ଗୁରୁଡ଼ିଝାଟିଆ : ଲୋକସେବକ ମଣ୍ଡଳ ଓ ‘ସମାଜ’ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ସେବିକା ଦିବସ ତଥା ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ଦିବସ ପାଳିତ ହୋଇଛି। ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ଡ.ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ନାଇଟିଙ୍ଗେଲଙ୍କ ପ୍ରତ୍ୟାଶା ବିହୀନ ନିର୍ଲିପ୍ତ ରୋଗୀ ସେବା ପ୍ରତ୍ୟେକ ସେବିକାଙ୍କ ପାଇଁ ଉଦାହରଣ। ମୁମୂର୍ଷୁ ରୋଗୀଙ୍କ ମୁହଁରେ ଚେନାଏ ହସ, ସାନ୍ତ୍ବନା ଭରି ଦେବା, ବଞ୍ଚିବାର ରାହା ସୃଷ୍ଟି କରିବା ହେଉଛି ସେବିକାଙ୍କ ଭୂଷଣ। ଯାହା ସେବିକାଙ୍କୁ ସମାଜରେ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ କରାଇଥାଏ।
‘ଜିମ୍ସାର‘ ପରିଚାଳନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଜେନା କହିଥିଲେ ଯେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ନୀତି ଆଦର୍ଶରେ ଗୋପବନ୍ଧୁ ଚିକିତ୍ସାଳୟ ଓ ସେବିକା ମହାବିଦ୍ୟାଳୟ ପ୍ରତିଷ୍ଠିତ ହୋଇଛି। ସମାଜରେ ତଳସ୍ତରରେ ଥିବା ଦୁଃଖୀ ଓ ଅଭାବୀଙ୍କ ମୁହଁରେ ହସ ଫୁଟାଇବା ‘ଦାସେ ଆପଣେ’ଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା। ତେବେ ସେବିକା ବିଦ୍ୟାର୍ଥୀ ରୋଗୀ ସେବାବେଳେ ପର-ଆପଣା ଓ ଧନୀ-ଦରିଦ୍ର ଭାବନାରୁ ଦୂରରେ ରହିବା ଆବଶ୍ୟକ ବୋଲି ସେ କହିଥିଲେ। ଲୋକସେବକ ମଣ୍ଡଳର ବରିଷ୍ଠ ସଦସ୍ୟ ନିରଞ୍ଜନ ରଥ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ସେବିକାଙ୍କ ରୋଗୀସେବା ପ୍ରତିଷ୍ଠାନର ଗୌରବ ବୃଦ୍ଧିରେ ସହାୟକ ହେବା ସହ ଅଧ୍ୟୟନରତ ସେବିକା ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।
ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡୱିନ ଆନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ନିର୍ଦେଶକ ଶିବରାମ ମିଶ୍ର ଓ ମହାବିଦ୍ୟାଳୟ ଉପାଧ୍ୟକ୍ଷ ବାବି ଏସ୍ ପି ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପିକା ମଧୁସ୍ମିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାର୍ଥୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରୀମାନେ ରଙ୍ଗୋଲି ଜରିଆରେ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଚିତ୍ର ପ୍ରଦର୍ଶିତ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ମୁରବି, ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।
ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ସେବିକା ଦିବସ
Popular Categories



