ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ ଦୁର୍ନୀତି, ଭ୍ରଷ୍ଟାଚାର କ୍ଷେତ୍ରରେ ପଛକୁ ଠେଲି ହୋଇଯାଉଛି। ୨୦୧୪ରେ ୧୮୦ଟି ରାଷ୍ଟ୍ରଙ୍କ ମଧ୍ୟରେ ୮୫ତମ ସ୍ଥାନରେ ଥିଲା ଭାରତ। ୨୦୨୪ ବେଳକୁ ୯୪ ସ୍ଥାନକୁ ଯାଇଛି। ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବା ସମୟରେ ଦୁର୍ନୀତିକୁ ବିଷ ଭାବି ତା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଉଛନ୍ତି ସରକାର। କିନ୍ତୁ ଚାକିରି ଆରମ୍ଭ ହେଉ ହେଉ ଟଙ୍କା ଅନେକ ନବନିଯୁକ୍ତଙ୍କୁ ଲୋଭ ଗ୍ରାସ କରୁଛି। ଦୁର୍ନୀତି ଉପରେ ଅଙ୍କୁଶ ଲାଗିପାରୁ ନାହିଁ। ଆଜି ବି ଲାଞ୍ଚ ନ ଦେଲେ ଫାଇଲ ଆଗକୁ ବଢ଼ୁନି କିମ୍ବା ଅଫିସରଙ୍କ କଲମ ଚାଲୁ ନାହିଁ। ପଞ୍ଚାୟତରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି ପିସି କାରବାର କାୟା ମେଲିଛି ବୋଲି ଅଭିଯୋଗର ଅନ୍ତ ନାହିଁ। ପ୍ରତ୍ୟେକ ଦିନ ଦୁର୍ନୀତି ନିବାରଣ ବିଭାଗର ଗିରଫଦାରୀ ଏହାର ଜ୍ବଳନ୍ତ ଉଦାହରଣ। ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସରେ ଏନେଇ ବିଶେଷ ଉପସ୍ଥାପନା।
୧୮ ମାସରେ ଭିଜିଲାନ୍ସ ବାନ୍ଧିଛି ୨୭୦ :
ଓଡ଼ିଶାରେ ଦୁର୍ନୀତି ମାମଲାରେ ବହୁ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବର ୨୦୨୫ରେ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶା ଭିଜିଲାନ୍ସ ବିଭାଗ ଜୁନ୍ ୧୨, ୨୦୨୪ରୁ ଡିସେମ୍ବର ୨୧, ୨୦୨୫ ମଧ୍ୟରେ ପ୍ରାୟ ୨୭୦ ଜଣ ସରକାରୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗିରଫ କରିଛି। ସେହିପରି ଏହି ୧୮ ମାସ ମଧ୍ୟରେ ଦୁର୍ନୀତି ସମ୍ବନ୍ଧୀୟ ଅପରାଧ ପାଇଁ ୧୮୭ ଜଣ ସରକାରୀ କର୍ମଚାରୀଙ୍କୁ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଦୋଷୀ ସାବ୍ୟସ୍ତ ହେବା ପରେ ୩୪ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ଏବଂ ୬୫ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି।
