ନୂଆଦିଲ୍ଲୀ: ଦେଶରେ ବୁଲୁଥିବା ନକଲି ବାବା, ସାଧୁ ସନ୍ଥ ଓ ଆଧ୍ୟାତ୍ମିକ ଗୁରୁଙ୍କ ପ୍ରତି ସାବଧାନ ରହିବାକୁ ଭାରତୀୟ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି। ବିଶେଷ କରି ଏହି ଚେତାବନୀ ଭାରତୀୟ ସୈନିକମାନଙ୍କୁ ଦିଆଯାଇଛି। ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଆଧ୍ୟାତ୍ମିକ ଗୁରୁ ବା ନକଲି ବାବା ବେଶରେ ଥିବା ଲୋକ ପାକିସ୍ତାନର ଗୁପ୍ତଚର ହୋଇପାରନ୍ତି। ସୈନିକମାନଙ୍କ ଠାରୁ ଭାରତର ଗୁପ୍ତ ତଥ୍ୟ ହାସଲ କରିବାକୁ ଏମାନେ ଉଦ୍ୟମ କରିପାରନ୍ତି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି।
ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଧ୍ୟାତ୍ମିକ ଗୁରୁ କିମ୍ବା ବାବା ବେଶରେ ବୁଲୁଥିବା ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅପରେଟିଭିସ୍ (ପିଆଇଓ) ସମ୍ବେଦନଶୀଳ ତଥ୍ୟ ହାସଲ କରିବାକୁ ସୈନିକ ଏବଂ ତାଙ୍କର ପରିବାରକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଜଣେ ସୈନ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଭାରତୀୟ ସେନାଙ୍କୁ ଟାର୍ଗେଟ କରି ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ସୋସିଆଲ ମିଡିଆ ୟୁଟ୍ୟୁବ, ହ୍ଵାଟସଆପ ଏବଂ ସ୍କାଇପି ବ୍ୟବହାର କରୁଛନ୍ତି। ସେନା ପକ୍ଷରୁ ପ୍ରାୟ ୧୫୦ଟି ସୋସିଆଲ ମିଡିଆ ପ୍ରୋଫାଇଲ ଚିହ୍ନଟ କରାଯାଇଛି। ଯେଉଁମାନେ ପାକିସ୍ତାନୀ ଏଜେଣ୍ଟ ହୋଇପାରନ୍ତି ବୋଲି ଭାରତୀୟ ସେନା ସନ୍ଦେହ କରୁଛି।
ସମ୍ବେଦନଶୀଳ ତଥ୍ୟ ହାସଲ କରିବା ପାଇଁ ଏହି ଏଜେଣ୍ଟମାନେ କାର୍ଯ୍ୟରତ ଓ ସେବାନିବୃତ ଅଧିକାରୀମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ସୋସିଆଲ ମିଡିଆରେ ମହିଳାଙ୍କ ନାମରେ କିଛି ଆକାଉଣ୍ଟ ଖୋଲାଯାଇ ହନିଟ୍ରାପ ମାଧ୍ୟମରେ ଭାରତୀୟ ସେନାକୁ ଫସାଇବାକୁ ପାକିସ୍ତାନ ଏଜେଣ୍ଟମାନେ ଚେଷ୍ଟା କରୁଛନ୍ତି।



