ଗ୍ରାମାଞ୍ଚଳରେ ଶୁଭୁ ନାହିଁ ହମା ରଡ଼ି,ଦିଶୁ ନାହିଁ ଗୋଧୂଳି ଏବେ ସାତସପନ !

ସାରନଗରୀ : ସମୟ ବଦଳିବା ସହିତ ବଦଳିଯାଇଛି ଗ୍ରାମ୍ୟ ପରିବେଶର ସବୁଜିମା ଚିତ୍ରପଟ୍ଟ ତାହା ସହିତ ବଦଳିଯାଇଛି ସଂସ୍କୃତି ସହ ଜଡ଼ିତ ଅପୂର୍ବ ଦୃଶ୍ୟପଟ । ଯାହାମଧ୍ୟରୁ ସାୟାହ୍ନର ଗୋଧୂଳି ଦୃଶ୍ୟ ଅନ୍ୟତମ। ସୁନ୍ଦରଗଡ଼ ଜିଲା ଲାଠିକଟା ବ୍ଲକ ଏକ ଆଦିବାସୀବହୁଳ ଅଂଚଳ । ଏଠାକାର ବାସିନ୍ଦା ମାନଙ୍କର ପେଶା ହେଲା ମୁଖ୍ୟତଃ କୃଷି, ପଶୁପାଳନ ଏବଂ ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ।  ଦିନଥିଲା ଏହି ଅଂଚଳରେ ବାସ କରୁଥିବା କୃଷକମାନଙ୍କ ଗୁହାଳରେ ଗାଈ, ଗୋରୁ, ମଇଁଷି ତଥା ଛେଳି-ମେଣ୍ଢାଙ୍କ ଚାହିଦା ଆକାଶ ଛୁଆଁଥିଲ। । ଏମାନଙ୍କର ରକ୍ଷଣାବେକ୍ଷଣ ପାଇଁ ଗ୍ରାମର ଗୌନ୍ତିଆ ଓ ଗଂଜୁମାନେ ସ୍ୱତନ୍ତ୍ର ଧାଙ୍ଗଡ଼ (ଚାକର)ରଖୁଥିଲେ । ସେମାନେ ପ୍ରତିଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଜଣେ ଗାଈଆଳ ଶତାଧିକ ଗାଈବାଛୁରୀଙ୍କ ବେକରୁ ପଘା ଫିଟାଇ ଗୁହାଳରୁ ନେଇ ଯାଇ ବାହାର ଜାଗାରେ ଘାସ ଲଟାପତ୍ର ଚରାଉଥିଲ। । ସୂର୍ଯ୍ୟ ଅସ୍ତାଚଳକୁ ଯିବା ସମୟରେ ସେମାନଙ୍କୁ ଘରକୁ ଫେରାଇ ଆଣୁଥିଲେ।  ଏହି ସମୟର ଦୃଶ୍ୟ ବାସ୍ତବରେ ଅବର୍ଣ୍ଣନୀୟ । ସେହି ସମୟକୁ ଗୋଧୂଳି ଲଗ୍ନ କୁହାଯାଉଥିଲ। । ଗୋରୁ ପଲଙ୍କ ପାଦ ଖୁରାରୁ ସୃଷ୍ଟି ଧୂଳିର ବାତାବରଣ ଏବଂ ଜଗୁଆଳିର କୁହାଟ ସଭିଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରୁଥିଲ। । ମାତ୍ର ବର୍ତମାନ ସମୟ ବଦଳିବା ସହିତ ଲାଠିକଟା ସଦର ମହକୁମାକୁ ଲାଗି ରହିଥିବା ୫ଟି ଗ୍ରାମ ପଂଚାୟତର ପାରମ୍ପାରିକ ରୂପରେଖ ମଧ୍ୟ ବଦଳିଯାଇଛି । ହଳ କାମରେ ନିୟୋଜିତ ବଳଦ ଓ ମଇଁଷିଙ୍କ ସ୍ଥାନ ନେଇ ସାରିଛି ବିଭିନ୍ନ ଯାନ୍ତ୍ରିକ ଉପକରଣ। ବର୍ତମାନ ସହରାଭିମୁଖୀ ଗ୍ରାମାଞ୍ଚଳ, ଗଳିକନ୍ଦି ଚାରିଆଡ଼େ ସିମେଣ୍ଟ କଂକ୍ରିଟ ରାସ୍ତା ହୋଇଯିବା ଯୋଗୁଁ ଗୋଧୂଳି ଉଡ଼ୁ ନାହିଁ । ଶୁଭୁ ନାହିଁ ଗାଈଆଳର କୁହାଟ ବା ଗାଈମାନଙ୍କ ହମା ରଡ଼ି । ପାଳିତ ଗାଈଗୋରୁଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବାରୁ ଶ୍ରୀହୀନ ହୋଇଯାଇଛି ଗାଁ  ଦାଣ୍ଡ । କେତେକ ଗ୍ରାମାଞ୍ଚଳରେ ଗୋରୁଗାଈ ଗୋଠ ଦେଖିବାକୁ ମିଳୁଥିବାରୁ ଅତୀତର ସ୍ମୃତି ଉଜ୍ୱିବୀତ ହେଉଛି । ଏହାବ୍ୟତୀତ ଅନେକ ଗ୍ରାମରେ ଗାଈଗୋରୁ ସଂଖ୍ୟା ହ୍ରାସ ପାଇଥିବାରୁ ଲାଠିକଟା ବ୍ଲକ ଅର୍ନ୍ତଗତ କେତେକ ଗ୍ରାମାଞ୍ଚଳରେ ଅତୀତରେ ହୋଇ ଆସୁଥିବା ସାପ୍ତାହିକ ଗୋରୁ ହାଟ ବନ୍ଦ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି ।  ତେଣୁ ସେହି ପୁରୁଣା ଦିନର ଗୋଧୁଳିର ଦୃଶ୍ୟ ହଜିବାକୁ ବସିଲାଣି ଏବଂ ଏହା କେବଳ ସ୍ମୃତି ମଧ୍ୟରେ ସୀମିତ ହୋଇ ରହିଯିବ ବୋଲି ମନକୋ, ରାମଯୋଡ଼ି, ଡ଼ଲାକୁଦାର ଓ ମୁଣ୍ଡାଯୋର ଅଂଚଳର କେତେକ ପ୍ରକୃତିପ୍ରେମୀ ବୟୋବୃଦ୍ଧ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ସମୟ ଚକ ପରିବର୍ତନରେ ଦୁନିଆ ବଦଳି ଯାଇଛି ସିନା ଅତୀତର ସ୍ମୃତିଚାରଣ କରିବାରେ ବେଳେବେଳେ ଆଗାମୀ ପିଢି ପାଇଁ ପ୍ରେରଣା ଯୋଗାଇ ଦେଇଥାଏ। ବାସ୍ତବରେ ଏହି ଗୋଧୂଳି ଦୃଶ୍ୟ ଆମ ପରପିଢିଙ୍କ ପାଇଁ କଣ ସାତସପନ ପାଲଟିିିବ ତାହା ଆଗାମୀ ସମୟ ହିଁ କହିବ ।

kalyan agarbati

Comments are closed.