ଗୁଆହାଟୀ: ବହୁ ପ୍ରତୀକ୍ଷିତ ଆସାମର ଚୂଡ଼ାନ୍ତ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ(ଏନଆରସି) ତାଲିକା ଶନିବାର ପ୍ରକାଶ ପାଇଛି। ପୂର୍ବାହ୍ନ ୧୦ଟା ପରେ କେନ୍ଦ୍ର ସରକାର ଅନ୍ଲାଇନରେ ଏହି ତାଲିକା ସାର୍ବଜନୀନ କରିଛନ୍ତି। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ଦୀର୍ଘବର୍ଷ ଧରି ରାଜ୍ୟରେ ରହିଆସୁଥିବା ୧୯ ଲକ୍ଷ ୬ ହଜାର ୬୫୭ ଜଣ ନାଗରିକ ବିଦେଶୀ ହୋଇଯାଇଛନ୍ତି। ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ତାଲିକାରେ ମୋଟ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣଙ୍କୁ ସ୍ଥାନ ମିଳିଛି।
ଯେକେହି nrcassam.nic.in ୱେବ୍ସାଇଟ୍କୁ ଯାଇ ଏହି ତାଲିକା ଦେଖିପାରିବେ। ସୁପ୍ରିମକୋର୍ଟଙ୍କ ନିରୀକ୍ଷଣରେ ଆସାମରେ ନାଗରିକତା ଚିହ୍ନଟ କାର୍ଯ୍ୟ ହୋଇଛି। ତାଲିକା ପ୍ରକାଶ ପରେ ରାଜ୍ୟର ୧୯ଲକ୍ଷରୁ ଅଧିକ ଲୋକ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ତେବେ ତାଲିକାରେ ନାମ ନ ଥିବା ଲୋକମାନେ ଭୟଭୀତ ନ ହେବା ଏବଂ ସେମାନଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାର ଅଶ୍ଵାସନା ଦେଇଛନ୍ତି। ଯେଉଁମାନେ ତାଲିକାରେ ସନ୍ତୁଷ୍ଟ ନାହାନ୍ତି, ସେମାନେ ବିଦେଶୀ ଟ୍ରିବ୍ୟୁନାଲ ସମ୍ମୁଖରେ ଆବେଦନ କରିପାରିବେ।
ଅନ୍ୟପଟେ ତାଲିକା ପ୍ରକାଶ ପରେ କୌଣସି ସ୍ଥାନରେ ଉତ୍ତେଜନା କିମ୍ବା ହିଂସା ସୃଷ୍ଟି ହେବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ କରାଯାଇଛି। ୨ ହଜାର ଅର୍ଦ୍ଧସାମରିକ ବାହିନୀ ସଜାଗ ରହିଛନ୍ତି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି।



