ନୂଆଦିଲ୍ଲୀ : କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ରୋକିବାକୁ କେନ୍ଦ୍ର ସରକାର ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏହି ମନ୍ତ୍ରୀଗୋଷ୍ଠୀର ନେତୃତ୍ୱ ନେଉଛନ୍ତି। କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ରୋକିବାକୁ ଥିବା ଆଇନଗତ ଓ ସଂସ୍ଥାଗତ ନିୟମାବଳୀକୁ ଶକ୍ତିଶାଳୀ କରିବା ଉପରେ ଏହି ମନ୍ତ୍ରୀଗୋଷ୍ଠୀ ଗୁରୁତ୍ୱ ଦେବ। ଆଇନଗତ ଓ ସଂସ୍ଥାଗତ ନିୟମକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉଛି କି ନାହିଁ ତାକୁ ତର୍ଜମା କରାଯିବ। ଯଦ୍ଦ୍ୱାରା ଯୌନ ନିର୍ଯାତନା ଭଳି ମାମଲାକୁ ହ୍ରାସ କରାଯାଇପାରିବ। ମନ୍ତ୍ରୀ ଗୋଷ୍ଠୀରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ। ଏହି ମନ୍ତ୍ରୀ ଗୋଷ୍ଠୀ ୩ମାସ ମଧ୍ୟରେ ମହିଳାଙ୍କ ସୁରକ୍ଷା ପାଇଁ ରହିଥିବା ନୀତି ନିୟମକୁ ଅନୁଧ୍ୟାନ କରିବା ପୂର୍ବକ ଭବିଷ୍ୟତ ପଦକ୍ଷେପ ପାଇଁ ସୁପାରିସ କରିବ। ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାର ଅଭିଯୋଗ ଉପସ୍ଥାପନ ପାଇଁ ବର୍ତ୍ତମାନ ଚାଲିଥିବା ମି ଠୁ ଅଭିଯାନ ପରିପ୍ରେକ୍ଷୀରେ ଏହି ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଛି। ଏହି ମି ଠୁ ଅଭିଯାନକୁ ନେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍ଜେ ଆକବର ଇସ୍ତଫା ଦେଇଛନ୍ତି। ଆକବର ତାଙ୍କ ସାମ୍ବାଦିକତା ବୃତ୍ତି ସମୟରେ ବିଭିନ୍ନ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି।
Popular Categories



