ଗୁରୁଡିଝାଟିଆ: ଠିକାଦାରର ମନମୁଖି କାର୍ଯ୍ୟ ଲୋକଙ୍କ ପାଇଁ ସାଜିଛି କାଳ । ଗ୍ରୀଷ୍ମଋତୁରେ ରାସ୍ତା ଉପରେ ପୋଲ ନିର୍ମାଣ କାର୍ଯ୍ୟ ନକରି ବର୍ଷା ଋତୁରେ ପୋଲ କାମ କରାଯାଉଥିବାରୁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏଭଳି ସ୍ଥିତି ଦେଖାଦେଇଛି କଖଡିରୁ କପୁରସିଂକୁ ସଂଯୋଗ କରୁଥିବା ରାସ୍ତାର ବିଷ୍ଣୁପୁର ଠାରେ। ରାସ୍ତାଟିର ସଂପ୍ରସାରଣ ଓ ଉଚ୍ଚତା ବୃଦ୍ଧି କାମ ଚାଲୁ ରହିଛି । ଠିକାଦାରର ମନମୁଖି କାର୍ଯ୍ୟ ଯୋଗୁଁ ରାସ୍ତା ଦେଇ ଲୋକମାନେ ଯାତାୟାତ କରୁଥିବା ବେଳେ କାଦୁଅ ପାଣିରେ ଯିବା ପାଇଁ ବାଧ୍ୟ ହେଉଛନ୍ତି । କେତେବେଳେ ଭାରୀଯାନ ଦବି ଯାଉଛି ତ ପୁଣି କେତେବେଳେ ଗୋଟିଏ ଗାଡି ଯିବା ବେଳେ ସେହି ରାସ୍ତାଦେଇ ସାଇକେଲଟିଏ ମଧ୍ୟ ଆସିବା କଷ୍ଟ ହେଉଛି । ଉଲ୍ଲେଖ ଯୋଗ୍ୟ ନବେଢା ଗୁରୁଡିଝାଟିଆ ଅଞ୍ଚଳରୁ ନଦୀକୂଳ କଖଡି ଅଞ୍ଚଳକୁ ଯାତାୟାତ ପାଇଁ ଏହି ରାସ୍ତା ହେଉଛି ମୁଖ୍ୟ । ଦୈନିକ ଶତାଧିକ ବିଦ୍ୟାର୍ଥୀ ଓ ଜନସାଧାରଣ ବ୍ୟବସାୟ ବାଣିଜ୍ୟ ଓ ପାଠପଢିବା ପାଇଁ ଯାତାୟାତ କରିଥାନ୍ତି । ଠିକାଦାରର ଏଭଳି କାର୍ଯ୍ୟ ଜନତାଙ୍କ ପାଇଁ ହିନସ୍ତା ଆଣିଦେଇଥିବା ବେଳେ ବିଭାଗୀୟ ଯନ୍ତ୍ରୀଙ୍କ ନୀରବତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ପୋଲିକାମ ନିର୍ମାଣ ସମାପ୍ତ କରିବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟିଦେବା ନିମନ୍ତେ ଦାବି ହୋଇଛି ।
Popular Categories



