ହରଭଙ୍ଗା: ଖରଭୁଇଁ ପଥର ଖାଦାନାରୁ ବେଆଇନ ପଥର ଉତ୍ତୋଳନକୁ ନେଇ ସହସିଲଦାରଙ୍କ କଠୋର କାର୍ୟ୍ୟାନୁଷ୍ଠାନ । ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ପକ୍ଷରୁ ଛତ୍ରଙ୍ଗ ପଂଚାୟତର ଖରଭୁଇଁ ଅଂଚଳରେ ଚଢ଼ାଉ ହୋଇଛି । ତିନୋଟି ଲିଜଧାରୀ ପଥର ଖାଦାନାରୁ ୮ଲକ୍ଷ ୬୬ହଜାର ୬୪୬ ଘନମିଟର ବେନିୟମ ପଥର ଉତୋଳନ କରିଥିବା ଦର୍ଶାଯାଇଛି । ତହସିଲପକ୍ଷରୁ ୧୫କୋଟି ୪୬ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ରୟାଲିଟି ସାଙ୍ଗକୁ ୫ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ପଇଠ ପାଇଁ ସମ୍ପୃକ୍ତ କୁଆଁରୀ ମାଲ୍ଲିକଙ୍କୁ ତହସିଲଦାର ନୋଟିସ ପଠାଇଛନ୍ତି । ୧୫ଦିନ ମଧ୍ୟରେ ରୟାଲିଟି ସାଙ୍ଗକୁ ଜୋରିମାନା ଟଙ୍କା ପଇଠ ନକଲେ ନିୟମନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ନୋଟିସରେ ସଫା ସଫା ଦର୍ଶାଯାଇଛି । ତହସିଲଦାରଙ୍କ ଏଭଳି କଠୋର କାର୍ୟ୍ୟାନୁଷ୍ଠାନ ଲଘୁ ଖଣିଜ ଦ୍ରବ୍ୟ ଲୁଟେରାଙ୍କ ମଧ୍ୟରେ ଆତଙ୍କ ସହିତ କୋକୁଆଭୟ ସୃଷ୍ଟି କରିଛି । ବହୁ ବିଳମ୍ବରେ ଜିଲ୍ଲାରେ ପ୍ରଥମଥର ପାଇଁ ହରଭଙ୍ଗା ତହସିଲ ପ୍ରଶାସନର ଏଭଳି କାର୍ୟ୍ୟାନୁଷ୍ଠାନ ଜିଲ୍ଲାର ଅନ୍ୟ ତହସିଲ ପାଇଁ ପ୍ରେରଣା ଯୋଗାଇଛି । ହରଭଙ୍ଗା ତହସିଲର ଖରଭୁଇଁ ଅଂଚଳରେ ଦୀର୍ଘ ୧୪ବର୍ଷ ତଳେ ଏ.ଆର.ଏସ.ଏସ କମ୍ପାନୀକୁ ପ୍ରଥମେ (ଖରଭୁଇଁ -୧ )ପଥର ଖାଦାନା ଲିଜ ପ୍ରଦାନ କରାଯାଇଥିଲା। ଉକ୍ତ କମ୍ପାନୀ ସେଠାରୁ ପଥର ଉତୋଳନ ସାଙ୍ଗକୁ ଏକ ପଥର କ୍ରସର ଶିଳ୍ପ ପ୍ରତିଷ୍ଠା କରି ମାଇନର ମିନେରାଲସ ନାଁରେ ଦୀର୍ଘ ବର୍ଷ ଧରି ବେନିୟମଭାବେ ମେଜର ମିନେରାଲ ଲୁଟ୍ କରି ବାର୍ଷୀକ କୋଟି କୋଟି ଟଙ୍କା ରାଜସ୍ୱ ଫାଙ୍କି ଚାଲିଥିଲା ।
