ସମ୍ବଲପୁର ବିଶ୍ୱବିଦ୍ୟାଳୟ : କବି କମଲ ଭୋରାଙ୍କୁ ‘ଗଙ୍ଗାଧର ଜାତୀୟ ସମ୍ମାନ’

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦାଜନକ ‘ଗଙ୍ଗାଧର ଜାତୀୟ ସମ୍ମାନ’ (କବିତା) ପାଇଁ ୨୦୨୦ ମସିହା ସକାଶେ ଗୁଜୁରାଟୀ ଭାଷାର ପ୍ରଖ୍ୟାତ କବି ତଥା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କମଳ ଭୋରା ମନୋନୀତ ହୋଇଛନ୍ତି। ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ପୁରସ୍କାର ସ୍ୱରୂପ ତାଙ୍କୁ ନଗଦ ୧ ଲକ୍ଷ ଟଙ୍କା, ପ୍ରଶସ୍ତିପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଥିବା କୁଳସଚିବ ନୃପରାଜ ସାହୁ ସୂଚନା ଦେଇଛନ୍ତି।
୧୯୫୦ ମସିହାରେ ଜନ୍ମିତ କବି କମଲ ଭୋରା ଜଣେ ସୃଜନଶୀଳ କବି ଭାବରେ ପରିଚିତ। ୨୦୧୬ରେ ତାଙ୍କ ସଙ୍କଳନ ‘ଅନେକାନେକ୍‌’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲେ। ତାଙ୍କ ଅନ୍ୟ ଏକ ପୁସ୍ତକ ‘ଅର୍ଭ୍‌’କୁ ଉମାଶଙ୍କର ଯୋଶୀ ପୁରସ୍କାର ପ୍ରଦାନ କରାଯାଇଥିଲା। କବିତା ସହିତ ଗଳ୍ପ ରଚନା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କବି ଶ୍ରୀ ଭୋରା କେନ୍ଦ୍ର ସାହିତ୍ୟ ଏକାଡେମୀର ଗୁଜୁରାଟୀ ପରାମର୍ଶଦାତା ବୋର୍ଡ ସଦସ୍ୟ ଭାବରେ ମଧ୍ୟ କାମ କରିଥିଲେ। ସେ ୧୯୭୧ ମସିହାରୁ କବିତା ରଚନା ଆରମ୍ଭ କରିଥିଲେ। ତାଙ୍କ ଅନେକ କୃତି ‘ଇଣ୍ଡିଏନ୍‌ ଲିଟ୍‌ରେଚର’, ‘ଚିକାଗୋ ରିଭ୍ୟୁ’, ‘ଅାନ୍ଥୋଲୋଜି ଅଫ୍‌ ଏସିଏନ୍‌ ପଏଟସ୍‌’ରେ ସ୍ଥାନ ପାଇଛି। ସେହିଭଳି ତାଙ୍କ ଅନେକ କବିତା ହିନ୍ଦୀ, ମରାଠୀ, ବଙ୍ଗଳା, କନ୍ନଡ଼, ଇଂରାଜୀ ପ୍ରଭୃତି ଭାଷାରେ ଅନୁବାଦିତ ହେବା ସହିତ ପ୍ରକାଶିତ ହୋଇଛି। ସେ ୨୦୧୦ ମସିହାରୁ ଗୁଜୁରାଟୀ ପତ୍ରିକା ‘ଇତଦ୍‌’ର ସମ୍ପାଦନା କରୁଛନ୍ତି। ତାଙ୍କର ସଂକଳନ ମାନଙ୍କ ମଧ୍ୟରେ ‘ଅନେକ ଏକ୍‌’ ମଧ୍ୟ ପାଠକୀୟ ଆଦୃତି ହାସଲ କରିଛି। ସେ ମହାରାଷ୍ଟ୍ର ରାଜ୍ୟ ଗୁଜୁରାଟୀ ସାହିତ୍ୟ ଏକାଡ଼େମୀ, ଗୁଜୁରାତ ସାହିତ୍ୟ ଏକାଡ଼େମୀ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି। ଆଧୁନିକ ଭାରତୀୟ କବିତା ସଂକଳନକୁ ମଧ୍ୟ ସେ ସମ୍ପାଦନା କରିଥିଲେ।
ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୯୧ ମସିହାରୁ ଭାରତୀୟ ଭାଷାର କବିତା ପାଇଁ ଗତବର୍ଷ ପର୍ଯ୍ୟନ୍ତ ୨୯ ଜଣ ପ୍ରଖ୍ୟାତ କବି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ନାମରେ ନାମିତ ‘ଗଙ୍ଗାଧର ଜାତୀୟ ସମ୍ମାନ-କବିତା’ ପ୍ରାପ୍ତ କରିଛନ୍ତି। ଆଇଏଏସ ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ରାଜେନ୍ଦ୍ର କିଶୋର ପଣ୍ଡା ବିଶ୍ୱବିଦ୍ୟାଳୟର କୁଳପତି ଥିବାବେଳେ ୧୯୮୯ ମସିହରେ ଏହି ଜାତୀୟ ପୁରସ୍କାରର ପରିକଳ୍ପନା କରାଯାଇଥିଲା । ଅଲ୍ଲୀ ସର୍ଦ୍ଦାର ଜାଫ୍ରି, ନବକାନ୍ତ ବରୁଆ, ନବକାନ୍ତ ବରୁଆ, ଶକ୍ତି ଚଟ୍ଟୋପାଧ୍ୟାୟ, ଜୟନ୍ତ ମହାପାତ୍ର, କେଦାରନାଥ ସିଂହ, କେ. କାୟପ୍ପା ପାନିକର, ସୀତାକାନ୍ତ ମହାପାତ୍ର, ନିରୁପମା କୌର, ବିନ୍ଦା କରଣ୍ଡିକର, ରମାକାନ୍ତ ରଥ, କେ. ସଚ୍ଚିଦାନନ୍ଦନ, ଶଙ୍ଖ ଘୋଷ, ସୀତାଂଶୁ ୟାସାସ୍‌ ଚନ୍ଦ୍ର, ଦିଲୀପ ଚିତ୍ରେ, ଗୁଲଜାର, ନିଳମଣି ଫୁକନ, ହରପ୍ରସାଦ ଦାସ, ଏ.ଏମ୍.କେ. ସାହରିୟାର, ସୁରଜିତ ପତର, ରାଜେନ୍ଦ୍ର କିଶୋର ପଣ୍ଡା, ବଳରାଜ କୋମଲ, ବାସୁଦେବ ମୋହି, ସୌଭାଗ୍ୟ କୁମାର ମିଶ୍ର, ଡ. ସୁବୋଧ ସରକାର, ଲୀଲାଧର ଜାଗୋରୀ, କେ. ଶିବା ରେଡ୍ଡି, ଡ. ଚନ୍ଦ୍ରଶେଖର କମ୍ବାରା, ପ୍ରଫେସର ବିଶ୍ବନାଥ ପ୍ରସାଦ ତିୱାରୀ ଏବଂ ଗତ ୨୦୧୯ ମସିହାରେ ଉର୍ଦ୍ଦୁ କବି ସୀନ୍‌ କାଫ ନିଜାମଙ୍କୁ ଗଙ୍ଗାଧର ଜାତୀୟ ସମ୍ମାନ (କବିତା) ପ୍ରଦାନ କରାଯାଇଥିଲା।

Comments are closed.