗତ ସିଜିନ୍‌ରେ ୟୁଏଇରେ ଖେଳା ଯାଇଥିବା ଆଇପିଏଲରେ ରାଜସ୍ଥାନ ରୟାଲ୍‌ସ ଅନ୍ତିମ ସ୍ଥାନରେ ରହିଥିଲା। ଦଳରେ ଇଂଲଣ୍ଡର ୱିକେଟ ରକ୍ଷକ ଜୋସ ବଟ୍‌ଲର, ଅଲ୍‌ରାଉଣ୍ଡର ବେନ୍ ଷ୍ଟୋକସ, ଡେଭିଡ୍‌ ମିଲର୍‌ଙ୍କ ଭଳି ବିଦେଶୀ ଖେଳାଳିଙ୍କ ସମେତ ଯଶ୍ବସୀ ଜୟସୱାଲ, ରିୟାନ ପରାଗ, ସଞ୍ଜୁ ସାମସନ ପ୍ରମୁଖ ରହିଛନ୍ତି। ବୋଲିଂ ବିଭାଗରେ କ୍ରିସ୍‌ ମରିସ୍, ଜୟଦେବ ଉନାଦକତ୍, ରାହୁଲ ତିୱତିଆ, ଶ୍ରେୟାସ ଗୋପାଳ, ଲିଆମ୍‌ ଲିଭିଙ୍ଗଷ୍ଟୋନ ପ୍ରମୁଖ ରହିଛନ୍ତି। ଗତ ସିଜିନରେ ସାମସନ ୧୪ଟି ମ୍ୟାଚ ଖେଳି ୩୭୫ ରନ କରିଥିଲେ। ଚଳିତଥର ଦଳରେ ଅଷ୍ଟ୍ରେଲିୟ ବ୍ୟାଟ୍‌ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ନାହାନ୍ତି। ସାମସନଙ୍କ ନେତୃତ୍ବରେ ଦଳ ଭଲ କରିବା ନେଇ ଆଶାରଖିଛି। ଅନ୍ୟପକ୍ଷରେ ୨୦୧୪ରେ ରନର୍ସଅପ୍‌ ହୋଇଥିବା ପଞ୍ଜାବ କିଙ୍ଗ୍‌ସ ଏପର୍ଯ୍ୟନ୍ତ ଆଇପିଏଲରେ ଟ୍ରଫି ହାସଲ କରିବାର ସ୍ବାଦ ପାଇନାହିଁ ପଞ୍ଜାବ କିଙ୍ଗ୍‌ସ। ଦଳ ଚଳିତଥର ନାମ ପରିବର୍ତ୍ତନ କରିଥିବା ବେଳେ ଭାଗ୍ୟ ପରିବର୍ତ୍ତନର ଆଶା ରଖିଛି। ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ପଞ୍ଜାବ ଗତ ସିଜିନରେ ୬ଷ୍ଠ ସ୍ଥାନ ହାସଲ କରିଥିଲା। ଦୁଇ ଓପନର ରାହୁଲ ଓ ମୟଙ୍କ ଅଗ୍ରୱାଲ ଚମତ୍କାର ବ୍ୟାଟିଂ କରିଥିଲେ। ରାହୁଲ ୬୭୦ରନ କରିଥିଲେ। ଚଳିତଥର ଦଳ ନିକଟରେ ମୟଙ୍କଙ୍କ ସମେତ କ୍ରିସ ଗେଲ୍‌, ଡାୱାଦ ମାଲାନ, ମନଦୀପ୍‌ ସିଂହ, ନିକୋଲାସ ପୁରନଙ୍କ ଭଳି ବ୍ୟାଟ୍‌ସମ୍ୟାନ ରହିଛନ୍ତି। ନବାଗତ ଭା​‌େ​‌ବ ଶାହାରୁଖ ଖାନ ମଧ୍ୟ ରହିଛନ୍ତି। ବୋଲିଂରେ ମହମ୍ମଦ ସାମି, କ୍ରିସ ଜୋର୍ଡାନ, ମୁରୁଗାପ୍ପା ଅଶ୍ବିନ, ରବି ବିଷ୍ଣୋୟି, ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୟେ ରିଚାର୍ଡସନ, ଇଶାନ ପୋରେଲ, ମୋଇଜେସ୍‌ ହେନେରିକ୍‌ସ ପ୍ରମୁଖ ରହିଛନ୍ତି। ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ କେହି କାହାରିଠାରୁ କମ୍‌ ନୁହଁନ୍ତି। ଅଭିଜ୍ଞ ରାହୁଲଙ୍କୁ ଅନଭିଜ୍ଞ ସାମସନ କଡା ଟକ୍କର ଦେବେ ବୋଲି ଆଶା କରାଯାଉଛି।

Comments are closed.