ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍ ପ୍ରକଳ୍ପ ନବୀକରଣ ପାଇଁ ଡିପିଆର ପ୍ରସ୍ତୁତି ଓ ଦାଖଲ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ବୁର୍ଲାସ୍ଥିତ ମହାନଦୀ ବେସିନ ମ୍ୟାନେଜର ତଥା ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି। ପୂର୍ବରୁ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂକଳ୍ପ ଜାରି କରିଥିଲେ। ଏହି ପ୍ରକଳ୍ପ ଆଗାମୀ ୪ବର୍ଷରେ ଶେଷ ହେବ ଏବଂ ଏଥିପାଇଁ ୮୫୫ କୋଟି ଟଙ୍କା ବିନିଯୋଗ ହେବ। ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ, ହୀରାକୁଦ ସେଚାଞ୍ଚଳ ଏପର୍ଯ୍ୟନ୍ତ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲାର ଚାଷୀଙ୍କୁ ଖରିଫ ଓ ରବି ଜଳସେଚନ ଯୋଗାଇଦେବା ସହିତ ସେମାନଙ୍କ ସାମାଜିକ ତଥା ଆର୍ଥିକ ଉନ୍ନତିରେ ସହାୟତା କରିଆସୁଛି । ହୀରାକୁଦ ସେଚାଞ୍ଚଳର ଡିଷ୍ଟ୍ରିବ୍ୟୁଟାରୀ, ମାଇନର, ସବ୍ମାଇନରରୁ ବାହାରିଥିବା ବହୁ ଜଳପଥ ବର୍ତ୍ତମାନ ଜରାଜୀର୍ଣ୍ଣ ଓ ଅଚଳ ହୋଇଯାଇଥିବାରୁ ସେସବୁର ଜଳଧାରଣ କ୍ଷମତା କମିଛି।
ଏଥିପାଇଁ କେନାଲରେ ସୁଷମ ଜଳବଣ୍ଟନ ହୋଇପାରୁ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ହୀରାକୁଦ ଡ୍ୟାମ୍ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନାକୁ ଆଗାମୀ ୪ବର୍ଷ (୨୦୨୪- ୨୫ରୁ ୨୦୨୭-୨୮) ମଧ୍ୟରେ କାର୍ଯ୍ୟକାରୀ ନିମନ୍ତେ ସ୍ଥିର ହୋଇଛି। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଜଳପଥଗୁଡ଼ିକୁ ମାଇନର ଓ ସବ୍ ମାଇନର ଭାବେ ପୁନଃ ନାମିତ କରାଯିବା ସହିତ ମାଟିରେ ନିର୍ମିତ ଜଳପଥଗୁଡ଼ିକରେ ସିମେଣ୍ଟ କଂକ୍ରିଟ ଲାଇନିଂ କରି ଜଳପରିଚାଳନାର ସ୍ଥିରତା ସୁନିଶ୍ଚିତ କରିବା । ଏହାଦ୍ୱାରା କେନାଲ ଜଳସେଚନ କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ ବଣ୍ଟନ ବ୍ୟବସ୍ଥାରେ ଜଳର କ୍ଷତିକୁ ହ୍ରାସ କରି ତଳମୁଣ୍ଡରେ ଜଳ ପହଞ୍ଚାଇବା ସମ୍ଭବ ହେବ।
ଜଳସେଚନ ଅଞ୍ଚଳ କରାଯିବା ସହିତ କେନାଲ ସିପେଜ ହେତୁ ଅନୁପଯୁକ୍ତ ହେଉଥିବା ଜଳମଗ୍ନ କୃଷି ଜମିକୁ ପୁନରୁଦ୍ଧାର କରାଯାଇପାରିବ । ଦକ୍ଷିଣ ଏବଂ ବାମ ସ୍ପିଲୱେ ଫାଉଣ୍ଡେସନ ଗ୍ୟାଲେରିର ମରାମତି ଓ ନବୀକରଣ ସହିତ ଦକ୍ଷିଣ ସୀମା ଏବଂ ଏହାର ସଂଲଗ୍ନ ହୀରାକୁଦ ଡ୍ୟାମ୍ର ଛୋଟ କୁଦର ପୁନଃସଂଯୋଜନ କରାଯିବା ଲକ୍ଷ୍ୟ ରହିଛି। ଏହି ଯୋଜନା ରାଜ୍ୟ ସରକାରଙ୍କ ନିଜସ୍ଵ ସମ୍ବଳରୁ ଜଳସମ୍ପଦ ବିଭାଗ ଯୋଜନା ପାଣ୍ଠି ମାଧ୍ୟମରେ ଖର୍ଚ୍ଚ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।



