ହରଭଙ୍ଗା: ହରଭଙ୍ଗା ବ୍ଲକରେ ପଂଚାୟତ ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ । ଆସନ୍ତା ୨୦ରେ ମତଦାନ ହେବାକୁ ଥିବାବେଳେ ଭୋଟରଙ୍କ ଗୁମ୍ ସୁମ୍ ପ୍ରାର୍ଥୀଙ୍କୁ ଅଡୁଆରେ ପକାଇଛି । ବିଜୟ ,ପରାଜୟକୁ ନେଇ ସବୁଠି ଅଙ୍କକଷା ଚାଲିଛି । ମାତ୍ର କିଏ ଜିତିବ କିଏ ହାରିବ ଏ ବିଷୟରେ ସ୍ପଷ୍ଟ ଚିତ୍ର ଏଯାବତ୍ ମିଳୁନଥିବାରୁ ପ୍ରାର୍ଥୀ, କର୍ମୀଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇଛି । ଅନ୍ୟପଟେ ସବୁଠି ପରିବର୍ତନର ଆଭାସ ମଧ୍ୟ ମିଳୁଛି । ୧୧ଟି ରାଜସ୍ୱ ଗ୍ରାମର ୧୭ଟି ଓାର୍ଡକୁ ନେଇ ପୁରୁଣାକଟକ ପଂଚାୟତ ଗଠିତ । ଏହି ପଂଚାୟତରେ ୧୫୪୦ ପରିବାରରେ ୬ହଜାର୨୩୭ ଜନସଂଖ୍ୟା ରହିଛି । ସେଥିରୁ ଅନୁସୂଚିତ ଜାତି ବର୍ଗର -୧୭୧୭,ଜନସୂଚିତଜନଜାତି ବର୍ଗର-୫୪୦ ଏବଂ ଅନ୍ୟାନ୍ୟ ବର୍ଗର୪୧୧୫ ରହିଛି । ଏହି ପଂଚାୟତରେ ଭୋଟର ସଂଖ୍ୟା-୪୫୭୫ ରହିଛି । ଏହି ପଂଚାୟତର ସରପଂଚ ଆସନ ଅନୁସୂଚିତଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ସରପଂଚ ଆସନ ପାଇଁ ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ ଏବଂ ପୂର୍ବତନ ସମିତି ସଭ୍ୟ ଅଶୋକ ସେଠୀ ଭଳି ଦୁଇ ଜଣ ଅଭିଜ୍ଞ ରାଜନୈତିକ ପ୍ରାର୍ଥୀ ସରପଂଚ ଆସନ ପାଇଁ ନିର୍ବାଚନକୁ ଓହ୍ଲେଇଥିବାରୁ ଏଠି ଜୋରଦାର ଲଢେଇ ହେବ ବୋଲି ଭୋଟରଙ୍କ ମୁହଁରୁ ଶୁଣିବାକୁ ମିଳୁଛି ।
ବ୍ଲକ ହାତପାହାନ୍ତାରେ ବଜାର ଉପକଣ୍ଠରେ ଥିବା ପୁରୁଣାକଟକ ଭଳି ପଂଚାୟତରେ ଅଧିକାଂଶ ଶିକ୍ଷିତ ଭୋଟର ରହିଛନ୍ତି । ଗତ ପାଂଚ ବର୍ଷ କଥାକୁ ଲକ୍ଷ୍ୟକଲେ ପଂଚାୟତ ସଦରମହକୁମାର ରଥ ସାହି ,ବ୍ୟାଙ୍କ କୋଲନୀ,ଭଳି ଅନେକ ସାହିରେ ଡ୍ରେନେଜ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପଡିଛି । ସେହିଭଳି ଅନେକ ଗାଁକୁ ରାସ୍ତା,ପାନୀୟଜଳ, ଭଳି ସମସ୍ୟା ଏବେ ବି ରହିଛି । ଗତ ପାଂଚବର୍ଷର ବିକାଶକୁ ନେଇ ଭୋଟର ସନ୍ତୁଷ୍ଟି ଥିବା କାହାରି ମୁହଁରୁ ଶୁଣିବାକୁ ମିଳୁନାହିଁ । ମାତ୍ର ସରପଂଚ ପାଇଁ ନିର୍ବାଚନ ଲଢୁଥିବା ଅଶୋକ ପୁରୁଣାକଟକରେ ବିପର୍ୟ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା,ସ୍ଥାୟୀ ପରିବା ବଜାର,ବସଷ୍ଟାଣ୍ଡ,ଶୌଚାଳୟ ସାଙ୍ଗକୁ ଯୁବ ସମାଜକୁ ରୋଜଗାର ଏବଂ ହେମ ସାଗର ବନ୍ଧକୁ ଆଦର୍ଶ ବନ୍ଧ ମୁଦା ନେଇ ଭୋଟରଙ୍କ ପାଖକୁ ଯାଉଥିବାବେଳେ ଅକ୍ରୁର ପଂଚାୟତର ସର୍ବାଙ୍ଗୀନ ଉନ୍ନତି ମୁଦା ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି । ଏଥର ଏହି ଦୁଇ ଅଭିଜ୍ଞ ରାଜନୈତିକ ପ୍ରାର୍ଥୀ ମଧ୍ୟରୁ ଭୋଟର କାହାକୁ କିଭଳି ଗ୍ରହଣ କରୁଛନ୍ତି ତାକୁ ନେଇ ପୁରୁଣାକଟକରେ ରାଜନୈତିକ ମାହୋଲ ସରଗରମ ରହିଛି।
ଭୋଟରଙ୍କ ମତାମତ

ଗଣେଷ ସାହୁ: ଲକ୍ଷ୍ମୀନାଳ ଉପରେ ସେତୁ ଖଣ୍ଡିଏ ଏପର୍ୟ୍ୟନ୍ତ ହୋଇପାରୁନାହିଁ । ଫଳରେ ଆମେ ବର୍ଷା ୪ମାସ ଭତ୍ତା, ଚାଉଳ ପାଇଁ ୫କି.ମି ବୁଲି ବୁଲି ଯିବାକୁ ପଡୁଛି । ଗାଁରେ ଷ୍ଟ୍ରିଟ ଲାଇଟ୍,ପିଇବା ପାଣି ସମସ୍ୟା ରହିଛି । ଲୋକଙ୍କ ସମସ୍ୟା ଯିଏଦୂର କରିପାରିବ ସେଭଳି ଜଣେ ପ୍ରାର୍ଥୀଙ୍କୁ ଆମେ ଚୟନ କରିବୁ।

ସୁରେନ ପ୍ରଧାନ: ଲଗାତର ୩ଥର ସରପଂଚ ଆସନ ଅନୁସୂଚିତ ଜାତି /ଅନୁସୂଚିତ ଜନଜାତ ପାଇଁ ସଂରକ୍ଷଣ ଥିବାରୁ ପଂଚାୟତ ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଏଥର ସେତେଟା ଆଗ୍ରହନାହିଁ।ସରକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ସଠିକଭାବେ ପହିଂଚିପାରୁନାହିଁ । ବଜାର ଉପକଣ୍ଠରେ ଡ୍ରେନେଜ ବ୍ୟବସ୍ଥା ଆଉ ପିଇବା ପାଣି ସମସ୍ୟା ଏବେ ବି ରହିଛି । ପଂଚାୟତର ସାମୁହିକ ବିକାଶ ତଥା ସରକାରୀ ଯୋଜନାର ସଫଳ ରୂପାୟନ ଦିଗରେ ସାମର୍ଥ୍ୟଥିବା ପ୍ରାର୍ଥୀଙ୍କୁ ଏଥର ଆମେ ଚୟନ କରିବୁ।



