ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୦୩.୨୫ ଫୁଟ ଥିବାବେଳେ ଶନିବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୦୮.୦୬ ଫୁଟ ରହିଥିଲା। ଏହି ପରିପ୍ରେକ୍ଷୀରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ରବିବାର ନଦୀବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ୨୪ ଘଣ୍ଟାରେ ଅତି କମ୍ରେ ୬ଟି ଫାଟକ ଖୋଲାଯିବ ବୋଲି କୁହାଯାଇଛି। ଯଦି ଆବଶ୍ୟକ ପଡେ ଅଧିକ ଫାଟକ ଖୋଲାଯିବ ବୋଲି ମୁଖ୍ୟବନ୍ଧ ମୁଖ୍ୟଯନ୍ତ୍ରୀ ସୁଶୀଲ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଯେ, ହୀରାକୁଦ ଜଳଭଣ୍ଡାରର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି। ହୀରାକୁଦ ନଦୀବନ୍ଧର ରୁଲ୍ ଅଫ କର୍ଭ-୧୯୮୮ ଅନୁସାରେ ଜୁଲାଇ ପ୍ରଥମ ସପ୍ତାହରେ ନଦୀବନ୍ଧର ଜଳସ୍ତର ୬୦୦ ଫୁଟ ତଳକୁ ରଖିବା ଆବଶ୍ୟକ। ତେବେ ପରିବର୍ତ୍ତିତ ପରିସ୍ଥିତିରେ ନଦୀବନ୍ଧର ଜଳଧାରଣ କ୍ଷମତା ହ୍ରାସ ପାଇଥିବାରୁ ୬୦୫ଫୁଟ ଜଳସ୍ତର ବଜାୟ ରଖାଯିବ ବୋଲି ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ କ୍ରମାଗତ ଭାବେ ଜଳସ୍ତର ବଢ଼ୁଥିବାରୁ ତତ୍କାଳୀନ ସ୍ଥିତିକୁ ଦେଖି ଫାଟକ ଖୋଲାଯିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।
ଛତିଶଗଡ଼ରେ କ୍ରମାଗତ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଉପରେ ଥିବା କଲ୍ମା ଆନିକଟର ସମସ୍ତ ଫାଟକ ଖୋଲି ଦିଆଯାଇଛି। ଫଳରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧,୨୨,୮୫୨ ଘନଫୁଟ (କ୍ୟୁସେକ୍) ଜଳ ପ୍ରବେଶ କରୁଥିବାବେଳେ ପାୱାର ଚେନାଲ ଓ ବିଭିନ୍ନ କେନାଲ ଦେଇ ୩୭,୭୯୩ ଘନଫୁଟ ଜଳ ନିଷ୍କାସିତ ହେଉଥିଲା।
ଅପରପକ୍ଷେ ନଦୀବନ୍ଧରୁ ଫାଟକ ଖୋଲାଯିବାକୁ ନେଇ ତଳମୁଣ୍ଡରେ ଥିବା ୧୩ଟି ଜିଲାର ଜିଲାପାଳଙ୍କୁ ବାର୍ତ୍ତା ପଠାଯାଇଛି। ଅନୁରୂପ ଭାବେ ଆଜି ସମ୍ବଲପୁର ସହରାଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଜଳଭଣ୍ଡାରର ଫାଟକ ଖୋଲିବା ନେଇ ପ୍ରଚାର ଓ ଜନସଚେତନତା କରାଯାଉଛି। ରବିବାର ସକାଳୁ କେହି ମଧ୍ୟ ନଦୀଗର୍ଭକୁ ନ ଯିବା ପାଇଁ ଲୋକଙ୍କୁ ସତର୍କ କରାଯାଉଛି।
ଆଜି ଖୋଲିବ ହୀରାକୁଦ ଫାଟକ
Popular Categories



