ଅଳଙ୍କାର ସଫା ଆଳରେ ଲୁଟିଲେ ଦୁର୍ବୃତ୍ତ; ଘଟଣାରେ ୨ ଅଭିଯୁକ୍ତ ସମେତ ଜଣେ ସୁନାରୀ ଗିରଫ

ଗୋପାଳପୁର: ଗୋଳନ୍ଥରା ପୁଲିସକୁ ମିଳିଛି ବଡ ସଫଳତା । ସଫେଇ ଆଳରେ ଲୁଟ କରୁଥିବା ଏକ ଗ୍ୟାଙ୍ଗର ୨ ଅଭିଯୁକ୍ତ ସମେତ ଜଣେ ସୁନାରୀକୁ ଗିରଫ କରିଛି ପୁଲିସ । ତାହା ସହ ୧୮୬.୫ ଗ୍ରାମ ଓଜନର ସୁନା ଅଳଙ୍କାର ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିହାରର ତେତ୍ରାପୁରର ଭରତ ସାହ ,ମଝିଆଦପୁରର ଦିନେଶ ପ୍ରସାଦ ସାହ ଏବଂ ସୁନା ରଖୁଥିବା ଅଭିଯୋଗରେ ବ୍ରହ୍ମପୁର ଗିରି ମାର୍କେଟ ଅନ୍ତର୍ଗତ ଗୋରିଲା ସାହିର ପି ରାଜେଶ କୁମାର ବୋଲି ପୁଲିସ ସୂଚନା ଦେଇଛି ।
ଅଭିଯୋଗ ଅନୁଯାୟୀ ଗତ ସେପ୍ଟେମ୍ବର ୨୪ ତାରିଖରେ ରାଳବର ନିରୁପମା ନନ୍ଦ ଘରେ ଏକଟୁଆ ଥିବା ବେଳେ ଦୂଇ ଯୁବକ ଘରେ ପହଞ୍ଚି ସୁନା ଓ ରୂପା ଅଳଙ୍କାର ସଫା କରିବାକୁ କହିଥିଲେ । ଏଥିରେ ନିରୁପମା ରାଜି ହେବା ସହ ଘରେ ଥିବା ଏକ ସୁନା ଚେନ ସହ ଏକ ମଙ୍ଗଳ ସୁତ୍ର ସଫା କରିବାକୁ ଦେଇଥିଲେ । କିନ୍ତୁ ଦୁଇ ଯୁବକ କୌଶଳ କ୍ରମେ ସୁନା ଚେନ ଓ ମଙ୍ଗଳ ସୁତ୍ର ଲୁଟି ନେଇଥିଲେ । ପରେ ଏନେଇ ନିରୁପମା ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲା ।

ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୪୮/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଦୁଇ ଅଭିଯୁକ୍ତକୁ ଥାନା ନେଇ ପଚରା ଉଚୁରା ସମୟରେ ସେମାନଙ୍କ ଏକ ୪ ଜଣିଆ ଗ୍ୟାଙ୍ଗ ସୁନା ସଫେଇ ସମେତ ସୁନା ଋଣ ଦେବାର ପ୍ରଲୋଭନ ଦେଖାଇ ଗୋଳନ୍ଥରା ସମେତ ଦିଗପହଣ୍ଡି, କେ ନୂଆଗାଁ ଏବଂ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ମେଳିଆପୁଟ ଥାନା ଅଞ୍ଚଳରେ ବିଭିନ୍ନ ଚୋରିରେ ସାମିଲ ରହିଥିବା ସ୍ବୀକାର କରିଥିଲେ ।
ଦୁଇ ଅଭିଯୁକ୍ତଙ୍କ ବୟାନ ଅନୁସାରେ ସେମାନେ ଲୁଟ କରୁଥିବା ସୁନା ଗୁଡିକୁ ବ୍ରହ୍ମପୁରର ସୁନାରୀ ରାଜେଶକୁ ବିକ୍ରି କରୁଥିବା ପ୍ରକାଶ କରିଥିଲେ । ଏହାକୁ ଆଧାର କରି ପୁଲିସ ରାକେଶକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୮୬.୫ ଗ୍ରାମ ଓଜନର ସୁନା ଅଳଙ୍କାର, ଜବତ କରିଛି । ପରେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Comments are closed.