ଆଦିବାସୀ ଦିବସ, ରାଜ୍ୟ ସରକାରଙ୍କ ୨୧ ବର୍ଷର ଶାସନ କାଳରେ ନ୍ୟାୟ ପାଇଛନ୍ତି ତ ଆଦିବାସୀ?
ଗୁଣୁପୁର: ଆଜି ସାରା ବିଶ୍ୱ ପାଳନ କରୁଛି ବିଶ୍ୱ ଆଦିବାସୀ ଦିବସ। ଚଳିତ ବର୍ଷ ଆଦିବାସୀ ଦିବସର ପ୍ରସଙ୍ଗ ରହିଛି କାହାରିକୁ ପଛରେ ଛାଡିବା ନାହିଁ : ଆଦିବାସୀ ଓ ଏକ ନୂଆ ଚୁକ୍ତି ପାଇଁ ଆହ୍ୱାନ। ଆମ ସଭ୍ୟତାର ଏକ ନିରବଚ୍ଛିନ୍ନ ଅଂଶ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ। ୨୦୧୧ ଜନଗଣନା ଅନୁଯାୟୀ ଆମ ରାଜ୍ୟରେ ପ୍ରତି ଚାରି ଜଣରେ ଜଣେ ହେଉଛନ୍ତି ଆଦିବାସୀ। ଦେଶର ମୋଟ ଆଦିବାସୀଙ୍କ ସଂଖ୍ୟା ହିସାବକୁ ନିଆଗଲେ ୯.୧୭% ଓଡ଼ିଶାରେ ବସବାସ କରନ୍ତି। ରାଜ୍ୟରେ ସରକାରୀ ଭାବେ ୧୩ଟି ଆଦିମ ଜନଜାତି ସହ ୬୨ଟି ଆଦିବାସୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସ୍ୱୀକୃତି ଦିଆଯାଇଛି। ଆଜିବି ମାଲକାନଗିରିର କଣ୍ଡା ଦୋରା, ଗଜପତିର ସୁଧ ଶବର, ରାୟଗଡାର ଝଡ଼ିଆ, ଅନୁଗୁଳର ବାନ୍ଧିଆ ଭଳି ଅନେକ ସମ୍ପ୍ରଦାୟ ଆଜିର ଦିନରେ ଆଦିବାସୀ ମାନ୍ୟତା ପାଇବା ପାଇଁ ସଂଗ୍ରାମ କରୁଛନ୍ତି।
ସାମ୍ରାଜ୍ୟବାଦୀ, ସାମନ୍ତବାଦ ଚିନ୍ତାଧାରା, ଅଣ ଆଦିବାସୀଙ୍କ ଶୋଷଣ ଯୋଗୁଁ ଆଦିବାସୀଙ୍କ ମୂଳ ଅଧିକାର ଜଙ୍ଗଲ, ଜମି,ଜଳ ଆଜି ବିପନ୍ନ। ଏହି ଅଧିକାର ହାସଲ କରିବା ପାଇଁ ଆଜିବି ରାଜରାସ୍ତାରେ ଆଦିବାସୀମାନେ ସରକାରଙ୍କ ସହ ସଂଗ୍ରାମ କରୁଛନ୍ତି। ମୌଳିକ ଶିକ୍ଷା, ରାସ୍ତାଘାଟ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ଆଦିବାସୀଙ୍କ ନିକଟରେ ଆଜି ବି ଅପହଞ୍ଚ। ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୁବିଧା ନଥିବାରୁ ବର୍ଷବର୍ଷ ଧରି ଅତ୍ୟାଚାର ଓ ଶୋଷଣର ଶୀକାର ହେଉଥିବା ଆଦିବାସୀ ଶେଷରେ ଦାଦନ ଶ୍ରମିକ ପାଲଟିଯାଉଛନ୍ତି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଘରକୁ ଫେରିବା ଆମ ରାଜ୍ୟରେ କିଛି ନୂଆ କଥା