ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ବ୍ଲକ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମରେ କୋରାପୁଟ ବିଭାଗ ସ୍ତରୀୟ ଗ୍ରାମ ବିକାଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ଗ୍ରାମବିକାଶ ପ୍ରମୁଖ ଡାକ୍ତର ଦୀନେଶଜୀ ଉପସ୍ଥିତ ରହି ଗ୍ରାମର ବିକାଶରେ ଦେଶର ବିକାଶ ସମ୍ଭବ ହୋଇପାରିବ । ପ୍ରତିଦିନ ପରିବେଶ ସଫା ସହ ନିଶା ନିବାରଣ ଉପରେ ଗୁରୁତ୍ୱଆରୋପ କରିଥିଲେ । ଗାଁର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ଉଦ୍ୟମ କରିବାକୁ କହିଥିଲେ । କ୍ଷେତ୍ରୀୟ ପ୍ରମୁଖ ଅଶୋକ କୁମାର ପାଢ଼ୀ ଭାରତରେ ବହୁ ଗ୍ରାମର ବିକାଶ ହୋଇଥିବା ବେଳେ ଏହି ଗ୍ରାମର ଉଦାହରଣ ଦେଇ ଏହାକୁ ନିରନ୍ତର ଚାଲୁ ରଖିବାକୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ନବରଙ୍ଗପୁର ଜିଲ୍ଲା ସଂଘଚାଳକ ମହେଶ୍ୱର ବିଷୋୟୀ ନିତ୍ୟ ଶାଖାରୁ ଗ୍ରାମର ସର୍ବାଙ୍ଗୀନ ବିକାଶର ଗୁରୁତ୍ୱ ପ୍ରଦାନ କରିଥିଲେ। ବିଶ୍ୱହିନ୍ଦୁ ପରିଷଦର ଖଣ୍ଡ ସଭାପତି ଦାମୋଦର ବିଷୋୟୀ ସଭାର ପୌରୋହିତ୍ୟ କରିଥିଲେ। ଜିଲ୍ଲା ଗ୍ରାମ ବିକାଶ ପ୍ରମୁଖ ହରେକୃଷ୍ଣ ବିଷୋୟୀ ମଞ୍ଚ ସଂଚାଳନ କରିଥିଲେ।
ପଲିଥିନ ମୁକ୍ତ ଗ୍ରାମ ଭାବେ ଉଦାହରଣ ହୋଇଥିବା କୁଜାଜାନୀଗୁଡାର ଗୋପୀ ଜାନୀଙ୍କୁ ମୁଖ୍ୟ ଅତିଥି ଡାକ୍ତର ଦୀନେଜୀ ସମ୍ମାନିତ କରିଥିଲେ। ପରିବେଶ ସଚେତନତା, ବୃକ୍ଷ ରୋପଣ, ଆଧ୍ୟାତ୍ମିକ ଆଦି କାର୍ଯ୍ୟରେ ନିଜର ଅବଦାନ ପାଇଁ ମଧ୍ୟ ମୁଖ୍ୟ ଅତିଥି ତଥା ମଞ୍ଚାସୀନ ଅତିଥି ଦ୍ୱାରା ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ସେମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାଶ, ଏକାଧିକ ବର ବୃକ୍ଷ ରୋପଣ କରିଥିବା ଜନାର୍ଦ୍ଦନ ବିଷୋୟୀ, ଜ୍ୟୋତିଷ ବିଷାରଦ ରମାକାନ୍ତ ତ୍ରିପାଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରମେଶ ଚନ୍ଦ୍ର ବିଷୋୟୀ, କୃଷକ ସାଥି କେ.ନରସିଙ୍ଗ ମୂର୍ତ୍ତି,ସମାଜସେବୀ ଗୋକୁଳ ପଟ୍ଟନାୟକ, ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ଭର ବିଷୋୟୀ,ବ୍ରଜମୋହନ ବିଷୋୟୀ, ପରିବେଶ ସଚେତକ ହରି ନାୟକ, ହରିକଥା ପ୍ରଚାରକ ମଧୁସୂଦନ ବିଷୋୟୀ, ବ୍ଳକ ଅଧକ୍ଷା ଦେବକୀ ନାୟକ, ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୂର୍ୟ୍ୟ ରନ୍ଧାରୀ ଥିଲେ।କାର୍ୟ୍ୟକ୍ରମ ଆରମ୍ଭରେ ଗ୍ରାମ ପରିକ୍ରମା ସମୟରେ ଗ୍ରାମର ସମସ୍ତ ଘର ଆଗରେ ଝୋଟି ପୂର୍ଣ୍ଣ କଳସ, ତୋରଣ, ସଂକୀର୍ତ୍ତନ, ହୁଳହୁଳି ସହ ଭବ୍ୟ ସ୍ୱାଗତ କରାଯାଇଥିଲା। ବ୍ରାହ୍ମ ମୂହୁର୍ତ୍ତରେ ମହିଳା ମାନଙ୍କ ସହ ପ୍ରଭାତ ଫେରି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଖ ପାଖ ଅଂଚଳର ବହୁ ଜନସାଧାରଣ ଯୋଗ ଦେଇଥିଲେ ।



