ରାହୁଲଙ୍କ ନେତୃତ୍ବ ଉପରେ ଜି-୨୩ର ଭରସା ନାହିଁ
ପୁଣି କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀ ବୈଠକ, ବିଭାଜନ ନୁହେଁ ; ସମନ୍ବିତ ନେତୃତ୍ବ ଚାହୁଁ
ନୂଆଦିଲ୍ଲୀ : କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ ଗୁରୁବାର ସନ୍ଧ୍ୟାରେ ପୁନର୍ବାର ଏକ ବୈଠକରେ ମିଳିତ ହୋଇଥିଲେ । ଗତ ୨୪ଘଣ୍ଟା ମଧ୍ୟରେ ଏହା ସେମାନଙ୍କର ଦ୍ବିତୀୟ ବୈଠକ ଥିଲା। ସେମାନେ ରାହୁଲ ଗାନ୍ଧୀଙ୍କୁ ଦଳର ନେତା ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ରାହୁଲଙ୍କ ନେତୃତ୍ବ ପ୍ରତି ସେମାନଙ୍କର ଆସ୍ଥା ନ ଥିବା ଗୋଷ୍ଠୀର ନେତାମାନେ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ବେ ସେମାନେ ଦଳର ନେତୃତ୍ବ ପରିବର୍ତ୍ତନ ଦାବିକୁ ଦୃଢ଼ କରିବା ସହ ଦଳରେ ବିଭାଜନ ସପକ୍ଷରେ ଆଦୌ ନ ଥିବା କହିଛନ୍ତି। ଖୁବ୍ ଶୀଘ୍ର ଏହି ଗୋଷ୍ଠୀର ନେତା ଗୁଲାମନବୀ ଆଜାଦ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ସମ୍ଭାବନା ରହିଛି। ଅପରପକ୍ଷରେ ଏହି ଗୋଷ୍ଠୀର ଅନ୍ୟତମ ସଦସ୍ୟ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଦା ବୈଠକ ପୂର୍ବରୁ ଅପରାହ୍ଣରେ ରାୟୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହାକୁ ନେଇ କଂଗ୍ରେସ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ହୁଦା ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ଆଭିମୁଖ୍ୟ ସମ୍ପର୍କରେ ରାହୁଲଙ୍କୁ ଅବଗତ କରିଥିବା ଓ ଦଳରେ ବିଭାଜନର ପ୍ରଶ୍ନ ଉଠୁ ନାହିଁ ବୋଲି ତାଙ୍କୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି। ସମସ୍ତେ କଂଗ୍ରେସର ଅନୁଗତ; କେବଳ ଦଳ ଏକ ସମନ୍ବିତ, ଦକ୍ଷ ନେତୃତ୍ବ ଚାହାନ୍ତି ବୋଲି ହୁଦା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ଏହି ଗୋଷ୍ଠୀ ଗୁଲାମନବୀ ଆଜାଦଙ୍କ ନେତୃତ୍ବରେ ପ୍ରଥମ ବୈଠକ କରିଥିଲେ। ପରେ ବୁଧବାର ଦ୍ବିତୀୟ ବୈଠକ ଆଜାଦଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଶଙ୍କର ସିଂହ ବାଘେଲା ଗଣମାଧ୍ୟମକୁ ଦଳର ନେତୃତ୍ବ ପରିବର୍ତ୍ତନ ସହ ଆମୂଳଚୂଳ ସାଂଗଠନିକ ପୁନର୍ଗଠନ ସମ୍ପର୍କରେ ପ୍ରସ୍ତାବ ଗୃହୀତ ହୋଇଥିବା କହିଥିଲେ। ରାହୁଲଙ୍କ ଉପରେ ଆଉ ବିଶ୍ବାସ ବା ଭରସା ନ ଥିବା ସେ କହିଥିଲେ। ଅନ୍ୟ ଏକ ସୂଚନାନୁସାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରାପ୍ପା ମୋଇଲି ଇତିମଧ୍ୟରେ ଜି-୨୩ରୁ ଦୂରେଇ ଯାଇଛନ୍ତି। ଏହି ