ହରଭଙ୍ଗା: ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ହରଭଙ୍ଗା ବ୍ଲକ ସବୁବେଳେ ସବୁ ରାଜନୈତିକ ଦଳ ପାଇଁ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସୁଛି । ଅନ୍ୟ ଦୁଇ ଜୋନ୍ ଅପେକ୍ଷା ଚଳିତ ନିର୍ବାଚନରେ ୭ନଂ ଜିଲ୍ଲାପରିଷଦ ଜୋନ୍ ଏଥର ବିଜେଡି ,ବିଜେପି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ପୂର୍ବାଭାସ ମିଳୁଛି । ଏହି ଜିଲ୍ଲାପରିଷଦ ଆସନ ଅସଂରକ୍ଷିତ ରହିଛି। ଏହି ଜୋନରୁ ବିଜେଡି ପୂର୍ବତନ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରକୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେପି ଚାଷୀ ନେତା ତଥା ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀ ସୂର୍ୟ୍ୟନାରାୟଣ ମହାପାତ୍ରଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ଜଣେ ପୂର୍ବତନ ସମିତି ସଭ୍ୟ ରହିତାଶ୍ୱ ବେହେରାଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ତିନି ପ୍ରମୁଖ ରାଜନୈତିକ ଦଳ ଜଣେ ଜଣେ ପୁରୁଖା ନେତାଙ୍କୁ ଏଠାରୁ ପ୍ରାର୍ଥୀ କରିଥିବାରୁ ଅନ୍ୟ ଦୁଇ ଜୋନ୍ ଅପେକ୍ଷା ଏଠାରେ ଲଢେଇ ଜୋରଦାର ହେବ ବୋଲି କୁହାଯାଉଛି । ମଇଦାନକୁ ଓହ୍ଲେଇଥିବା ୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି ପ୍ରାର୍ଥୀ ବିଶ୍ୱଜିତ ୨୦୧୭ରେ ସାମ୍ପୋଚ ପଂଚାୟତରୁ ସମିତି ସଭ୍ୟ ନିର୍ବାଚିତ ହୋଇ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ପଦ ହାତେଇଥିଲେ । ତା ପୂର୍ବରୁ ୨୦୦୨ରେ ବୀରନରସିଂହପୁର ପଂଚାୟତର ସରପଂଚ ମଧ୍ୟ ଥିଲେ ।
୧୯୯୭ରୁ ୨୦୧୮ ପର୍ୟ୍ୟନ୍ତ ଦୀର୍ଘ ୨୦ବର୍ଷ ସାମ୍ପୋଚ ସମବାୟ ସମିତି ସଭାପତି ଭାବେ ଦାୟିତ୍ୱ ତୁଳାଇ ଦୁଇଥର ବୌଦ୍ଧର କେନ୍ଦ୍ରୀୟ କୋପରେଟିଭ ବ୍ୟାଙ୍କ ଡାଇରେକ୍ଟର ହୋଇପାରିଛନ୍ତି। ଫଳରେ ତାଙ୍କର ରାଜନୈତିକ ପତିଆରା ସୁଦୃଢ ରହିଛି । ସେହିପରି ବିଜେପି ପ୍ରାର୍ଥୀ ସୂର୍ୟ୍ୟ ବାବୁ ବ୍ୟାଙ୍କ ଚାକିରୀରୁ ଅବସରନେବା ପରେ ଭାରତୀୟ କିଷାନ ସଂଘ ସଭାପତି ଭାବେ ବହୁବର୍ଷ ଦାୟିତ୍ୱ ନେଇ ଜଣେ ଆଗଧାଡିର ଚାଷୀନେତାଭାବେ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୪ରେ ବୌଦ୍ଧ ବିଧାୟକ ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ।ଜଣେ ଭଲ ସଂଗଠକ ,ଚାଷୀନେତାଭାବେ ଜଣାଶୁଣା ସୂର୍ୟ୍ୟ ବାବୁଙ୍କ ମଧ୍ୟ ରାଜନୈତିକ ପୃଷ୍ଠଭୂମି ସୁଦୃଢ ରହିଛି। କଂଗ୍ରେସ ପ୍ରାର୍ଥୀ କରିଥିବା ରହିତାଶ୍ୱ ୨୦୦୨ରେ ମଥୁରା ପଂଚାୟତରୁ ସମିତି ସଭ୍ୟ ନିର୍ବାଚିତ ହୋଇ ଜଣେ ଭଲ ନେତାଭାବେ ଅଂଚଳରେ ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ରାଜନୈତିକ କ୍ୟାରିଅର ଲମ୍ବାନଥିଲେ ବି ସେ କଂଗ୍ରେସର ପକେଟ ଭୋଟକୁ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି। ପ୍ରାର୍ଥୀଙ୍କୁ ଦେଖିଲେ ଏହି ଆସନ ପାଇଁ ଲଢେଇ ଜୋରଦାର ହେବ ବୋଲି ପୂର୍ବାନୁମାନ କରିହେଉଛି।