ସୂଚନା ଅନୁସାରେ, କେବଳ ୨୦୨୪ ମସିହାରେ ୬୦ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା ପଞ୍ଜିକୃତ ହୋଇଥିଲା। ଯେଉଁଥିରେ ୧୩୧ କୋଟି ଟଙ୍କାରୁ ଅଧିକ ବେଆଇନ ସମ୍ପତ୍ତି ଠାବ କରାଯାଇଥିଲା। ପ୍ରମୁଖ ଉଦ୍ଧାର ସାମଗ୍ରୀ ମଧ୍ୟରେ ସୁନା, ବିଳାସପୂର୍ଣ୍ଣ ସମ୍ପତ୍ତି ଏବଂ କୋଟି କୋଟି ନଗଦ ଅନ୍ତର୍ଭୁକ୍ତ। ଏହି ସମୟ ଅବଧିରେ ୯୬ଟି ଟ୍ରାପ୍ ମାମଲା ପଞ୍ଜିକୃତ ହୋଇଥିଲା। ଏଥିରେ ୯୯ ଜଣ ସରକାରୀ ଅଧିକାରୀ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିଲେ।
ଏଭଳି ପଦକ୍ଷେପ ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ ଦ୍ୱାରା ଚାଲିଥିବା କଡା କାର୍ଯ୍ୟାନୁଷ୍ଠାନ ଫଳରେ ସମ୍ଭବ ହୋଇପାରିଛି। ଏହା ଦୁର୍ନୀତି ପ୍ରତି ରାଜ୍ୟର ଶୂନ୍ୟ ସହନଶୀଳତା ନୀତିକୁ ମଧ୍ୟ ପ୍ରତିଫଳିତ କରୁଛି। ଓଡ଼ିଶା ସରକାର ଦୁର୍ନୀତି ବିରୋଧରେ ଲୋକଙ୍କୁ ଅଭିଯୋଗ କରିବାକୁ ଉତ୍ସାହିତ କରିବା ପାଇଁ ସାମାଜିକ ସମୀକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ସର୍ବସାଧାରଣ ଅଭିଯୋଗ ନିରାକରଣ ବ୍ୟବସ୍ଥା, ଯେପରିକି ଭିଜିଲାନ୍ସର ଟୋଲ୍ ଫ୍ରି ନମ୍ବର ୧୦୬୪ର ବ୍ୟବହାର ଜାରି ରଖିଛନ୍ତି ।
ଦକ୍ଷିଣ ସୁଦାନ ସବୁଠୁ ଦୁର୍ନୀତିଗ୍ରସ୍ତ ,୯୬ତମ ସ୍ଥାନରେ ଭାରତ :
ବିଭିନ୍ନ ଦେଶରେ ଦୁର୍ନୀତି ନେଇ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଦ୍ୱାରା ପ୍ରକାଶିତ କରପ୍ସନ ପରସେପସନ୍ ଇଣ୍ଡେକ୍ସ (ସିପିଆଇ) ୨୦୨୪ର ରିପୋର୍ଟରେ ତୁଳନାତ୍ମକ ତଥ୍ୟ ପ୍ରଦାନ କରାଯାଇଛି। ଏହି ରିପୋର୍ଟ ଅନୁସାରେ ୧୮୦ଟି ଦେଶ ମଧ୍ୟରୁ ଦୁଇ-ତୃତୀୟାଂଶ ଦେଶ ୫୦%ରୁ କମ୍ ସ୍କୋର କରିଛନ୍ତି। ଏହି ରିପୋର୍ଟରୁ ସ୍ପଷ୍ଟ ହୁଏ ଯେ, ସାରା ବିଶ୍ୱରେ ଦୁର୍ନୀତି ବ୍ୟାପକ ଭାବରେ ରହିଛି। ଏଥିରେ ଭାରତ ୯୬ତମ ସ୍ଥାନରେ ରହିଛି ଏବଂ ଏହାର ସ୍କୋର ୩୮ (୧୦୦ରୁ) ରହିଛି। ତେବେ ଆଶ୍ବସ୍ତିରେ ଏହା ୨୦୨୩ ତୁଳନାରେ ସାମାନ୍ୟ କମିଛି। ୨୦୨୩ରେ ସ୍କୋର ୩୯ ଥିଲା। ଏହି ରିପୋର୍ଟ ଅନୁସାରେ ୮ ସ୍କୋର ସହ ଦକ୍ଷିଣ ସୁଦାନ ସର୍ବାପେକ୍ଷା ଦୁର୍ନୀତିଗ୍ରସ୍ତ ଦେଶ। ଏହାସହ ସୋମାଲିଆ (୯), ଏବଂ ଭେନିଜୁଏଲା (୧୦) ସର୍ବାଧିକ ଦୁର୍ନୀତିଗ୍ରସ୍ତ ଦେଶ ଭାବରେ ସୂଚକାଙ୍କର ସବାତଳେ ରହିଛନ୍ତି। ଏହାର ବିପରିତ ୯୦ ସ୍କୋର ସହ ଡେନ୍ମାର୍କ ସବୁଠାରୁ କମ୍ ଦୁର୍ନୀତିଗ୍ରସ୍ତ ଦେଶ ଭାବରେ ଶୀର୍ଷରେ ରହିଛି। ଏହା ପଛକୁ ଫିନଲାଣ୍ଡ (୮୮) ଏବଂ ସିଙ୍ଗାପୁର (୮୪) ରହିଛନ୍ତି।
