ବିପଦ ସଂକେତ ଉପରେ ଯମୁନା

ନୂଆଦିଲ୍ଲୀ: ଦେଶର ଉତ୍ତର ଭାଗରେ ବର୍ଷା ଓ ବନ୍ୟା ବିପତ୍ତି ଜାରି ରହିଛି। ଉତ୍ତରାଖଣ୍ଡର ପ୍ରାକୃତିକ ଦୁର୍ବିପାକ ପ୍ରବଣ ମୋରି ସବ୍ଡିଭିଜନ୍ର ଉତ୍ତରକାଶୀ ଜିଲ୍ଲାରେ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବା ବେଳେ ୫ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକମାନଙ୍କୁ ଠାବ କରିବା ପାଇଁ ଖୋଜାଖୋଜି ଚାଲିଛି। ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ପରେ ରାଜ୍ୟରେ ବର୍ଷା ଜନିତ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି ପାଇଛି। କୁଲୁ, ସିମ୍ଳା, ଚାମ୍ବା, ଶିରମଉର ଓ ସୋଲାନ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ରାଜ୍ୟର ୮୦୦ ସଡ଼କ ପଥକୁ ବନ୍ଦ ରଖାଯାଇଛି। ଅଚାନକ ବରଫପାତ ସାଙ୍ଗକୁ ମାଟି ଅତଡା ଖସିବାରୁ ଲାହୌଲ ସ୍ପିତିଠାରେ ଶହଶହ ସଂଖ୍ୟକ ଗାଡ଼ି ଅଟକି ରହିଛି।

ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି ଏବଂ ନିଗମବୋଧ ଘାଟର ପଶ୍ଚିମାଞ୍ଚଳ ପାଣିରେ ବୁଡ଼ିଯାଇଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି, ବିପଦ ସଂକେତ ସ୍ତର ୨୦୫ ଦଶମିକ୍ ୩/୩ ମିଟର ଥିଲାବେଳେ ବର୍ତ୍ତମାନ ଜଳସ୍ତର ୨୦୫ଦଶମିକ୍ ୩/୬ ମିଟର ରହିଛି। ତଳିଆ ଅଞ୍ଚଳରେ ରହୁଥିବା ୧୦ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି, ନଦୀକୁଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଅନେକ ଟିମ୍ ଗଠନ କରାଯାଇଛି।

Comments are closed.