ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ବୁଧବାର ପ୍ରକାଶିତ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଇଂଲଣ୍ଡର ଜୋ ରୁଟ୍ଙ୍କୁ ପଛରେ ପକାଇ ୱିଲିୟମସନ ଶୀର୍ଷକୁ ଉଠିଛନ୍ତି। ଆଇପିଏଲ-୨୦୨୩ରେ ଆହତ ହେବା ପରେ ୱିଲିୟମସନ ପଡିଆକୁ ଓହ୍ଲାଇନାହାନ୍ତି। କିନ୍ତୁ ସର୍ବଶେଷ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ୱିଲିୟମସନ ୮୮୩ ପଏଣ୍ଟ ପାଇ ୧ ନମ୍ବର ସ୍ଥାନରେ ରହିଛନ୍ତି। ୱିଲିୟମସନ ୬ଷ୍ଠ ଥର ଲାଗି ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ୨୦୧୫ ନଭେମ୍ବରରେ ପ୍ରଥମ ଥର ଓ ୨୦୨୧ ଅଗଷ୍ଟରେ ଶେଷ ଥର ପାଇଁ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ୍ ସ୍ମିଥ୍ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟରେ ସ୍ମିଥ୍ ପ୍ରଥମ ଇନିଂସରେ ୧୧୦ ଓ ଦ୍ବିତୀୟ ଇନିଂସରେ ୩୪ରନ କରିଥିଲେ। ସ୍ମିଥ୍ ୮୮୨ ପଏଣ୍ଟ ପାଇ ୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି।
ଅଷ୍ଟ୍ରେଲିଆର ମାର୍ନୁସ ଲାବୁସାନେ ଦ୍ବିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସି ଆସିଥିବାବେଳେ ଟ୍ରେଭିସ ହେଡ୍ ୪ର୍ଥ ସ୍ଥାନ ବଜାୟ ରଖିଛନ୍ତି। ଇଂଲଣ୍ଡର ଜୋ ରୁଟ୍ ଶୀର୍ଷରୁ ୫ମ ସ୍ଥାନକୁ ଖସି ଆସିଛନ୍ତି।ପାକିସ୍ତାନ ଅଧିନାୟକ ବାବର ଆଜାମ ୫ମ ସ୍ଥାନରୁ ୬ଷ୍ଠ ସ୍ଥାନକୁ ଖସି ଆସିଛନ୍ତି। ଅଷ୍ଟ୍ରେଲିଆର ଉସ୍ମାନ ଖାୱଜା ୭ମ, ନ୍ୟୁଜିଲାଣ୍ଡର ଡ୍ୟାରେଲ ମିଚେଲ ୮ମ, ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ ୯ମ ଓ ଭାରତର ୱିକେଟରକ୍ଷକ ଋଷଭ ପନ୍ତ୍ ୧୦ତମ ସ୍ଥାନରେ ରହିଛନ୍ତି। ପନ୍ତ୍ ସଡକ ଦୁର୍ଘଟଣାର ଶିକାର ହୋଇ ଗତ ଡିସେମ୍ବରରୁ କ୍ରିକେଟଠାରୁ ଦୂରରେ ରହିଛନ୍ତି। କିନ୍ତୁ ଏକମାତ୍ର ଭାରତୀୟ ଭାବେ ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷ ୧୦ ମଧ୍ୟରେ ରହିବାରେ ସଫଳ ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମା ୧୨ ଓ ବିରାଟ କୋହଲି ୧୪ତମ ସ୍ଥାନକୁ ଖସି ଆସିଛନ୍ତି। ଇଂଲଣ୍ଡର ବେନ୍ ଡୋକେଟ୍ ଜୀବନର ଶ୍ରେଷ୍ଠ ମାନ୍ୟତା ୧୮ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବେନ୍ ଷ୍ଟୋକ୍ସ ୯ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୩ତମ ସ୍ଥାନରେ ପହଞ୍ଚିଛନ୍ତି। ଷ୍ଟୋକ୍ସ ଚଳିତ ଆସେସ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ ୧୫୫ରନ ଓ ଡୋକେଟ ପ୍ରଥମ ଇନିଂସରେ ୯୮ ଓ ଦ୍ବିତୀୟ ଇନିଂସରେ ୮୩ରନ କରିଥିଲେ। ବୋଲିଂରେ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଅଶ୍ବିନ ୮୬୦ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଦୁଇଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ୩ୟ ସ୍ଥାନରେ ରହିଥିବାବେଳେ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଦୁଇଟି ସ୍ଥାନ ତଳକୁ ଖସି ୪ର୍ଥ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ଭାରତର ରବୀନ୍ଦ୍ର ଜାଡେଜା ୪୩୪ ପଏଣ୍ଟ ସହ ଶୀର୍ଷ ଓ ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ଶୀର୍ଷରେ ୱିଲିୟମସନ, ଅଶ୍ବିନ ୧ ନଂ ବୋଲର ରହିଲେ
Popular Categories