ଗଣତନ୍ତ୍ର, ଜଳବାୟୁ ପରିବର୍ତ୍ତନ ଓ ଦୁର୍ନୀତି :
ଦୁର୍ନୀତି ଗଣତନ୍ତ୍ରର ଅବନତି, ଅସ୍ଥିରତା ଏବଂ ମାନବ ଅଧିକାର ଉଲ୍ଲଂଘନର ଏକ ମୁଖ୍ୟ କାରଣ ବୋଲି ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଦ୍ୱାରା ପ୍ରକାଶିତ କରପ୍ସନ ପରସେପସନ୍ ଇଣ୍ଡେକ୍ସ (ସିପିଆଇ) ୨୦୨୪ର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାସହ ଏଥିରେ ଦର୍ଶାଯାଇଛି ଯେ ଦୁର୍ନୀତି ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ବଡ଼ ବିପଦ। ଏହା ଜଳବାୟୁ ପାଣ୍ଠିର ଅପବ୍ୟବହାର କରିଥାଏ ଏବଂ ଜୀବାଶ୍ମ ଇନ୍ଧନର ଆଗ୍ରହୀ ଗୋଷ୍ଠୀଙ୍କୁ ନୀତି ପ୍ରଣୟନରେ ବାଧା ଦେବାକୁ ସୁଯୋଗ ଦେଇଥାଏ।
ଯୋଜନାରେ ଦୁର୍ନୀତି : ଗ୍ରାମାଞ୍ଚଳରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଏବଂ ଯୋଜନାର କାର୍ଯ୍ୟକାରିତାରେ ଦୁର୍ନୀତି ଏକ ପ୍ରମୁଖ ଆହ୍ୱାନ ଭାବରେ ଉଭା ହୋଇଛି। ଯାହା ଫଳରେ ପାଣ୍ଠିର ଅପବ୍ୟବହାର, ଅଯୋଗ୍ୟ ହିତାଧିକାରୀଙ୍କ ଚୟନ, ନିମ୍ନମାନର କାର୍ଯ୍ୟ ଏବଂ ରାଜନୈତିକ ହସ୍ତକ୍ଷେପ ଦେଖିବାକୁ ମିଳୁଛି। ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାରେ ନିରନ୍ତର ଦୁର୍ନୀତିର ଅଭିଯୋଗ ଦେଖିବାକୁ ମିଳିଛି।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା: ଏହି ଯୋଜନାରେ ନକଲି ଜବ୍ କାର୍ଡ ତିଆରି କରିବା, କାର୍ଯ୍ୟ ନକରି ପାଣ୍ଠି ଉଠାଇବା, ଏବଂ ମଜୁରୀ ପ୍ରଦାନରେ ବିଳମ୍ବ ହେବା ଭଳି ଅଭିଯୋଗ ହେଉଛି। ଓଡ଼ିଶାର କେନ୍ଦ୍ରାପଡ଼ା, କଳାହାଣ୍ଡି, ଏବଂ ଜଗତସିଂହପୁର ଭଳି ଜିଲାରେ ଏହିପରି ଠକେଇ ହୋଇଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ଏହି ଗ୍ରାମୀଣ ଗୃହ ଯୋଜନାରେ ଅଯୋଗ୍ୟ ପରିବାରଙ୍କୁ ଘର ଦେବା, ଯୋଗ୍ୟ ଲୋକଙ୍କ ନାମ କାଟିଦେବା, ଏବଂ ଘର ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। କେନ୍ଦ୍ରୀୟ ଟିମ୍ ତଦନ୍ତ କରି ଓଡ଼ିଶାରେ ଏଭଳି ଅନିୟମିତତା ଥିବା ଦର୍ଶାଇଥିଲେ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା: ଏହି ଯୋଜନାରେ ସଡ଼କ ନିର୍ମାଣ କାର୍ଯ୍ୟରେ ନିମ୍ନମାନର କାମ ଏବଂ ଠିକାଦାର ଚୟନରେ ଅନିୟମିତତା ଦେଖିବାକୁ ମିଳୁଛି।
ମନରେଗା ଦୁର୍ନୀତି,ଭିଜିଲାନ୍ସରେ ୮୧୦ ମାମଲା : ମନରେଗା ଯୋଜନା ଅଭାବୀ ଲୋକଙ୍କ ପାଇଁ ବରଦାନ। ଅପରପକ୍ଷେ ଏହା କିଛି ଅସାଧୁ କର୍ମଚାରୀଙ୍କ ପାଇଁ ରୋଜଗାରର ମାଧ୍ୟମ। ଗତ ସରକାର ସମୟରେ ରାଜ୍ୟରେ ବ୍ୟାପକ ଦୁର୍ନୀତି ନଜରକୁ ଆସିଥିଲା। କାମ କରାନଯାଇ ମିଥ୍ୟା ବିଲ୍ କରାଯାଇଥିବା ବେଳେ ମିଛ ମଷ୍ଟର ରୋଲ ପ୍ରସ୍ତୁତ କରାଯାଇ ଅର୍ଥ ହରିଲୁଟ ହୋଇଥିଲା। ଶ୍ରମିକଙ୍କ ବଦଳରେ ମେସିନ କାମ କରିବାରୁ ଯୋଜନାର ଲାଭ ବାସ୍ତବ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରିନଥିଲା। ୨୦୨୧ରୁ ୨୦୨୫ ମଧ୍ୟରେ ରାୟଗଡ଼ା, ବଲାଙ୍ଗିର, ଗଞ୍ଜାମ ଜିଲାରେ ମନରେଗା ଦୁର୍ନୀତି ସୀମା ଟପିଥିଲା।
ଯାହାକୁ ନେଇ ଭିଜିଲାନ୍ସ ନିକଟରେ ହଜାରେରୁ ଅଧିକ ଅଭିଯୋଗ ପହଞ୍ଚିଥିଲା। ବିଭାଗ ପକ୍ଷରୁ ପାଖାପାଖି ୮୧୦ଟି ମାମଲା ରୁଜୁ କରାଯାଇ ତଦନ୍ତ ହୋଇଥିଲା। ତଦନ୍ତବେଳେ ପଞ୍ଚାୟତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କଠାରୁ ଆରମ୍ଭ କରି ବ୍ଲକ ଯନ୍ତ୍ରୀ ଓ ଜନ ପ୍ରତିନିଧିମାନେ ସିଧାସଳଖ ଦୁର୍ନୀତିରେ ଜଡ଼ିତ ଥିବା ପ୍ରମାଣ ମିଳିଥିଲା। ଏବେସୁଦ୍ଧା ପାଖାପାଖି ୪୮୫ଟି ମାମଲାର ତଦନ୍ତ ଶେଷ ହୋଇଛି। ଶତାଧିକ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଭିଜିଲାନ୍ସ ପକ୍ଷରୁ କେବଳ ୨୦୨୪ରେ ୨୦୦ଟି ମାମଲା ରୁଜୁ ହୋଇଥିବା ବେଳେ ୩୦୮ଜଣ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଛି। ବର୍ତ୍ତମାନ ରାଜ୍ୟ ସରକାର ଏକ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରିଥିବାରୁ ଦୁର୍ନୀତି ଅଭିଯୋଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉଛି।
ଦୁର୍ନୀତିର ସ୍ବରୂପ ଓ ପଦକ୍ଷେପ :
