ଭୁବନେଶ୍ବର:କରୋନା ଭୂତାଣୁର ସଂକ୍ରମଣ ରୋକିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ‘ଲକ୍ ଡାଉନ୍’ ଅବଧିକୁ ଇତିମଧ୍ୟରେ ଏକ ମାସ ପୂରିଛି । ଏହି ସମୟରେ ରାଜ୍ୟରେ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ବନ୍ଦ ରହିଛି । ଏଥିଯୋଗୁ ଖୁଚୁରା ବ୍ୟବସାୟୀଙ୍କୁ ଘୋର କ୍ଷତି ସହିବାକୁ ପଡିଛି । ହେଲେ ‘ଲକ୍ ଡାଉନ୍’ରେ ରାଜ୍ୟରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥାଗୁଡିକ ବନ୍ଦ ହୋଇଯାଇଛି । କରୋନା କଟକଣା ପାଇଁ ରାଜ୍ୟରେ ସମ୍ପ୍ରତି ଅଢେଇ ଲକ୍ଷ ଛୋଟ ଛୋଟ ଶିଳ୍ପ ସଂସ୍ଥାରେ ତାଲା ଝୁଲୁଛି । ୫୦ ଲକ୍ଷ ଲୋକ ଏବେ ନିଯୁକ୍ତି ହରାଇ ବେକାର ହୋଇ ଘରେ ବସିଛନ୍ତି ।
‘ଲକ୍ ଡାଉନ୍’ ପାଇଁ ରାଜ୍ୟରେ ପାଖାପାଖି ୪୦,୦୦୦ କୋଟି ଟଙ୍କାର ଖୁଚୁରା ବ୍ୟବସାୟ କାରବାର ପ୍ରଭାବିତ ହୋଇଥିବା ଜଣାଯାଇଛି । ରାଜ୍ୟରେ ପ୍ରାୟ ୨୦ ଲକ୍ଷ ଖୁଚୁରା ବ୍ୟବସାୟ ପ୍ରତିଷ୍ଠାନ ରହିଥିବାବେଳେ ଏହି ସବୁ ସଂସ୍ଥାରେ ୨୦ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି । ‘ଲକ୍ ଡାଉନ୍’ରେ ପ୍ରାୟ ୧୫ ଲକ୍ଷ ଖୁଚୁରା ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯିବା ଯୋଗୁ ଏସବୁରେ କାର୍ଯ୍ୟରତ ଅନେକ ଲୋକ ନିଯୁକ୍ତି ହରାଇଛନ୍ତି । କେବଳ ମାତ୍ର ୫ ଲକ୍ଷ ଖୁଚୁରା ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଛି । ମୋଟାମୋଟି ଭାବେ ‘ଲକ୍ ଡାଉନ୍’ରେ ଖୁଚୁରା ବ୍ୟବସାୟ ବନ୍ଦ ରହିବା ଯୋଗୁ ରାଜ୍ୟରେ ପ୍ରାୟ ୩୦ ଲକ୍ଷ ଲୋକ ବେକାର ହୋଇଥିବା ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।
କରୋନା କଟକଣା ଯୋଗୁ ରାଜ୍ୟରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥାଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛି । ମୁଖ୍ୟତଃ ଖାଦ୍ୟ ପ୍ରକିୟାକରଣ, ଫ୍ୟାବ୍ରିକେଶନ୍ ଏବଂ ଇଞ୍ଜିନିୟରିଂ ଆଦି କ୍ଷେତ୍ରରେ କାର୍ଯ୍ୟରତ ଶିଳ୍ପ ସଂସ୍ଥାଗୁଡିକୁ କ୍ଷତି ସହିବାକୁ ପଡିଛି । ବର୍ତ୍ତମାନ ରାଜ୍ୟର ବିଭିନ୍ନ େଛାଟ ଛୋଟ ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୨୦ ଲକ୍ଷ ଶ୍ରମିକ ରୋଜଗାର ହରାଇଛନ୍ତି ବୋଲି ଓଡ଼ିଶା କ୍ଷୁଦ୍ରଶିଳ୍ପ ସଂଘର ସଭାପତି ସ୍ମରଜିତ୍ ମହାନ୍ତି କହିଛନ୍ତି । ଲକ୍ ଡାଉନ୍ରେ ଶିଳ୍ପ ସଂସ୍ଥାଗୁଡିକ ବନ୍ଦ ରହିବା ଯୋଗୁ ରାଜ୍ୟରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ସଂସ୍ଥାଗୁଡିକୁ ପ୍ରାୟ ଚାରି ହଜାର କୋଟି ଅଧିକ ଟଙ୍କାର କ୍ଷତି ସହିବାକୁ ପଡିଛି । ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଶିଳ୍ପ ସଂସ୍ଥାଗୁଡିକ ପୁଣିଥରେ ମୁଣ୍ଡ ଟେକି ଛିଡା ହେବା ସ୍ଥିତିରେ ନ ଥିବା ଶ୍ରୀ ମହାନ୍ତି କହିଛନ୍ତି । ଏହି ଛୋଟ ଛୋଟ ଶିଳ୍ପ ସଂସ୍ଥାଗୁଡିକୁ ଏଥିରୁ ମୁକୁଳାଇବାକୁ ହେଲେ ସରକାରଙ୍କୁ ଏମ୍ଏସ୍ଏମ୍ଇ ସଂସ୍ଥାଗୁଡିକ ପାଇଁ ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବାକୁ ହେବ । ଓସ୍ମିର ଖୋର୍ଦ୍ଧା ସଭାପତି ବିଜୟ କୁମାର ସିଂହ କହିଛନ୍ତି ଯେ, ଫଣିରେ ସରକାର କୌଣସି ପ୍ରକାର ସାହାଯ୍ୟ ଦେଇ ନ ଥିଲେ । ବର୍ତ୍ତମାନ ଶିଳ୍ପରେ କରୋନା ମାଡ ପରେ ଆଉ ୟୁନିଟ୍ ଚଳାଇ କର୍ମଚାରୀଙ୍କୁ ଦରମା ଦେବା ସମ୍ଭବପର ନୁହେଁ । ତେଣୁ ସରକାର ସହାୟତାର ହାତ ନ ବଢାଇଲେ ସବୁ ଶିଳ୍ପ ବନ୍ଦ ହୋଇଯିବ ବୋଲି ଶ୍ରୀ ସିଂହ କହିଛନ୍ତି । କରୋନା କଟକଣାରେ ୟୁନିଟ୍ ବନ୍ଦ ରହିବା ଯୋଗୁ କେବଳ ଖୋର୍ଦ୍ଧା ଜିଲାରେ ୧୩,୦୦୦ରୁ ଅଧିକ ୟୁନିଟ୍ରେ ତାଲା ଝୁଲୁଛି । ଫଳରେ ଜିଲାରେ ୮୦,୦୦୦ରୁ ଅଧିକ କର୍ମଚାରୀ ବେକାର ହୋଇଯାଇଥିବା ଖୋର୍ଦ୍ଧା ଜିଲା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ବଟକୃଷ୍ଣ ଓଝା କହିଛନ୍ତି ।
ଲକ୍ଡାଉନ୍କୁ ମାସେ; ଅଢ଼େଇ ଲକ୍ଷ କ୍ଷୁଦ୍ର ଶିଳ୍ପ ସଂସ୍ଥା ବନ୍ଦ, ୫୦ ଲକ୍ଷ କର୍ମଚାରୀ ବେକାର
Popular Categories