ପରବର୍ତ୍ତୀ ସମୟରେ ସେହି ଅଂଚଳରେ (ଖରଭୁଇଁ-୨ ଏବଂ ୦୩) ଭଳି ଆଉ ଦୁଇଟି ପଥର ଖଦାନକୁ ଲିଜ ପ୍ରଦାନ ଯୋଗୁଁ ଆଉ ଦୁଇଟି ପଥର କ୍ରସର ଶିଳ୍ପ ଗଢିଉଠିଥିଲା । ଖଣି ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ଲିଜଧାରୀ ଧାର୍ୟ୍ୟ ଲିଜ ପରିମାଣଠାରୁ ଅଧିକ ପରିମାଣରେ ବେନିୟମଭାବେ ପଥର ଉତୋଳନ ଯୋଗୁଁ କୋଟି କୋଟି ଟଙ୍କା ରାଜସ୍ୱ ହାନୀ ଘଟୁଥିଲା । ଏହା ସହିତ ଏଭଳି ବିନାଶକାରୀ ଶିଳ୍ପପାଇଁ ପ୍ରତିଦିନ ବେଆଈନ ପଥର ବିସ୍ଫୋରଣ ଯୋଗୁଁ ଗ୍ରାମବାସୀ ପ୍ରତିଦିନ ମୃଦୁ ଭୁକମ୍ପ ଅନୁଭବ କରିବା ସାଙ୍ଗକୁ ପଥର ଗୁଣ୍ଡରେ ଉର୍ବର ଚାଷ ଜମି ସବୁ ନଷ୍ଟ ହେଉଥିଲା।ଏହା ସହିତ ଶଦ୍ଦ ,ଧୁଳିକଣା ପ୍ରଦୂଷଣରେ ସାଧାରଣ ଜନତା ପିଈବା ପାଣି ସମସ୍ୟା,କିଡନୀ ରୋଗ ବୃଦ୍ଧି,ଗର୍ଭବତୀ ମୃତ୍ୟୁହାର ବୃଦ୍ଧି ଏବଂ ଶିଶୁ ବିକଳାଙ୍ଗ ବୃଦ୍ଧି ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ।ଗତ ଜୁନ୍ ମାସରେ ଖରଭୁଇଁ ଅଂଚଳରୁ ପଥର ଖାଦାନ ଏବଂ କ୍ରସର ଭଳି ବିନାଶକାରୀ ଶିଳ୍ପ ସମ୍ପୁର୍ଣ୍ଣ ଉଛେଦପାଇଁ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିଲା।ଶେଷରେ ଗାଁ ଲୋକଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ବୌଦ୍ଧ ଜିଲ୍ଲାପାଳ ଖରଭୁଇଁ ଅଂଚଳରୁ ପଥର କ୍ରସର ଶିଳ୍ପ ସମ୍ପୁର୍ଣ୍ଣ ଉଛେଦ ପାଇଁ ଗତ ୨୫ ସେପ୍ଟେମ୍ବରରେ ଏକ ଐତିହାସିକ ନିଷ୍ପତି ଶୁଣାଇବା ପରେ ପଥର ଶିଳ୍ପ ବ୍ୟବସାୟୀଙ୍କୁ ଏକ ବଡ ଝଟକା ଲାଗିଥିଲା। ଗାଁ ଲୋକଙ୍କ ପ୍ରୟାସରେ ପଥରଖାଦାନଗୁଡିକରୁ କେତେପରିମାଣର ଖଣି ଲୁଟ ହୋଇଥିବା ଏକ ସଂସ୍ଥାଦ୍ୱାରା ବେସରକାରୀ ଆକଳନ ପରେ ପ୍ରଶାସନ ଉପରେ ଚାପ ସୃଷ୍ଟି ହୋଇଥିଲା।
