ହାବିଲଦାରଙ୍କ ନାମରେ ଦ୍ବିତୀୟ ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର: ଦ୍ବିତୀୟ ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ କମିସନରେଟ ପୁଲିସର ଜଣେ ହାବିଲଦାର ଗିରଫ ହୋଇଛନ୍ତି। ହାବିଲଦାରଙ୍କୁ ମହିଳା ଥାନା ପୁଲିସ ଗୁରୁବାର ପତ୍ନୀ ନିର୍ଯାତନା ଅଭିଯୋଗରେ ପଚରାଉଚରା କରିବା ପରେ ଧର୍ତ୍ତବ୍ୟ ଅପରାଧ ଆଇନର ଧାରା ୪୧ରେ ଛାଡିଥିବା ଜଣାଯାଇଛି। ଗିରଫ ହାବିଲଦାର ସଦାଶିବ ସ୍ବାଇଁ। ସେ ଧଉଳି ଥାନାର କର୍ମଚାରୀ। ତାଙ୍କ ଘର ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ବେରବୋଇ।
ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ହାବିଲଦାର ସଦାଶିବ କାର୍ଯ୍ୟରତ ଥିବା ସମୟରେ ତାଳବଣିଆରେ ରହୁଥିବା ଜଣେ ବିବାହିତାଙ୍କ ସହିତ ତାଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ମହିଳାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ସଦାଶିବଙ୍କର ଗାଁରେ ସ୍ତ୍ରୀ, ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତଥାପି ସଦାଶିବ ୨୦୨୦ ଡିସେମ୍ବର ୧୫ରେ ଉକ୍ତ ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ନୋଟାରି ପାଖରେ ବିବାହ ଚୁକ୍ତି ନିଦର୍ଶନପତ୍ର ପ୍ରସ୍ତୁତ କରି ସ୍ବାମୀ ସ୍ତ୍ରୀ ଭାବେ ଏକାଠି ରହୁଥିଲେ।

prayash

ଗତବର୍ଷ ମେ’ ୧୭ରେ ସଦାଶିବ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ମୁହଁରେ ତକିଆ ପକାଇ ମାରିଦେବାକୁ ଉଦ୍ୟମ କରିଥିଲେ। ଏନେଇ ଦ୍ବିତୀୟ ପତ୍ନୀ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ଶ୍ରୀଲିଙ୍ଗରାଜ ଥାନା ପୁଲିସ ମହିଳାଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁକରି ତଦନ୍ତ କରିଥିଲା। ହେଲେ ସେତେବେଳେ ଅଭିଯୁକ୍ତ ହାବିଲଦାର ସଦାଶିବ କରୋନା ଆକ୍ରାନ୍ତ ହୋଇ ଗାଁରେ ସଙ୍ଗରୋଧରେ ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ଅନ୍ୟପକ୍ଷରେ ସଦାଶିବଙ୍କ ମୋଟର ସାଇକଲ ଧଉଳି ଥାନାରେ ରହିଥିବା ଜାଣି ଦ୍ବିତୀୟ ପତ୍ନୀ ଥାନାରେ ପହଞ୍ଚି ଗାଡ଼ିକୁ ଥାନାରୁ ନେଇ ଯାଇଥିଲେ। ସେବେଠାରୁ ଦୁହେଁ ଅଲଗା ରହୁଥିଲେ।

ଦ୍ବିତୀୟ ସ୍ତ୍ରୀ ଗତ ବୁଧବାର ମହିଳା ଥାନାରେ ଏତଲା ଦେଇଥିଲେ। ମହିଳା ଥାନା ପୁଲିସ ଏହି ଅଭିଯୋଗ ଉପରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ହାବିଲଦାରଙ୍କୁ ଉଠାଇ ନେଇଥିଲା। ପ୍ରଥମ ସ୍ତ୍ରୀ ଓ ପିଲାଛୁଆ ଥିବା ସତ୍ତ୍ବେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ଏବଂ ପ୍ରଥମ ସ୍ତ୍ରୀଙ୍କୁ ଅବହେଳା କରିବା ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଥିଲା। ପରେ ପୁଲିସ ଅଭିଯୁକ୍ତ ହାବିଲଦାରଙ୍କୁ ଡାକ୍ତରୀ ମାଇନା ପରେ ଧର୍ତ୍ତବ୍ୟ ଅପରାଧ ଆଇନର ଧାରା ୪୧ରେ ନୋଟିସ ଦେଇ ଛାଡ଼ିଥିବା ଜଣାପଡ଼ିଛି। ଦ୍ବିତୀୟ ସ୍ତ୍ରୀ ଭରଣପୋଷଣ ବାବଦକୁ ହାବିଲଦାରଙ୍କଠାରୁ ଅର୍ଥ ଦାବି କରୁଥିବା ଥାନା ନିରୀକ୍ଷକ ସନ୍ତୋଷିନୀ ବେହେରା କହିଛନ୍ତି।

kalyan agarbati

Comments are closed.