ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ବ୍ଲକରେ ପ୍ରଥମ ପୌରପରିଷଦ ଗଠନ ପାଇଁ ସରକାରୀସ୍ତରରେ ଖସଡା ଆରମ୍ଭ ହୋଇଛି।ବ୍ଲକର ଦୁଇ ପ୍ରମୁଖ ସ୍ଥାନ ପୁରୁଣାକଟକ ଏବଂ ଚାରିଛକକୁ ନେଇ ଏକ ପୌରପରିଷଦ ଗଠନ ପାଇଁ ହରଭଙ୍ଗା ତହସିଲଦାର ଜିଲ୍ଲାପାଳଙ୍କୁ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି।ହରଭଙ୍ଗା ତହସିଲଦାର ଜିଲ୍ଲାପାଳଙ୍କୁ ଦେଇଥିବା ଫିଜିବିଲିଟି ରିପୋର୍ଟ ଅନୁସାରେ ପୁରୁଣାକଟକ ଏବଂ ବାଣୀ ଭୁଷଣପୁର ପଂଚାୟତ ଅଧିନରେ ୩୫ଟି ରାଜସ୍ୱ ଗ୍ରାମ ରହିଛି।ବାଣୀଭୁଷଣପୁର ପଂଚାୟତ ଅଧିନରେ ୨୪ ଏବଂ ପୁରୁଣାକଟକ ପଂଚାୟତ ଅଧିନରେ ୧୧ଟି ରାଜସ୍ୱଗ୍ରାମ ରହିଛି।ବାଣୀଭୁଷଣପୁର ପଂଚାୟତ ଅଧିନରେ ସମୁଦାୟ ଲୋକସଂଖ୍ୟା ୧୦ହଜାର୯୨୦ ରହିଛି।ସେଥିରୁ ହରିଜନ ବର୍ଗର-୩ହଜାର୧୮୮, ଆଦିବାସୀ ବର୍ଗର-୨ହଜାର୨୯ ଏବଂ ଅନ୍ୟାନ୍ୟ ବର୍ଗର-୫ହଜାର୭୦୩ ଜଣ ରହିଛନ୍ତି।ପୁରୁଣାକଟକ ପଂଚାୟତ ଅଧିନରେ ସମୁଦାୟ ଲୋକସଂଖ୍ୟା-୬ହଜାର୨୩୭ ରହିଛି।ସେଥିରୁ ହରିଜନ ବର୍ଗର-୧ହଜାର୭୧୭,ଆଦିବାସୀ ବର୍ଗର-୪୦୫ ଏବଂ ଅନ୍ୟାନ୍ୟ ବର୍ଗର-୪ହଜାର୧୧୫ ଜଣ ରହିଛନ୍ତି।
ଦୁଇ ପଂଚାୟତ ଅଧିନରେ ସମୁଦାୟ ଲୋକସଂଖ୍ୟା ୧୭ହଜାର ୧୫୭ ରହିଛି। ଦୁଇ ପଂଚାୟତର ଅଧିନରେଥିବା ଶିକ୍ଷାନୁଷ୍ଠାନ, ମେଡିକାଲ, ଥାନା, ସ୍କୁଲ , କଲେଜ, ପୋଖରୀ, ମାର୍କେଟ, ଗୋଦାମଗୃହ,ପଂଚାୟତର ନିଜସ୍ୱ ଗୃହ, କଲ୍ୟାଣମଣ୍ଡପ, ଖେଳପଡିଆ ଇତ୍ୟାଦି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି।ଏମିତିକି ଦୁଇ ପଂଚାୟତର ରିଜୋଲେସନ କପି ତାରିଖ ତାଲିକା ମଧ୍ୟ ପ୍ରଦାନ କରାଯାଇଛି।ଜନସାଧାରଣଙ୍କ ବହୁଦିନର ଦାବୀପରେ ବ୍ଲକରେ ପ୍ରଥମ ପୌରପରିଷଦ ଗଠନ ପାଇଁ ଆଶାଉଜ୍ଜିବିତ ହୋଇଛି।ଏନ.ଏ.ସି ଗଠନପରେ ହରଭଙ୍ଗା ବ୍ଲକର ଦୁଇ ପ୍ରମୁଖ ସ୍ଥାନ ପରିସ୍କାର ପରିଛନ୍ନ ସହିତ ଏହାର ବିକାଶ ପାଇଁ ରାସ୍ତାଖୋଲିବ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି।
ମତାମତ..
ସୁରେନ କୁମାର ପ୍ରଧାନ, ପୁରୁଣାକଟକ: ଏନଏସି ଗଠନ ହେଲେ ପ୍ରଥମେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।ଏହା ସହିତ ରାସ୍ତା,ଘାଟ ଉନ୍ନତିକରଣ ସହିତ ପରିମଳ ବ୍ୟବସ୍ଥାରେ ସୁଧାର ଆସିବ।ଏନ.ଏ.ସି ଗଠନ ହେଲେ ସରକାରୀ ଅନୁଦାନ ଅଧିକ ମିଳିବା ସହିତ ପୁରୁଣାକଟକ ବଜାରର ରୂପରେଖ ବଦଳିବ।ମାତ୍ର ଏହା କେବେ କାର୍ଯ୍ୟକାରୀ ହେଉଛି ତାକୁ ନେଇ ସମସ୍ତେ ଅନେଇବସିଛନ୍ତି।
ଆଶିଷ କୁମାର ସାହୁ, ଚାରିଛକ:ହରଭଙ୍ଗା ବ୍ଲକର ଏକ ପ୍ରମୁଖ ସ୍ଥାନ ହୋଇ ରହିଛି ଚାରିଛକ।ଏଠାରେ ବ୍ଲକ କାର୍ଯ୍ୟାଳୟ ଠାରୁ କୋର୍ଟ ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ରହିଛି।ଫଳରେ ସକାଳ ପାଇଲେ ବିଭିନ୍ନ କୋଣ ଅନୁକୋଣରୁ ଲୋକେ ସରକାରୀ କାମ ପାଇଁ ଚାରିଛକ ଆସିଥାନ୍ତି।ମାତ୍ର ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଲୋକଙ୍କ ଘର ସମ୍ମୁଖରେ ଅଳିଆ ଆବର୍ଜ୍ଜନା ଜମା ହୋଇରହିଛି।ଲୋକଙ୍କୁ ମୌଳିକ ସୁବିଧା ମିଳୁନଥିବା ବେଳେ ଏନ.ଏ.ସି ଗଠନ ମୋତେ ସ୍ୱପ୍ନ ଭଳି ଲାଗୁଛି।



