ଆଖି ବୁଜିଦେଲା ପ୍ରଶାସନ, ମଧୁସେତୁର ବାଲି ସଫାକଲେ ଯୁବଗୋଷ୍ଠୀ
ଗୁରୁଡିଝାଟିଆ: ମହାନଦୀର ନୂଆପାଟଣା ଠାରେ କଟକକୁ ସଂଯୋଗ କରିଛି ମଧୁସେତୁ। ସେତୁର ପାର୍ଶ୍ବରେ ପଡି ରହିଛି ମୋଟା ଆସ୍ତରଣର ବାଲି। ପ୍ରାୟ ୫ ଫୁଟ ଚଉଡା ଓ ୬ ଇଞ୍ଚ ମୋଟା ବାଲି ରାସ୍ତାର ଉଭୟ ପାର୍ଶ୍ବରେ ପଡି ରହିଥିବାରୁ ବାଇକ ଓ ସାଇକେଲ ଚାଳକମାନେ ଦୁର୍ଘଟଣାରେ ଶିକାର ହେଉଛନ୍ତି। ଅନେକଙ୍କ ଜୀବନ ଦୀପ ମଧ୍ୟ ଲିଭିଯାଇଛି। କେହି କେହି ସବୁଦିନ ପାଇଁ ଅକର୍ମଣ୍ୟ ମଧ୍ୟ ହୋଇ ପଡିଛନ୍ତି। ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ରାସ୍ତା କୋଠାବାଡି ବିଭାଗ କର୍ତ୍ତୃପକ୍ଷଙ୍କ ନିଦ୍ରା ଭାଙ୍ଗୁନାହିଁ।
ବାରମ୍ବାର ଦୁର୍ଘଟଣାକୁ ଦୃଷ୍ଟିରେ ରଖି କିଛି ଉତ୍ସାହୀ ଯୁବକ ନିଜ ଖର୍ଚ୍ଚରେ ସେତୁର ପାର୍ଶ୍ବରେ ପଡିଥିବା ବାଲିର ଆସ୍ତରଣକୁ ସଫା କରିବା ସହିତ ଟ୍ରାକ୍ଟରେ ବୋଝେଇ କରି ଅନ୍ୟତ୍ର ଫିଙ୍ଗୁଛନ୍ତି। ଗ୍ରାମର ଯୁବକଙ୍କ ଏଭଳି ପଦକ୍ଷେପ ସାଧାରଣରେ ପ୍ରଶଂସିତ ହୋଇଛି। ଯାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ କାମ ତାହା ସେମାନେ କରୁନାହାନ୍ତି। ଅଥଚ ଯୁବକମାନେ କରି ଦେଖାଇଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ନିଜର ଦାୟିତ୍ୱକୁ କେବେ ସଂପାଦନ କରିବେ ତାହା ଦେଖିବାକୁ ବାକି ରହିଲା। ଅପରପକ୍ଷରେ ଉତ୍ସାହୀ ଯୁବଗୋଷ୍ଠୀଙ୍କ ସେବାକାର୍ଯ୍ୟକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଉତ୍ସାହ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି।
Comments are closed.