ବିଶ୍ୱରେ କରୋନା ସଂକ୍ରମଣ ମହାମାରୀ ଯୋଗୁ ମାତ୍ର ୨୮ ଦିନରେ ୮ କୋଟି ୭୦ ଲକ୍ଷ ୨୧ ହଜାର ୯୭୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେହି ସମୟ ମଧ୍ୟରେ ୩୨ ହଜାର ୩୭୮ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାୟତଃ ଅନେକଗୁଡ଼ିଏ ଦେଶର ସରକାର କରୋନା ସଂକ୍ରମଣ ହ୍ରାସ ପାଉଥିବା ସୂଚନା ଦେବା ସହ ସ୍କୁଲ, କଲେଜ, ଅଫିସ ଆଦି ସ୍ୱାଭାବିକ କରିସାରିଛନ୍ତି କିନ୍ତୁ ପ୍ରକୃତ ଅର୍ଥରେ କରୋନା ସଂକ୍ରମଣ ପୂର୍ବ ଭଳି ତାର କାୟା ବିସ୍ତାର କରି ଚାଲିଛି।
ଆମେରିକା ସ୍ଥିତ ଜନ ହପକିନସ ବିଶ୍ୱବିଦ୍ୟାଳୟର କରୋନା ରିସୋର୍ସ ସେଣ୍ଟର ଦେଇଥିବା ତଥ୍ୟ ଅନୁଯାୟୀ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୮ କୋଟି ୭୬ ଲକ୍ଷ ୭୭ ହଜାର ୨୨୪ରେ ପହଂଚି ଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭ ଲକ୍ଷ ୧୧ ହଜାର ୧୨୮କୁ ବୃଦ୍ଧି ପାଇଛି। ଏହି ଭୁତାଣୁ ସଂକ୍ରମଣରେ ଆମେରିକା ଶୀର୍ଷରେ ରହିଛି ଯେଉଁଥିରେ ୭.୫୯ କୋଟି ଲୋକ ପ୍ରଭାବିତ ହୋଇଛନ୍ତି ଓ ୮ ଲକ୍ଷ ୯୬ ହଜାର ୫୫୭ ଜଣଙ୍କ ମୃତ୍ୟୁ ଘଟିଛି।
ତଥ୍ୟ ଅନୁଯାୟୀ, ଭାରତ କରୋନା ସଂକ୍ରମରେ ବିଶ୍ୱରେ ଦ୍ଵିତୀୟ ସ୍ଥାନରେ ରହିଛି। ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୫୬୯ ରହିଛି ଯାହା ମୋଟ ସଂକ୍ରମଣର ୩.୪୨%। ସେହିପରି ୨.୬୧ କୋଟି ସଂକ୍ରମଣ ସହ ବ୍ରାଜିଲ ତୃତୀୟ ସ୍ଥାନରେ, ୧.୭୭ କୋଟି ସହ ବ୍ରିଟେନ ଚତୁର୍ଥ ଏବଂ ୧.୧୯ କୋଟି ସହ ତୁର୍କୀ ପାଞ୍ଚନ ସ୍ଥାନରେ ରହିଛି।



