ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ହିଟ୍ମ୍ୟାନ ଭାବେ ପରିଚିତ ପୂର୍ବତନ ଅଧିନାୟକ ରୋହିତ ଶର୍ମା ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ରୋହିତ ଜୀବନରେ ପ୍ରଥମ ଥର ପାଇଁ ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ଛୁଇଁଛନ୍ତି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ରୋହିତ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୨୦୨ରନ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ରୋହିତ ୭୮୧ ରେଟିଂ ପଏଣ୍ଟ ସହ ଦୁଇଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩ରୁ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି। ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାରେ ରୋହିତ ପଞ୍ଚମ ଭାରତୀୟ ଭାବେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।ଏହା ପୂର୍ବରୁ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି, ଶୁଭମନ ଗିଲ୍ ଓ ବିରାଟ କୋହଲି ଶୀର୍ଷ ସ୍ଥାନ ହାସଲ କରିଥିଲେ। ଦିନିକିଆ ଅଧିନାୟକ ପଦରୁ ହଟିବା ପରେ ରୋହିତ ପ୍ରଥମ ଶୃଙ୍ଖଳାରେ ଦମ୍ଦାର ପ୍ରଦର୍ଶନ କରି ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ରୋହିତ ବିଶ୍ବର ବୟୋଜ୍ୟେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ୩୮ ବର୍ଷ ୧୮୨ ଦିନରେ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି।
ସେହିପରି ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଶୀର୍ଷରୁ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ଗିଲ୍ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୪୩ରନ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ଗିଲ୍ ଶୀର୍ଷ ସ୍ଥାନ ହରାଇଛନ୍ତି। ଆଫଗାନିସ୍ତାନର ଇବ୍ରାହିମ ଜର୍ଡାନ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପାକିସ୍ତାନର ବାବର ଆଜାମ ଚତୁର୍ଥ, ନ୍ୟୁଜିଲାଣ୍ଡର ଡାରେଲ ମିଚେଲ ପଞ୍ଚମ ସ୍ଥାନରେ ରହିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ପଞ୍ଚମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି। ବିରାଟ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ମାତ୍ର ୭୪ରନ କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ମାନ୍ୟତାର ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି। ଶ୍ରେୟସ ଆୟର ୧୦ରୁ ୯ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ୱେଷ୍ଟଇଣ୍ଡିଜ୍ର ସାଇ ହୋପ୍ ୧୦ତମ ସ୍ଥାନକୁ ଖସି ଆସିଛନ୍ତି। ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲ ୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୩୧ତମ ସ୍ଥାନରେ ରହିଛନ୍ତି। ସେହିପରି ଅଲରାଉଣ୍ଡର ମାନ୍ୟତାରେ ଅକ୍ଷର ୪ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୮ତମ ସ୍ଥାନରେ ରହିଛନ୍ତି।



