ଗୁଣପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୁଚକାଳିରେ ଅଟକି ରହିଛି ବହୁ ପ୍ରତୀକ୍ଷିତ ଗୁଣପରୁ-ଥେରୁବାଲି ରେଳପଥ ସଂଯୋଗୀକରଣ। ଆଜି ପାର୍ଲାମେଣ୍ଟରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କ ଏକ ପ୍ରଶ୍ନରେ ରେଳମନ୍ତ୍ରୀ ରାଜ୍ୟ ସରକାରଙ୍କ ସହଭାଗିତା ବିନା ଏହି ପ୍ରକଳ୍ପ ପରିକଳ୍ପନା କରିବା ସମ୍ଭବ ନୁହେଁ ବୋଲି ଉତ୍ତର ଦେଇଛନ୍ତି। ଏହାକୁ ନେଇ ଏବେ ରାୟଗଡା ଓ ଗଜପତି ଜିଲାରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।
ଦେଶର ସର୍ବପୁରାତନ ରେଳପଥ ଭାବେ ପରିଚିତ ଗୁଣପୁର-ନୌପଡା ରେଳପଥ। ଏହି ରେଳପଥ ପାରଳା ମହାରାଜଙ୍କ ନିଜସ୍ୱ ଅର୍ଥ ୧୯୩୬ମସିହାରେ ନିର୍ମିତ ହୋଇଥିବାବେଳେ ଏହା କେବଳ ଅବହେଳିତ ହୋଇରହିଛି। ରାଜନୈତିକ ଇଚ୍ଛଶକ୍ତି ଅଭାବରୁ ଏହି ପୂରାତନ ରେଳପଥ ଭିତ୍ତିଭୂମି ଓ ସଂଯୋଗୀକରଣ ପ୍ରକ୍ରିୟାରେ ବହୁ ପଛରେ ପଡିଛି। ଅବିଭକ୍ତ କୋରାପୁଟ ଜିଲାରେ ଶିଳ୍ପ କରିଡରର ମାଲ ରପ୍ତାନୀ ସାଙ୍ଗକୁ ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ କ୍ଷେତରେ ଗୁଣପୁର-ଥେରୁବାଲି ରେଳପଥ ବେଶ ସହାୟକ ହୋଇପାରିବ। ଏହି ରେଳପଥ ୫୭ବର୍ଷ ତଳେ ମଞ୍ଜୁର ମିଳୁଥିଲେ ସୁଦ୍ଧା ଆଜି ଯାଏଁ ଇଞ୍ଚଟିଏ କାମ ହୋଇପାରିନାହିଁ।
ଶିଳ୍ପ ସମୃଦ୍ଧ ରାୟଗଡା ଜିଲାର ଗୁଣପୁର ସହରକୁ ୧୯୩୬ରେ ଏହି ରେଳପଥ ସଂଯୋଗୀକରଣ ହୋଇଥିଲା।
ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଗମନାଗମନର ବିକାଶ କରିବାକୁ ଯାଇ ନୌପଡା ଠାରୁ ପାରାଳାଖେମୁଣ୍ଡି ନ୍ୟାରଗେଜ ରେଳପଥକୁ ଗୁଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ। ୨୦୦୨ରେ ଏହି ରେଳପଥକୁ ବ୍ରଡଗ୍ୟାଜରେ ପରିଣତ କରାଯାଇଥିଲା। ୧୯୬୪ ଠାରୁ ଆର୍ଭ କରି ୧୯୭୭, ୨୦୦୬, ୨୦୧୪ମସିହାରେ ଏହି ରେଳପଥ ନେଇ ରେଳମନ୍ତ୍ରାଳୟ ପକ୍ଷରୁ ସର୍ଭେ କାମ କରାଯାଇଥିଲା। ୨୦୧୮ରେ ରେଳମନ୍ତ୍ରାଳୟ ତରଫରୁ ଏହି ରେଳପଥ ନିର୍ମାଣ ପାଇଁ ୯୩୫.୭୨କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା। ଗୁଣପୁର-ଥେରୁବାଲି ରେଳପଥରେ ୮ଟି ବୃହତ ବ୍ରିଜ ଓ ୧୧୩ଟି ଛୋଟ ବ୍ରିଜ ନିର୍ମାଣ କରିବାକୁ ଏହି ଯୋଜନାରେ ରହିଥିଲା। ଏହି ରେଳପଥରେ ୫୬ଚି ଲେବେଲ କ୍ରସିଂ ରହିବ। ସମୁଦାୟ ୫୫୯ ହେକ୍ଟର ଜମିର ଅଧିଗ୍ରହଣ କରିବାର ଆବଶ୍ୟକତା ରହିଛି। ଏହି ରେଳପଥ ରାୟଗଡା ଜିଲାର କୁଜେନ୍ଦ୍ରୀ, ପେଣକା, ଦେଉଳା, ରାମନାଗୁଡା, ବାଙ୍କିଲି ଦେଇ ଥେରୁବାଲିରେ ମିଶିବ ୨୦୨୩ ସମୟସୀମା ମଧ୍ୟରେ ଏହି ରେଳପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ନେଇ ରେଳମନ୍ତ୍ରାଳୟ ୨୦୧୮ରେ ଘୋଷଣା କରିଥିଲା। ଗୁଣପୁର-ଥେରୁବାଲି ରେଳପଥ ନିର୍ମାଣ ହେଲେ କେବିକେ ଜିଲାରୁ ରାଜ୍ୟ ରାଜଧାନୀ ଭୂବନେଶ୍ୱରକୁ ୧୫୦କିମି ଦୂରତ୍ୱ କମିବ। ଦାମନଯୋଡି,ର ନାଲକୋ, ଲାଞ୍ଜିଗଡର ବେଦାନ୍ତ, ଥେରୁବାଲିର ଇମ୍ପା, ଉତ୍କଳ ଆଲୁମିନା, ଜେକେ କାଗଜକଳ ଇତ୍ୟାଦି ଛୋଟବଡ କମ୍ପାନୀର କଞ୍ଚାମାଲ ଆମଦାନୀ ଓ ରପ୍ତାନୀ ନେଇ ବେଶ ସହାୟକ ହୋଇପାରିବ।
ଏହି ରେଳପଥ ନିର୍ମାଣ ଆଜି ସୁଦ୍ଧା ଇଞ୍ଚ କାମ ହୋଇନାହିଁ। ଏହି ରେଳପଥର ପରିକଳ୍ପନା ଶୀତଳ ଭଣ୍ଡାରରେ ପଡିରହିଛି। ରାଜ୍ୟ ସରକାର କେନ୍ଦ୍ର ଓ କେନ୍ଦ୍ର ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଚୁପ ରହୁଛନ୍ତି। ଆଜି ଏନେଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ପାର୍ଲାମେଣ୍ଟରେ ଏହି ରେଳପଥ ନେଇ ଏକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାର ଜମି ମାଗଣାରେ ଦେବା ସହ ପ୍ରକଳ୍ପ କାର୍ଯ୍ୟର ୫୦ପ୍ରତିଶତ ଖର୍ଚ୍ଚ ବହନ କଲେ ଏହି ପ୍ରକଳ୍ପ କାର୍ଯ୍ୟକାରିତା କରାଯିବ ବୋଲି କହିଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିନାହାନ୍ତି। କିନ୍ତୁ ରେଳମନ୍ତ୍ରାଳୟକୁ ଜମି ରାଜ୍ୟ ସରକାର ମାଗଣାରେ ପ୍ରଦାନ କରିବାକୁ ସହମତି ପ୍ରକାଶ କରିଥିବା ବେଳେ ପ୍ରକଳ୍ପ ନେଇ ସମସ୍ତ ଖର୍ଚ୍ଚ ରେଳବିଭାଗ ଉପରେ ଛାଡି ଦେଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ଯିଏ ଯାହାର ଜିଦରେ ଅଟଳ ଥିବାବେଳେ ଏହି ପ୍ରକଳ୍ପ ଅଗ୍ରଗତି ହୋଇ ପାରୁନାହି। ଦିନକୁ ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପୁଞ୍ଜିଭୁତ ହେବାର ଲାଗିଛି। ଆଗାମୀ ଦିନରେ ଏହି ପ୍ରସଙ୍ଗ ନେଇ ବଡଧରଣର ଆନ୍ଦୋଳନ କରିବାକୁ ସ୍ଥାନୀୟ ଅଞ୍ଚଳରେ ସଜବାଜ ହେଉଥିବା ଦେଖିବାକୁ ମିଳିଛି।



