ନୂଆଦିଲ୍ଲୀ : ଗିରିରାଜ ପ୍ରସାଦ ଗୁପ୍ତା ଗୁରୁବାର ନୂଆଦିଲ୍ଲୀଠାରେ ମହାଲେଖା ନିୟନ୍ତ୍ରକ (ସିଜିଏ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ଗୁପ୍ତା ହେଉଛନ୍ତି ଜଣେ ୧୯୮୩ ବ୍ୟାଚ ଭାରତୀୟ ସିଭିଲ ଆକାଉଣ୍ଟ ସେବା(ଆଇସିଏଏସ) ଅଧିକାରୀ। ସେ ଅଗଷ୍ଟ ୧ରୁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗରେ ମହାଲେଖା ନିୟନ୍ତ୍ରକ ଭାବେ ନିଯୁକ୍ତ ହୋଇଛନ୍ତି।
କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ନେଇ ତାଙ୍କର ଅନେକ ଅଭିଜ୍ଞତା ରହିଛି। କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି), ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏବଂ ଅର୍ଥ ମନ୍ତ୍ରଣାଳୟରେ ଅନେକ ଉଚ୍ଚ ପଦବୀରେ ସେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ଜାତୀୟ ଆର୍ଥିକ ପ୍ରବନ୍ଧନ ପ୍ରତିଷ୍ଠାନ (ଏନଆଇଏଫଏମ), ଫରିଦାବାଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।
ପୂର୍ବରୁ ଅତିରିକ୍ତ ମହାଲେଖା ନିୟନ୍ତ୍ରକ ଭାବେ ସେ ସାର୍ବଜନୀନ ଆର୍ଥିକ ପରିଚାଳନା ପଦ୍ଧତି (ପିଏଫଏମଏସ) ବିକାଶ ଓ ପରିଚାଳନାରେ ସଫଳତାର ସହ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ। ଯାହାକୁ କି ପ୍ରତ୍ୟକ୍ଷ ଲାଭାଂଶ ହସ୍ତାନ୍ତରଣ (ଡିବିଟି) ପାଇଁ ଭାରତ ସରକାରଙ୍କ ଆର୍ଥିକ ପରିଚାଳନା ବ୍ୟବସ୍ଥାର ପ୍ରମୁଖ ଭିତିଭୂମି ଭାବେ ଗ୍ରହଣ କରାଯାଇଥାଏ। ଶ୍ରୀ ଗୁପ୍ତା ମଧ୍ୟ ଭୁଟାନରେ ମେଗା ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପର ନିର୍ଦ୍ଦେଶକ (ଆର୍ଥିକ) ଭାବେ କାର୍ଯ୍ୟ କରିଥିଲେ।



