ନୂଆଦିଲ୍ଲୀ: ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୀତି ସଂପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ସହାୟକ ବାଣିଜ୍ୟ ପ୍ରତିନିଧି ଖ୍ରୀଷ୍ଟୋଫର୍ ୱିଲ୍ସନ୍ଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସିଥିବା ଏକ ପ୍ରତିନିଧି ଦଳ ଶୁକ୍ରବାର ନୂଆଦିଲ୍ଲୀଠାରେ ବାଣିଜ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୟ ଚଢ଼ାଙ୍କ ନେତୃତ୍ୱରେ ଗଠିତ ଭାରତୀୟ ପ୍ରତିନିଧି ଦଳ ସହିତ ଏ ସଂପର୍କରେ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ ଓ ଅର୍ଥନୈତିକ ସଂପର୍କକୁ ଅଧିକ ସୁଦୃଢ଼ କରିବା ସହିତ ଏହାଦ୍ୱାରା ଉଭୟ ପକ୍ଷ ଯେଭଳି ଲାଭବାନ ହୋଇପାରିବେ, ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଲାଗି ଏହି ବୈଠକରେ ଆଲୋଚନା ହୋଇଛି।
ଜୁନ ମାସରେ ଜାପାନର ଓସାକାଠାରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ଆଲୋଚନା ସମୟରେ ଏ ସଂପର୍କରେ ନିଆଯାଇଥିବା ନିଷ୍ପତ୍ତିକୁ ଆଧାର କରି ଏହି ଦ୍ୱିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।