ସୂଚନା ଥାଉ କି ବନ୍ଧାପଥର,ସରସରା,ବାମଣ୍ଡା,ରାଧାନଗର,ମଥୁରା,ବୀରନରସିଂହପୁର,ସାମ୍ପୋଚ୍ ଭଳି ସାତଗୋଟି ପଂଚାୟତକୁ ନେଇ ୭ନଂ ଜିଲ୍ଲାପରିଷଦ ଜୋନ ଗଠିତ ହୋଇଛି।ଏହି ଜୋନ୍ରେ ଅନ୍ୟ ଦୁଇ ଜୋନ୍ ଅପେକ୍ଷା ସର୍ବାଧିକ ୩୩ହଜାର୦୪୮ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।
ସରସରା,ବାମଣ୍ଡା,ବୀରନରସିଂହପୁର,ସମ୍ପୋଚ ପଂଚାୟତରେ ୨୨ହଜାର ୩୫୨ ଭୋଟର ରହିଛନ୍ତି।ଏହି ୪ଟି ପଂଚାୟତର ଭୋଟ ଯାହା ସପକ୍ଷରେ ରହିବ ତାର ବାଜିମାତ ହେବ ବୋଲି ରାଜନୈତିକ ଆଲୋଚନା ଜୋରଧରିଛି।ଅନ୍ୟପଟେ ଏହି ୪ ପଂଚାୟତ ମଧ୍ୟରୁ ସରସରା,ବାମଣ୍ଡାସାମ୍ପୋଚ,ବୀରନରସିଂହପୁର ବିଜେଡି ସମର୍ଥୀତ ସରପଂଚ ରହିଥିବାରୁ ଏହି ଆସନରେ ବିଜେଡି ପଲ୍ଲା ଭାରି ରହିଛି।ମାତ୍ର ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବ୍ଲକର ଏହି ଆସନ ବିଜେପି ହାତେଇଥିଲା। ବିଜେପିର ଶଶ୍ମିତା ପାତ୍ର ବିଜେଡି ପ୍ରାର୍ଥୀ ମାନସୀ ମହାକୁଡଙ୍କୁ ୧୫ଶହ ଭୋଟରେ ପରାଜିତ କରି ୨୦୧୭ରେ ପ୍ରଥମ ଥର ପାଇଁ ବ୍ଲକରେ ବିଜେପି ଗୋଟିଏ ଜିଲ୍ଲାପରିଷଦ ଆସନ ହାତେଇଥିଲା।ତେଣୁ ଏହି ଜୋନରେ ବିଜେପିର ପଲ୍ଲା ମଧ୍ୟ ଭାରିଥିବା ଜଣାପଡୁଛି।ସେହିପରି ୧୯୯୭ରୁ ୨୦୨୨ ପର୍ୟ୍ୟନ୍ତ ୫ଥର ଗଠନ ହୋଇଥିବା ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତକୁ ବିଶ୍ଲେଷଣ କଲେ ୧୯୯୭ରେ ଜନତାଦଳ ପକ୍ଷରୁ ସେକ୍ ସଲିମ ପ୍ରଥମ ଜିଲ୍ଲାରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ।୨୦୦୨ରେ ବିଜେଡିରୁ ଦେବାର୍ଚ୍ଚନ ବେହେରା, ୨୦୦୭ରେ କଂଗ୍ରେସରୁ ଝୁନୁ କର୍ଣ୍ଣ,୨୦୧୨ରେ ବିଜେଡିରୁ ସ୍ୱାଧିନ ବିଶ୍ୱାଳ ଏବଂ ୨୦୧୭ରେ ବିଜେପିର ଶଶ୍ମିତା ପାତ୍ର ଏହି ଆସନରୁ ଜିଲ୍ଲାପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ।ବିଗତ ୫ଟି ଜିଲ୍ଲାପରିଷଦ ନିର୍ବାଚନକୁ ସମୀକ୍ଷା କଲେ ଏହି ଆସନ ସର୍ବାଧିକ ଦୁଇଥର ବିଜେଡି ହାତେଇଥିବାବେଳେ ,ଥରେ ଜନତା ଦଳ ,ଥରେ କଂଗ୍ରେସ ଏବଂ ଶେଷଥର ବିଜେପି ହାତେଇବାକୁ ସକ୍ଷମ ହୋଇଛି।ବିଜେପି ଦ୍ୱିତୀୟଥର ଆସନ ହାତେଇବା ପାଇଁ ରଣନୀତି ଚଳେଇଥିବାବେଳେ ବିଜେଡି ଗତଥରର ଭୁଲକୁ ସୁଧାରି ଏହି ଆସନ ତୃତୀୟଥର ହାତେଇବା ପାଇଁ ରଣନୀତି ଚଲେଇଛି।ଅନ୍ୟପଟେ ଦୁର୍ବଳ ସଂଗଠନ ଯୋଗୁଁ କଂଗ୍ରେସ ନିଜର ଭୋଟ ବ୍ୟାଙ୍କ ବୃଦ୍ଧି ପାଇଁ ଚେଷ୍ଟା ଜାରିରଖିଛି।