ଏହାକୁ ଦୃଷ୍ଟିରେ ରଖି ହରଭଙ୍ଗା ତହସିଲ ପ୍ରଶାସନ ପକ୍ଷରୁ କ୍ଷେତ୍ର କର୍ମଚାରୀ ଏବଂ ଏକ ଯୁଗ୍ମ ତଦନ୍ତ ଟିମ ଗଠନ କରାଯାଇ ପଥର ଖାଦାନ ଗୁଡିକରୁ ବେନିୟମ ପଥର ଲୁଟ୍ ଆକଳନ କରାଯାଇ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ସୂଚନା ଅନୁସାରେ ମାମଲା ସଂଖ୍ୟା-୧୮/୨୦୨୧ ପ୍ରୋସେସ ନମ୍ବର ୧୮୯,୧୯୦ ଏବଂ ୧୯୧/୦୨.୧୨.୨୧ ନୋଟିସ ଅନୁସାରେ ଖରଭୁଇଁ -୧ ପଥରଖାଦାନାରୁ ୬ଲକ୍ଷ ୭୯ ହଜାର ୯୬୫ ଘନମିଟର,ଖରଭୁଇଁ-୨ ପଥର ଖାଦାନରୁ-୮୭ହଜାର୮୪୪ ଘନ ମିଟର ଏବଂ ଖରଭୁଇଁ -୦୩ରୁ ୯୮ହଜାର୮୩୭ ଘନ ମିଟର ବେନିୟମ ପଥର ଉତୋଳନ ହୋଇଥିବା ଦର୍ଶାଯାଇଛି। ଏହା ବାବଦକୁ ଖରଭୁଇଁ-୧ ଖାଦାନ ପାଇଁ ୧୦କୋଟି୩୯ଲକ୍ଷ ୨୨ହଜାର ୬୭୬ ଟଙ୍କା,ଖରଭୁଇଁ -୨ ଖାଦାନକୁ ୧କୋଟି ୩୩ଲକ୍ଷ ୬୧ହଜାର୭୨ ଟଙ୍କା ଏବଂ ଖରଭୁଇଁ -୦୩ ଖାଦାନକୁ ୩କୋଟି ୮୩ଲକ୍ଷ ୨୭ହଜାର୮୨୧ଟଙ୍କା ରୟାଲଟି ସହ ଜୋରିମାନା ପଇଠ ପାଇଁ ନୋଟିସ କରାଯାଇଛି।ଏ ସର୍ମ୍ପକରେ ହରଭଙ୍ଗା ତହସିଲଦାର ଶମ୍ଭୁଭୂଷଣ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ତହସିଲ ପକ୍ଷରୁ ଅତିରିକ୍ତ ତହସିଲଦାରଙ୍କ ଅଧ୍ୟକ୍ଷତାରେ ତହସିଲସୁପରଫାଇଜର,ଆର.ଆଇଙ୍କୁ ନେଇ ଏକ ଯୁଗ୍ମ ତଦାରଖ ଟିମ ଗଠନ କରାଯାଇ ସଂପୃକ୍ତ ପଥର ଖାଦାନଗୁଡିକରୁ ବେନିୟମ ପଥର ଉତୋଳନ ମାପଚୁପ କରାଯାଇଥିଲା।ଅନ୍ୟପଟେ ଅତିରିକ୍ତ ତହସିଲଦାରଙ୍କ ଅଧ୍ୟକ୍ଷତାରେ ନାଜିର,ବରିଷ୍ଠ କିରାଣୀ,ଡିଲିଙ୍ଗ ଆସିଷ୍ଟାଂଟକୁ ନେଇ ଏକ ଅଡିଟ ଟିମ କରାଯାଇ ବେନିୟମଭାବେ ୧୫କୋଟିରୁ ଉଦ୍ଧ୍ୱର୍ ପଥର ଉତୋଳନର ରୟାଲଟି ଆକଳନ କରାଯିବା ସହ ତିନି କୁଆଁରୀ ମାଲ୍ଲିକଙ୍କୁ ସର୍ବାଧିକ ୫ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ପାଇଁ ନୋଟିସ ପ୍ରଦାନ କରାଯାଇଥିବା ସୂଚନା ଦେଇଥିଲେ ।



