ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ଏବଂ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ର ଉଭୟ ପାର୍ଶ୍ବରେ ଦୁଇ ଦେଶର ବହୁ ସଂଖ୍ୟାରେ ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ ହୋଇଥିବାବେଳେ ଅପ୍ରତ୍ୟାଶିତ ଭାବରେ ଚୀନର ପିପୁଲ୍ସ ଲିବିରେସନ ଆର୍ମି (ପିଏଲଏ) ପକ୍ଷରୁ ନେପାଳ ଓ ତିବତ ସୀମାନ୍ତରେ ସମରାଭ୍ୟାସ ଆରମ୍ଭ ହୋଇଛି। ଚୀନର ଲଢୁଆ ବିମାନଗୁଡିକରୁ ଆକାଶଛତା ବାହିନୀ ଅବତରଣ ଅଭ୍ୟାସ କରିବା ସହିତ ସେଠାରେ ଚୀନ ନିଜର ବହୁ ସଂଖ୍ୟକ ସୈନ୍ୟ ଠୁଳ କରିବା ଆରମ୍ଭ କରିଛି। ଏପରିକି ଏହା ନିଜ ଦେଶରେ ଡାକ୍ତରଖାନାଗୁଡିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିବା ଏବଂ ମାତ୍ର ୩୦ ମିନିଟ ମଧ୍ୟରେ ବଙ୍କର ନିର୍ମାଣ କୌଶଳ ପ୍ରଦର୍ଶନ କରିବା, ଭାରତର ଚିନ୍ତା ବଢ଼ାଇ ଦେଇଛି। ଭାରତ ମଧ୍ୟ ଉକ୍ତ ଅଞ୍ଚଳକୁ ନିଜର ଅଧିକ ସୈନ୍ୟ ଓ ଯୁଦ୍ଧାସ୍ତ୍ର ପଠାଇବା ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଏକାଧିକ ଥର ଆଲୋଚନା ଅନୁଷ୍ଠିତ ହୋଇଥିଲେ ମଧ୍ୟ ସେଥିରୁ ନିଷ୍କର୍ସ ବାହାରି ପାରିନାର୍ହି।
ନିକଟରେ ନେପାଳ ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସି ଦୁଇଦେଶ ମଧ୍ୟରେ ସମ୍ପର୍କକୁ ନିବିଡ କରିବା ସମ୍ପର୍କରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିବା ଏବଂ ଦ୍ୱିପାକ୍ଷିକ ରେଳ ପ୍ରକଳ୍ପ ଉଦ୍ଘାଟନ କରିବା, ଅନ୍ୟପକ୍ଷରେ ପାକିସ୍ତାନରେ ସରକାର ବଦଳିବା ଏବଂ ସେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ପ୍ରଥମ ଅଭିଭାଷଣରେ କାଶ୍ମୀର ପ୍ରସଙ୍ଗର ସମାଧାନ ବିଷୟ ଉଲ୍ଲେଖ କରିବା ପରେ ଚୀନ ପକ୍ଷରୁ ଭାରତ ସୀମାରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଘଟଣାକୁ ନେଇ ରାଜନୈତିକ, କୂଟନୈତିକ ଓ ସାମରିକ ମହଲ ସଜାଗ ହୋଇଉଠିଛନ୍ତି। ଏକ ବିଶ୍ୱସ୍ତ ସୂତ୍ର ଅନୁଯାୟୀ ପାକ୍ ସୀମାରେଖା ମଧ୍ୟରେ ଚୀନର ପ୍ରାୟ ୨ ଲକ୍ଷ ସୈନ୍ୟ ପାକିସ୍ତାନୀ ସେନାକୁ ସହାୟତା କରିବାକୁ ରହିଛନ୍ତି। ଚୀନ ମଧ୍ୟ ପାକିସ୍ତାନକୁ ଆଧୁନିକ ଲଢୁଆ ବିମାନ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଲାଗିଛି। ଚୀନ ଓ ପାକିସ୍ତାନ ଭାରତକୁ ଦୁଇପଟୁ ଏକ ସମୟରେ ଆକ୍ରମଣ କରିବା ସମ୍ଭାବନା ରହିଛି ବୋଲି ମଧ୍ୟ ଭାରତର ଅନେକ ସାମରିକ ବିଶାରଦ ମତ ଦେଇଛନ୍ତି।



