ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଟାର୍ଗେଟ କରି ମାତ୍ରାଧିକ ଶୁଳ୍କ ଲାଗୁ କରିଛନ୍ତି। ଦ୍ରୁତ ଅଭିବୃଦ୍ଧି ଅଭିମୁଖେ ଅଗ୍ରସର ହେଉଥିବା ଭାରତର ଅର୍ଥନୀତିକୁ ଦୁର୍ବଳ କରିବା ଲାଗି ଆମେରିକାର ଏହି ଷଡ଼ଯନ୍ତ୍ର ଦୁଇଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିବାରେ ଲାଗିଛି। ତେବେ ଆମେରିକାକୁ ଜବାବ ଦେବା ଲାଗି ଭାରତ କୂଟନୈତିକ ସ୍ତରରେ ଯୋଜନା ଆରମ୍ଭ କରିଛି। ରୁଷ ସହିତ ଭାରତର ବନ୍ଧୁତ୍ଵ ସୁଦୃଢ଼ ଥିବାବେଳେ ବର୍ତ୍ତମାନ ଚୀନକୁ ଦ୍ଵିପାକ୍ଷିକ ସମ୍ପର୍କ ବୃଦ୍ଧି କରିବାକୁ ପଦକ୍ଷେପ ଆରମ୍ଭ ହୋଇଛି।
ରୁଷ ଠାରୁ ତୈଳ ଆମଦାନୀ କରିବା କାରଣରୁ ଆମେରିକା ଭାରତ ଉପରେ ଶୁଳ୍କ ଲାଗୁ କରିଛି। ଚୀନକୁ କିନ୍ତୁ ୩ମାସ ସମୟ ଦେଇଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ମନମାନୀକୁ ଉଚିତ ଜବାବ ଦେବା ଲାଗି ରୁଷ, ଚୀନ ଏବଂ ଭାରତ ଯୋଜନା ତିଆରି କରୁଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରୁଷ ଯାତ୍ରା କରିବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତ କରିବା କାର୍ଯ୍ୟକ୍ରମ ଥିବାରୁ ଜୟଶଙ୍କର ମସ୍କୋ ଯାଇ ତାହାର ବ୍ୟବସ୍ଥା କରିବେ ବୋଲି କୁହାଯାଉଛି। ନିକଟରେ ଏନଏସଏ ଅଜିତ ଡୋଭାଲ ମଧ୍ୟ ରୁଷ ଯାତ୍ରା କରି ଫେରିଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ ଚୀନ ଗସ୍ତ କରିବାର ରହିଛି। ୭ ବର୍ଷ ପରେ ମୋଦୀ ଚୀନ ଯିବା ନେଇ ଘୋଷଣା କରିଛନ୍ତି। ତେବେ ଏହା ପୂର୍ବରୁ ଚୀନ ବିଦେଶ ମନ୍ତ୍ରୀ ୟାଙ୍ଗ ୟୀ ଭାରତ ଗସ୍ତରେ ଆସିବେ। ସେ ଆସନ୍ତା ୧୮ ତାରିଖରେ ଭାରତ ଆସି ଏନଏସଏ ଅଜିତ ଡୋଭାଲଙ୍କୁ ଭେଟିବେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଲାଗିରହିତିବା ସୀମା ବିବାଦ ଉପରେ ଆଲୋଚନା ହେବ। ସୀମା ବିବାଦର ସମାଧାନ ଲାଗି ଦୁଇ ଦେଶ ମଧ୍ୟରେ ଆରମ୍ଭ ହେବାକୁ ଥିବା ଏହି ପ୍ରକ୍ରିୟା ସଫଳ ହେଲେ ଆମେରିକାକୁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି।
କାରଣ ଚୀନ ସହିତ ଭାରତର ବିବାଦ କେବଳ ସୀମାକୁ ନେଇ ରହିଛି। ଏହାର ସମାଧାନ ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ ହେବ। ଯାହା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ନିଦ ହଜାଇ ଦେଇପାରେ ବୋଲି ଭୂରାଜନୈତିକ ବିଶେଷଜ୍ଞମାନେ ମତ ଦେଉଛନ୍ତି।



