ଅଧୁରା ରହିଗଲା ସ୍ବପ୍ନ, ହେଲିକପ୍ଟର ପଙ୍ଖା ଭାଙ୍ଗି ନିର୍ମାତା ମୃତ

ମୁମ୍ବଇ: ମହାରାଷ୍ଟ୍ରର ଜାବତମାଲ ସହରରେ ରହୁଥିବା ଶେଖ୍‌ ଇସ୍‌ମାଇଲଙ୍କ ଇଚ୍ଛଥିଲା ପ୍ରତି ଭାରତୀୟଙ୍କ ଗ୍ୟାରେଜରେ କାର୍‌ ବଦଳରେ ହେଲିକପ୍ଟର ରହୁୁ। ଏହାକୁ ଦୃଷ୍ଟିରେ ରଖି ସେ ଏକ ହେଲିକପ୍ଟର ନିର୍ମାଣ କରିଥିଲେ। ଏହାର ନାମ ରଖିଥିଲେ ‘ମୁନ୍ନା ହେଲିକପ୍ଟର’। ଦୁଇଦିନ ପରେ ସ୍ବାଧୀନତା ଦିବସ ଅବସରରେ ସେ ଏହାକୁ ନିଜ ଗାଁରେ ଉଡ଼ାଇଥା’ନ୍ତେ। ତେବେ ଭାଗ୍ୟ ତାଙ୍କ ଉପରେ ଦାଉ ସାଧିଲା। ଗୁରୁବାର ସେ ନିର୍ମାଣ କରିଥିବା ହେଲିକପ୍ଟରକୁ ପରୀକ୍ଷାମୂଳକ ଭାବେ ଉଡ଼ାଣ କରିଥିଲେ। ଉଡ଼ାଣ ଆରମ୍ଭ ବେଳେ ପଛପଟରେ ଲାଗିଥିବା ପଙ୍ଖା ସହ ଉପରେ ଥିବା ହେଲିକପ୍ଟର ରୋଟରର ଏକ ପଙ୍ଖା ସହ ଏହା ଧକ୍କା ଖାଇଥିଲା। ଫଳରେ ଏହି ଲମ୍ବା ପଙ୍ଖାର ଏକ ଅଂଶ କ୍ୟାବିନ୍‌ ଭିତରକୁ ପଶି ଇସ୍‌ମାଇଲଙ୍କ ବେକ କଟିଯାଇଥିଲା। ଘଟଣାସ୍ଥଳରେ ଇସ୍‌ମାଇଲଙ୍କ ମୃତ୍ୟୁ ଘଟିଥିଲା।

prayash

ମାତ୍ର ୮ମ ଶ୍ରେଣୀ ପାସ୍‌ କରିଥିଲେ ୨୪ ବର୍ଷୀୟ ଇସ୍‌ମାଇଲ ଉର୍ଫ ମୁନ୍ନା। ଏକ ଗ୍ୟରେଜର ମେକାନିକ୍‌ ଭାବେ କାର୍ଯ୍ୟ କରୁଥିଲେ। ଯେତେବେଳେ ଟିକେ ଫାଙ୍କା ସମୟ ମିଳୁଥିଲା ସେ ହେଲିକପ୍ଟର ନିର୍ମାଣରେ ଲାଗି ଯାଆନ୍ତି। ସେ ଚାହୁଁଥିଲେ ଭାରତୀୟଙ୍କ ଘରର ଅଗଣାରେ ହେଲିକପ୍ଟର ରହୁ। ତାଙ୍କର ସଫଳତା ବିଷୟ ଦେଶବାସୀ ଜାଣିବା ପୂର୍ବରୁ ପରିବାରରେ ଶୋକର ଛାୟା ଖେଳି ଯାଇଥିଲା। ପରିବାର ଲୋକଙ୍କ କହିବାନୁଯାୟୀ, ମୁନ୍ନା ଏହା ପୂର୍ବରୁ ଆଲମାରୀ ଓ କୁଲର ନିଜ ଘର ପାଇଁ ନିର୍ମାଣ କରିଥିଲେ।

ପାଇଲଟ୍‌ ହେବା ପାଇଁ ତାଙ୍କ ସ୍ବପ୍ନ ଥିଲା। ତେବେ ପରିବାରର ଆର୍ଥିକ ସ୍ଥିତି ଖରାପ ହେତୁ ୮ମ ଶ୍ରେଣୀରୁ ପାଠ ପଢା ଛାଡ଼ି ଗ୍ୟାରେଜରେ ମେକାନିକ୍‌ ଭାବେ କାର୍ଯ୍ୟ କରୁଥିଲେ। ତେବେ ସେ ଆଶା ଛାଡ଼ି ନଥିଲେ। ହେଲିକପ୍ଟର ନିର୍ମାଣ କରି ଦେଶବାସୀଙ୍କୁ ଶସ୍ତାରେ ଦେବା ପାଇଁ ମନସ୍ଥ କରିଥିଲେ। ତାଙ୍କ ସମ୍ପର୍କୀୟଙ୍କ ଏକ ଲୁହା ଝଳେଇ ଦୋକାନ ମୁନ୍ନାଙ୍କ ହେଲିକପ୍ଟର ତିଆରିର ପରୀକ୍ଷାଗାର ଥିଲା। ଲୁହାଝଳେଇ (ଫେବ୍ରିକେସନ୍‌) କାମରୁ ଟିକେ ଫୁରସତ୍‌ ମିଳିଲେ ସେ ହେଲିକପ୍ଟର ନିର୍ମାଣରେ ଲାଗି ପଡ଼ୁଥିଲେ। ତାଙ୍କ ହେଲିକପ୍ଟର ଦେଖିବା ପାଇଁ ବେଙ୍ଗାଲୁରୁରୁ ଏକ ଇଞ୍ଜିନିୟର (ଯନ୍ତ୍ରୀ) ଦଳ ଆସିଥା’ନ୍ତେ ବୋଲି ମୁନ୍ନାଙ୍କ କକା ସିରାଜୁଦ୍ଦିନ କହନ୍ତି। ଗତ ଦୁଇ ବର୍ଷ ହେଲା ସେ ଗୋଟିଏ ଆସନ ବିଶିଷ୍ଟ ହେଲିକପ୍ଟର ନିର୍ମାଣ କରି ଆସୁଥିଲେ। ଏଥିରେ ସଫଳ ହୋଇଥିଲେ ସେ ୬ ଆସନ ବିଶିଷ୍ଟ ହେଲିକ୍ପଟର ନିର୍ମାଣ କରିଥା’ନ୍ତେ। ଏଥିପାଇଁ ସେ ବିଭିନ୍ନ ସୂତ୍ରରୁ ୩୦ ଲକ୍ଷ ଟଙ୍କା ଉଧାର ଓ କରଜ ଆଣିଥା’ନ୍ତେ। ତାଙ୍କର ନବସୃଜନର ଏହି ସ୍ବପ୍ନ କେବଳ ଭାଙ୍ଗି ଗଲାନି; ହେଲିକପ୍ଟର ପରୀକ୍ଷଣ ଦୁର୍ଘଟଣାରେ ସେ ମଧ୍ୟ ଦୁନିଆରୁ ଚାଲିଗଲେ।

kalyan agarbati

Comments are closed.