ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ ଇଣ୍ଡିଗୋ ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ପିଟର ଏଲବର୍ସ ଦଣ୍ଡିତ ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଉଠିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସନ୍ଧ୍ୟାରେ ଇଣ୍ଡିଗୋ ସିଇଓଙ୍କ ସମେତ ଏକାଧିକ ବରିଷ୍ଠ ଅଧିକାରୀଙ୍କୁ ଡକାଯାଇ ଆଲୋଚନା କରାଯାଇଛି। ଏଲବର୍ସଙ୍କୁ ସିଇଓ ପଦରୁ ବହିଷ୍କାର କରାଯାଇପାରେ ବୋଲି ଆଲୋଚନାରୁ ଜଣାପଡିଛି। ସହସ୍ରାଧିକ ଯାତ୍ରୀ ଅଯଥାରେ ମାନସିକ, ଶାରୀରିକ ଏବଂ ଆର୍ଥିକ ଯନ୍ତ୍ରଣା ଭୋଗୁଥିବାରୁ ମନ୍ତ୍ରଣାଳୟ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ଇଣ୍ଡିଗୋ ଉପରେ ମୋଟା ଅଙ୍କର ଜୋରିମାନା ଲାଗୁ କରାଯାଇଥିବାବେଳେ ଏହାର ଦୈନିକ ବିମାନ ଉଡାଣ ସଂଖ୍ୟା ହ୍ରାସ କରାଯିବ ବୋଲି ଜଣାପଡିଛି। ଘରୋଇ ମାର୍କେଟରେ ଇଣ୍ଡିଗୋ ୬୫ ପ୍ରତିଶତ ବିମାନଯାତ୍ରୀଙ୍କୁ ନେବା ଆଣିବା କରୁଥିବାବେଳେ ଆଗାମୀ ଦିନରେ ଏହା ୫୦ ପ୍ରତିଶତକୁ ହ୍ରାସ କରାଯିବାର ଆଶଙ୍କା ଉପୁଜିଛି। ଇଣ୍ଡିଗୋ ଏୟାରଲାଇନ୍ସର ଏଭଳି ଅବ୍ୟବସ୍ଥା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏଲବର୍ସ ଏହି ପରିସ୍ଥିତି ପାଇଁ ଯାତ୍ରୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି। ଏହା ଆଦୌ ମନୁଷ୍ୟକୃତ ନୁହେଁ ଏବଂ ଆଗାମୀ ଦିନେ ଦୁଇଦିନ ମଧ୍ୟ ସ୍ଥିତି ସ୍ବାଭାବିକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
Popular Categories



