କଲକାତା: ବର୍ଷ ବର୍ଷ ଧରି ଘରୋଇ ମାଟି ଭାରତୀୟ କ୍ରିକେଟ୍ ଦଳ ପାଇଁ ଅଭେଦ୍ୟ ଦୁର୍ଗ ଥିଲା। ବହୁତ କମ୍ ବିଦେଶୀ ଦଳ ଭାରତ ଆସି ଟେଷ୍ଟ ଶୃଙ୍ଖଳା ଜିତିଥିଲେ। ହେଲେ ଗତବର୍ଷ ଅକ୍ଟୋବର-ନଭେମ୍ବରରେ ଯାହା ଦେଖିବାକୁ ମିଳିଥିଲା; ତାହା ଭାରତୀୟ କ୍ରିକେଟ୍ ଇତିହାସରେ କଦାପି ଦେଖିବାକୁ ମିଳିନଥିଲା। ନ୍ୟୁଜିଲାଣ୍ଡ ଭାରତ ଆସି ୩ଟିଯାକ ଟେଷ୍ଟମ୍ୟାଚ୍ ଜିତି ୩-୦ରେ ଶୃଙ୍ଖଳା ପୋଛି ନେଇଥିଲା। ପୁଣି ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ପରି ମହାନ୍ କ୍ରିକେଟର ଥିଲେ। ତଥାପି ଭାରତ ପ୍ରଥମଥର ଘରୋଇ ଶୃଙ୍ଖଳାରେ ସମସ୍ତ ଟେଷ୍ଟ ହାରିଥିଲା। ଭାରତ ପାଇଁ ଏହା ବଡ଼ ଶିକ୍ଷା ଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡର ଦୁଇ ସ୍ପିନର ଏଜାଜ୍ ପଟେଲ ଓ ମିଚେଲ ସାଣ୍ଟନରଙ୍କ ମୁକାବିଲା କରି ନ ପାରିବାରୁ ଦଳ ଉଭୟ ଟେଷ୍ଟ ହାରିଥିଲା। ଭାରତକୁ ଏହି ଶୃଙ୍ଖଳାରୁ ଶିକ୍ଷା ମିଳିଥିଲା ଯେ କେବଳ ସ୍ପିନ୍ ଉପଯୋଗୀ ପିଚ୍ କଲେ ମ୍ୟାଚ୍ ଜିତି ହୁଏନାହିଁ। ତୁମ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ସ୍ପିନ୍ ବିପକ୍ଷରେ ବଡ଼ ରନ୍ କରିବାକୁ ପଡ଼ିବ। ନ୍ୟୁଜିଲାଣ୍ଡ ଶୃଙ୍ଖଳା ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଏହା ପ୍ରମାଣିତ ହୋଇଥିଲା।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ଭାରତ କିଛି ଶିଖିନଥିଲା। ଇଡେନ୍ରେ ସ୍ପିନ୍ ଉପଯୋଗୀ ପିଚ୍ କରିବାକୁ ଭାରତୀୟ ଦଳ କ୍ୟୁରେଟରଙ୍କୁ ନିର୍ଦେଶ ଦେଇଥିଲା। ଏକ ସପ୍ତାହ ଧରି ପିଚ୍ରେ ପାଣି ପଡ଼ିନଥିଲା। ସନ୍ଧ୍ୟାରେ କାକରରୁ ବଞ୍ଚାଇବା ପାଇଁ ପିଚ୍କୁ ଘୋଡ଼ାଇ ରଖାଯାଇଥିଲା। ଫଳରେ ଅତ୍ୟନ୍ତ ଶୁଖିଲା ଓ ଢିଲା ମାଟିର ପିଚ୍ରେ ମ୍ୟାଚ୍ ଖେଳା ଯାଇଥିଲା। ପ୍ରଥମ ଦିନରୁ ପିଚ୍ରେ ବଲ୍ ସ୍ପିନ୍ କରିଥିଲା ଏବଂ ଅସମାନ ବାଉନ୍ସ ମିଳିଥିଲା। ଉଚ୍ଚକୋଟୀର ସ୍ପିନ୍ ଖେଳିବା ଲାଗି ବିଶେଷ ଟେକ୍ନିକ ଆବଶ୍ୟକ; ଯାହା କଲକାତା ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ଦେଖାଇଥିଲେ।
ଅନ୍ୟପକ୍ଷରେ ସ୍ପିନ୍ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳ ଟେକ୍ନିକ ଧରା ପଡ଼ିଥିଲା। ଦଳର ଦୁର୍ବଳ ଯୋଜନା ପରାଜୟ ପାଇଁ ଦାୟୀ। ସ୍ପିନ୍ ଉପଯୋଗୀ ପିଚ୍ ଥିଲେ ହେଁ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ଯଶପ୍ରୀତ ବୁମ୍ରା ୫ଟି ଓ ମହମ୍ମଦ ସିରାଜ୍ ୨ଟି ୱିକେଟ୍ ନେଇ ଏହାକୁ ୧୫୯ ରନ୍ରେ ରୋକିଥିଲେ। ମ୍ୟାଚ୍ରେ ଦୁଇ ଭାରତୀୟ ପେସ୍ ବୋଲର ୧୦ଟି ୱିକେଟ୍ ନେଇଥିଲେ। ଭାରତ ୪ ଜଣ ସ୍ପିନରଙ୍କୁ ଖେଳାଇଥିବା ବେଳେ ସେମାନେ ୧୦ଟି ୱିକେଟ୍ ପାଇଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ସ୍ପିନର ୧୮ଟିରୁ ୧୨ଟି ୱିକେଟ୍ ନେଇଥିଲେ। ପୁଣି ଭାରତ ଜାଣିଥିଲା ଯେ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାର ମୁଖ୍ୟ ଫାଷ୍ଟବୋଲର କାଗିସୋ ରବାଡା ଖେଳୁନାହାନ୍ତି। ମାର୍କୋ ୟାନ୍ସେନ ଦଳର ଏକମାତ୍ର ବିଶ୍ବସ୍ତରୀୟ ପେସ୍ ବୋଲର। ଏହାସତ୍ତ୍ବେ ସ୍ପିନ୍ ଉପଯୋଗୀ ପିଚ୍ ପ୍ରସ୍ତୁତି ପାଇଁ କହି ଭାରତ ନିଜେ ବିଛାଇଥିବା ଫାଶରେ ପଡ଼ି ଯାଇଥିଲା। ସମାଲୋଚକଙ୍କୁ ଜବାବ ଦେବା ପାଇଁ ‘ଦଳ ଠିକ୍ ଏହିପରି ପିଚ୍ ଚାହଁୁଥଲା’ ବୋଲି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କହିଥିଲେ। ସେ ଏପରି କହିବା ପଛରେ ବାସ୍ତବତା ନଥିଲା। ଏହା ସତ ଯେ ଅଧିନାୟକ ଶୁଭମନ ଗିଲ୍ ଉଭୟ ଇନିଂସରେ ବ୍ୟାଟିଂ ନ କରିବା ଫଳାଫଳକୁ ନିଶ୍ଚିତ ପ୍ରଭାବିତ କରିଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳା ପୂର୍ବରୁ ଗିଲ୍ କହିଥିଲେ ଯେ ଅଧିକ ସ୍ପିନ୍ କରୁଥିବା ପିଚ୍ରେ ଆଉ ଟେଷ୍ଟ ଖେଳାଯିବ ନାହିଁ। ହେଲେ ଇଡେନ୍ ଗାର୍ଡେନ୍ସରେ ଏହାର ବିପରୀତ ଦେଖିବାକୁ ମିଳିଥିଲା। ଲାଗୁଛି ଯେ ପ୍ରଶିକ୍ଷକ ଗମ୍ଭୀର ଓ ଅଧିନାୟକ ଗିଲ୍ଙ୍କ ମଧ୍ୟରେ ତାଳମେଳ ନାହିଁ।
ଏହା ସ୍ବୀକାର କରିବାକୁ ପଡ଼ିବ ଯେ ଏକ ଭଲ ପିଚ୍ ପ୍ରସ୍ତୁତ ହୋଇଥିଲେ; ଭାରତକୁ ସୁବିଧା ମିଳିଥାଆନ୍ତା। କାରଣ ଏପରି ସ୍ପୋର୍ଟିଂ ପିଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ ନିଶ୍ଚୟ ଅଧିକ ରନ୍ କରିଥାଆନ୍ତେ। ପୁଣି ବୁମ୍ରା, ସିରାଜ୍ଙ୍କ ସହ ଆକାଶ ଦୀପଙ୍କ ପରି ଭାରତୀୟ ପେସ୍ ବୋଲର ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କ ପାଇଁ ଅଧିକ ଘାତକ ହୋଇଥାଆନ୍ତେ। ଇଡେନ୍ର ପିଚ୍ ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକାକୁ ସୁହାଇଥିଲା। କାରଣ ଦଳର ଦୁଇ ସ୍ପିନର କେଶବ ମହାରାଜ ଓ ସାଇମନ୍ ହାର୍ମର ଅଧିକ ଅଭିଜ୍ଞ। ଏପରି ପିଚ୍ରେ ୱିକେଟ୍ ନେବା ଲାଗି ଅଭିଜ୍ଞତା ଆବଶ୍ୟକ; ଯାହା ଭାରତୀୟ ଦଳର ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ଦେଖାଇଥିଲେ। ଅକ୍ଷର ପଟେଲ ମୋଟ ୨ଟି ୱିକେଟ୍ ପାଇଥିବା ବେଳେ ୱାଶିଂଟନ ସୁନ୍ଦରଙ୍କୁ ୱିକେଟ୍ ମିଳିନଥିଲା।