ନୁହେଁ। ନିକଟରେ ରାୟଗଡା ଜିଲ୍ଲା ଗୁଣୁପୁର ଅଞ୍ଚଳର ୫ ଜଣ ନାବାଳକ ଆନ୍ଧ୍ରର ଗୁଣ୍ଠୁର ଅଞ୍ଚଳରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଥିବା ନିହାତି ଆମ ରାଜ୍ୟ ସରକାରଙ୍କ ପରିବା ପଣିଆ ଓ ବିକାଶର ନଗ୍ନ ଚିତ୍ରର ଉଦାହରଣ ସୃଷ୍ଟି କରିଛି। ନିଜର ନାର୍ଯ୍ୟ ଦାବୀ ହାସଲ କରିବା ପାଇଁ ଆଦିବାସୀଙ୍କୁ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ନିକଟରେ ଗୁହାରି କରିବାକୁ ପଡୁଛି। ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏକ ସ୍ୱତନ୍ତ୍ର ବିଭାଗ ସହ ଜିଲ୍ଲା ପ୍ରଶାସନ ରେ ଅନେକ ଉପ ବିଭାଗ ରହିଛି। ହେଲେ ମଧ୍ୟ ଆଦିବାସୀଙ୍କ ବିକାଶ ଆଜି ବି ସ୍ବପ୍ନ ହୋଇ ରହିଯାଇଛି।
ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ବଳିଦାନର ଗାଥା କିଛି କମ ନୁହେଁ। ସହୀଦ ଲକ୍ଷ୍ମଣ ନାୟକ, ବିରସା ମୁଣ୍ଡା, ବାଇରୁ ଗମାଙ୍ଗଙ୍କ ଏ ମାଟି ପାଇଁ ତ୍ୟାଗ ଓ ବଳିଦାନ ଚୀର ସ୍ମରଣୀୟ। ଏ ତୁଳନାରେ ଆଦିବାସୀ ଙ୍କୁ ମିଳିଛି କଣ? ଜାତିସଂଘର ଏକ ରିପୋର୍ଟ ଅନୁସାରେ ଅନେକ ଦେଶରେ ଆଦିବାସୀଙ୍କୁ ନିଜର ଭୂମି, ସଂସ୍କୃତି ଓ ଭାଷା ଠାରୁ ଦୂରେଇ ରଖାଯିବା ସହ ରାଜନୈତିକ ଓ ଆର୍ଥିକ କାର୍ଯ୍ୟକଳାପରୁ ଦୁରେଇ ରଖାଯାଉଛି। ଫଳରେ ସେମାନଙ୍କ ଭାଷା, ସଂସ୍କୃତି, ଅସ୍ତିତ୍ବ ଓ ଜୀବନଜୀବିକା ଆଜି ବିପନ୍ନ। ଆଜି ଆନ୍ତର୍ଜାତିୟ ଆଦିବାସୀ ଦିବସ ଅବସରରେ ଆଦିବାସୀଙ୍କୁ ଉପଯୁକ୍ତ ମର୍ଯ୍ୟାଦା ସହ ସେମାନଙ୍କ ଅଧିକାର, ହକ ସେମାନଙ୍କୁ ଦେବାର ସମୟ ଆସିଛି। ସେମାନଙ୍କ ଭାଷା, ସଂସ୍କୃତି, ଲିପିକୁ ସୁରକ୍ଷା ଓ ମାନ୍ୟତା ଦେବା ର ଆବଶ୍ୟକତା ରହିଛି। ଦମନ, ଅତ୍ୟାଚାର, ଶୋଷଣ ପରିବର୍ତ୍ତେ ପ୍ରାକୃତିକ ସମ୍ବଳ ଉପରେ ମାଲିକାନା ଦେଇ ସମାଜର ମୁଖ୍ୟ ସ୍ରୋତରେ ମର୍ଯ୍ୟାଦାର ସହ ବଞ୍ଚିବାର ସୁଯୋଗ ସୃଷ୍ଟି କରିବା ନିହାତି ଜରୁରୀ ହୋଇ ପଡିଛି।
Comments are closed.