ପାଣ୍ଠିର ଅପବ୍ୟବହାର: ଦୁର୍ନୀତି ଏବଂ ଅବ୍ୟବସ୍ଥା ଯୋଗୁଁ ଯୋଜନା ପାଇଁ ଉଦ୍ଦିଷ୍ଟ ପାଣ୍ଠିର ଏକ ବଡ଼ ଅଂଶ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ।
ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱର ଅଭାବ: କାର୍ଯ୍ୟକାରିତାରେ ସ୍ବଚ୍ଛତାର ଅଭାବ ଏବଂ ଅଧିକାରୀଙ୍କ ଦ୍ୱାରା ପର୍ଯ୍ୟାପ୍ତ ଅନୁଧ୍ୟାନର ଅଭାବ ରହିଛି।
ରାଜନୈତିକ ଚାପ: ସ୍ଥାନୀୟ ରାଜନେତା ଏବଂ ଅମଲାତନ୍ତ୍ରୀମାନେ ହିତାଧିକାରୀଙ୍କ ଚୟନରେ ହସ୍ତକ୍ଷେପ କରୁଛନ୍ତି। ଅପରପକ୍ଷେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ ସରକାର ଦୁର୍ନୀତି ବିରୋଧରେ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି।
ସାମାଜିକ ସମୀକ୍ଷା: ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ସମୁଦାୟ ଭାଗୀଦାରିକୁ ପ୍ରୋତ୍ସାହିତ କରାଯାଉଛି।
ପ୍ରଯୁକ୍ତିବିଦ୍ୟାର ବ୍ୟବହାର: ସୂଚନାକୁ ସର୍ବସାଧାରଣରେ ଉପଲବ୍ଧ କରାଇବା ଏବଂ ଅଭିଯୋଗ ଟ୍ରାକ୍ କରିବା ପାଇଁ ପରିଚାଳନା ସୂଚନା ପ୍ରଣାଳୀ ବ୍ୟବହାର କରାଯାଉଛି।
ଭିଜିଲାନ୍ସ ତଦନ୍ତ: ଓଡ଼ିଶା ସରକାର ଦୁର୍ନୀତି ବିରୋଧରେ ଜିରୋ ଟଲରେନ୍ସ ନୀତି ଆପଣେଇଛନ୍ତି ଏବଂ ଭିଜିଲାନ୍ସ ବିଭାଗକୁ ସୁଦୃଢ଼ କରୁଛନ୍ତି।
ଅଭିଯୋଗ ପାଇଁ ଟୋଲ ଫ୍ରି ନମ୍ବର: ନାଗରିକମାନେ ଦୁର୍ନୀତି ସମ୍ବନ୍ଧୀୟ ଅଭିଯୋଗ କରିବା ପାଇଁ ଭିଜିଲାନ୍ସର ଟୋଲ ଫ୍ରି ନମ୍ବର ୧୦୬୪ ବ୍ୟବହାର କରିପାରିବେ। ସରକାରୀ କର୍ମଚାରୀଙ୍କ ବିରୋଧରେ ଆସୁଥିବା ଅଭିଯୋଗକୁ ଗୁରୁତ୍ୱର ସହ ନିଆଯାଉଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ : ଦୁର୍ନୀତିର ବିଶ୍ୱସ୍ତରୀୟ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୯ ତାରିଖରେ ପାଳନ କରାଯାଏ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ। ଭାରତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଦିବସକୁ ସକ୍ରିୟ ଭାବରେ ପାଳନ କରିଥାନ୍ତି। ଏହି ଅବସରରେ ବିଦ୍ୟାଳୟ, ସ୍ବେଚ୍ଛାସେବୀ ସଂଗଠନ ଏବଂ ଦୁର୍ନୀତି ନିବାରଣ ଏଜେନ୍ସିଗୁଡ଼ିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଭାରତ ୨୦୧୧ ମେ ୯ ତାରିଖରେ ଦୁର୍ନୀତି ବିରୋଧରେ ଜାତିସଂଘର ଚୁକ୍ତିନାମାକୁ ଅନୁମୋଦନ କରି ବିଶ୍ୱସ୍ତରୀୟ ଦାୟିତ୍ୱ ଗ୍ରହଣ କରିଛି। ଜାତିସଂଘର ଡ୍ରଗ୍ସ ଓ ଅପରାଧ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ‘ଆଜି ହିଁ ଦୁର୍ନୀତି ବିରୋଧରେ କାର୍ଯ୍ୟ କରନ୍ତୁ’ ଭଳି ଅଭିଯାନ ମାଧ୍ୟମରେ ନାଗରିକମାନଙ୍କୁ ସାମିଲ କରାଯାଇଛି।
ଦୁର୍ନୀତି ନିବାରଣ ଆଇନ :
ଦୁର୍ନୀତି ନିବାରଣ ଅଧିନିୟମ, ୧୯୮୮ : ଏହା ସରକାରୀ କର୍ମଚାରୀ ଏବଂ ଲାଞ୍ଚ ଦେଉଥିବା ବ୍ୟକ୍ତି ଉଭୟଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା ରଖିଛି।
ସୂଚନା ଅଧିକାର ଅଧିନିୟମ, ୨୦୦୫ : ଏହା ନାଗରିକମାନଙ୍କୁ ସରକାରୀ କାର୍ଯ୍ୟକଳାପ ଯାଞ୍ଚ କରିବା ଏବଂ ଦୁର୍ନୀତିକୁ ପଦାରେ ପକାଇବାକୁ କ୍ଷମତା ଦେଇଛି।
ଲୋକପାଳ ଏବଂ ଲୋକାୟୁକ୍ତ ଅଧିନିୟମ, ୨୦୧୩ : ଏହା ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗର ଶୁଣାଣି ପାଇଁ ଏକ ଦୁର୍ନୀତି ନିବାରଣ ଆମ୍ବୁଡ୍ସମ୍ୟାନ ବ୍ୟବସ୍ଥା ସ୍ଥାପନ କରିଛି।
ହ୍ୱିସିଲବ୍ଲୋୟର୍ସ ପ୍ରୋଟେକ୍ସନ୍ ଆକ୍ଟ, ୨୦୧୪ : ଏହା ଦୁର୍ନୀତି ବିରୋଧରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି।
ଦୁର୍ନୀତି ବିରୋଧୀ ଆନ୍ଦୋଳନ
୨୦୧୧ ମସିହାରେ ସମାଜସେବୀ ଆନ୍ନା ହଜାରେଙ୍କ ନେତୃତ୍ୱରେ ହୋଇଥିବା ‘ଆନ୍ନା ଆନ୍ଦୋଳନ’ ଏକ ଶକ୍ତିଶାଳୀ ଲୋକପାଳ ଆଇନ ପାଇଁ ଜନମତ ସୃଷ୍ଟି କରିଥିଲା।
ଡିଜିଟାଲ ପଦକ୍ଷେପ : ଇ- ଗଭର୍ଣ୍ଣାନ୍ସ ଏବଂ ଜିଏସଟି ଲାଗୁ କରିବା ଦ୍ୱାରା ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ଏବଂ ଲାଞ୍ଚ କାରବାର କମାଇବାକୁ ଲକ୍ଷ୍ୟ ରଖାଯାଇଛି।
ଓଡ଼ିଶାରେ ସ୍ଥିତି : ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ୨୦୨୩ ରିପୋର୍ଟ ଅନୁଯାୟୀ ଭାରତ ୧୮୦ଟି ଦେଶ ମଧ୍ୟରେ ୯୩ତମ ସ୍ଥାନରେ ରହିଛି, ଯାହା ଏହି କ୍ଷେତ୍ରରେ ନିରନ୍ତର ସଂସ୍କାରର ଆବଶ୍ୟକତାକୁ ଦର୍ଶାଉଛି। ଓଡ଼ିଶା ଭିଜିଲାନ୍ସ ବିଭାଗ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।



