ଜେନେଭା : ଅତୀତରେ ଆଫଗାନିସ୍ତାନ ସହିତ ଭାରତର ଯେଉଁ ସମ୍ପର୍କ ରହିଥିଲା ଏବେ ମଧ୍ୟ ସେହି ସମ୍ପର୍କ ବଜାୟ ରଖିବାକୁ ନୂଆଦିଲ୍ଲୀ ଆଗ୍ରହୀ ବୋଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ଆଫଗାନିସ୍ତାନରେ ମାନବାଧିକାର ସଙ୍କଟକୁ ନେଇ ସୋମବାର ଅନୁଷ୍ଠିତ ଜାତିସଂଘର ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ ଜୟଶଙ୍କର ଏହା କହିଛନ୍ତି। ସେ କହିଛନ୍ତି ଯେ ଆଫଗାନିସ୍ତାନ ପରିସ୍ଥିତିକୁ ଭାରତ ନିୟମିତ ଅନୁଧ୍ୟାନ କରୁଛି। ଆଫଗାନିସ୍ତାନ ଏବେ କଠିନ ଓ ଆହ୍ବାନପୂର୍ଣ୍ଣ ପରିସ୍ଥିତି ଦେଇ ଗତିକରୁଛି। ବିଶେଷକରି ଦେଶ ଏବେ ଦାରିଦ୍ର୍ୟର ସମ୍ମୁଖୀନ ହେବାକୁ ଯାଉଛି। ଏହି ଦାରିଦ୍ର୍ୟ ହିଁ ଦେଶର ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବ। ଏକ ପଡୋଶୀ ରାଷ୍ଟ୍ର ଭାବେ ଭାରତ ଏ ଦିଗରେ ଆଫଗାନିସ୍ତାନକୁ ପୂର୍ବପରି ସହାୟତା ପ୍ରଦାନ କରିବାକୁ ସର୍ବଦା ଆଗ୍ରହୀ। ଆଫଗାନିସ୍ତାନରୁ ଯେଉଁମାନେ ଭାରତ ଆସିବାକୁ ଚାହଁୁଛନ୍ତି କିମ୍ବା ଭାରତରୁ ଯେଉଁମାନେ ଆଫଗାନିସ୍ତାନ ଯିବାକୁ ଚାହୁଁଛନ୍ତି ନୂଆଦିଲ୍ଲୀ ସେମାନଙ୍କୁ ଅନୁମତି ଦେବାକୁ ପ୍ରସ୍ତୁତ। ଏହି ଅବସରରେ ଜୟଶଙ୍କର ଆଫଗାନିସ୍ତାନର ମାନବାଧିକାର ସଙ୍କଟକୁ ମୁକାବିଲା ଦିଗରେ ଆବାଶ୍ୟକ ସହଯୋଗ କରିବାକୁ ଆନ୍ତର୍ଜାତିକ ସମୁଦାୟକୁ ନିବେଦନ କରିଛନ୍ତି।
Popular Categories



