ଭାରତକୁ ମିଳିପାରେ ରୁଷର ଶକ୍ତିଶାଳୀ ରାଡାର ସିଷ୍ଟମ, ୮ ହଜାର କିଲୋମିଟର ଦୂରରୁ ଶତ୍ରୁପକ୍ଷ କ୍ଷେପଣାସ୍ତ୍ରକୁ ଧ୍ବଂସ କରିବ
ସମାଜ ଡିଜିଟାଲ ଡେସ୍କ: ଭାରତକୁ ମିଳିପାରେ ରୁଷର ଅତ୍ୟାଧୁନିକ ସଅଳ ସତର୍କତା ରାଡାର ସିଷ୍ଟମ ‘ବୋରୋନେଜ’। ଏହି ସିଷ୍ଟମ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ୮ ହଜାର କି.ମି. ଦୂରରୁ ନିଷ୍ଫଳ କରିବାରେ ସକ୍ଷମ। ୪୦୦ କୋଟି ଡଲାର(ପ୍ରାୟ ୩୩ ହଜାର କୋଟି) ଅର୍ଥରାଶିରେ ଭାରତ ରୁଷ ସହିତ ଏଥିପାଇଁ ଚୁକ୍ତିନାମା କରିବାକୁ ଯାଉଛି ବୋଲି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି। ତେବେ ଏହି ରାଡାର ମୋଦୀ ସରକାରଙ୍କ ମେକ ଇନ ଇଣ୍ଡିଆ ନୀତି ଅଧୀନରେ ନିର୍ମିତ ହେବ। ଏଥିପାଇଁ ରୁଷ ସମସ୍ତ ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବ। ତେବେ ସରକାରୀ ସ୍ତରରେ ଏ ସମ୍ପର୍କରେ କିଛି ଘୋଷଣା ହୋଇନାହିଁ। ଏହି ରାଡାର ସିଷ୍ଟମ ଦେଶର ପ୍ରତିରକ୍ଷା ବିଭାଗକୁ ଅଧିକ ଶକ୍ତିଶାଳୀ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ଦିନିଆ ରୁଷ ଗସ୍ତରେ ଯାଇଥିବା ସମୟରେ ଏ ନେଇ ଆଲୋଚନା ହୋଇଥିବା କୁହାଯାଉଛି।
ବୋରୋନେଜ ରାଡାର ସିଷ୍ଟମକୁ ରୁଷର ଆଲମାଜ-ଆଣ୍ଟେ କର୍ପୋରେସନ ଦ୍ଵାରା ନିର୍ମାଣ କରାଯାଇଛି। ଏକ ସମୟରେ ଏହି ରାଡାର ୫୦୦ ବସ୍ତୁକୁ ଚିହ୍ନଟ କରିପାରିବ। ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ଗୁପ୍ତ ଯୁଦ୍ଧ ବିମାନଗୁଡ଼ିକୁ ବି ଠାବ କରିପାରିବ। ରୁଷ ସେନା ଏହାକୁ ୨୦୧୨ ମସିହାରୁ ବ୍ୟବହାର କରିଆସୁଛି। ପ୍ରାୟ ୧୦ଟି ରାଡାରକୁ ରୁଷ ଦେଶର ବିଭିନ୍ନ ସ୍ଥାନରେ ମୁତୟନ କରିଛି।
Comments are closed.