ଗୁରୁଡିଝାଟିଆ,:ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଆଜି ପୁରୁଣା କଟକ-ସମ୍ବଲପୁର ରାସ୍ତାର ମଞ୍ଚେଶ୍ୱର ନିକଟରୁ ଏକ ସାଗୁଆନ ବୋଝେଇ ଟାଟା ଏସିକୁ ଜବତ କରାଯାଇଛି। ହେଲେ ଗାଡିର ଚାଳକ ବନବିଭାଗ କର୍ମଚାରୀଙ୍କୁ ଠେଲାପେଲା କରି କୌଶଳରେ ଅନ୍ଧାରର ସୁଯୋଗ ନେଇ ନିକଟସ୍ଥ ଜମି ଭିତରେ ଦୌଡି ପଳାଇବାକୁ ସକ୍ଷମ ହୋଇଛି। ଜବତ ସାଗୁଆନ କାଠ ୨୨ସିପ୍ଟ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୨ ହଜାର ଟଙ୍କା ହେବ ।ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ସିଂ ମାଥୁର ରାତ୍ରୀକାଳୀନ ତଲାସି ଅଭିଯାନରେ ଥିବା ବେଳେ ହଠାତ୍ ଏକ କାଠବୋଝେଇ ଟାଟାଏସିକୁ ଦେଖି ପିଛା କରିଥିଲେ।
ପୁରୁଣା କଟକ ସମ୍ବଲପୁର ରାସ୍ତାର ମଞ୍ଚେଶ୍ୱର ନିକଟରେ ଗାଡିକୁ ଅଟକାଇଥିଲେ। ହେଲେ ଗାଡିର ଚାଳକ ବନକର୍ମଚାରୀଙ୍କ ସହିତ ଧସ୍ତାଧସ୍ତି କରି ପଳାଇଛି। ଏହି ଚଢାଉ ରେ ବନପାଳ ଦିବ୍ୟସିଂ ପରିଡା, ବନରକ୍ଷୀ ବିଜୟ ମଙ୍ଗରାଜ ସହିତ ଅନ୍ୟ ବନକର୍ମଚାରୀମାନେ ସହଯୋଗ କରିଥିଲେ।



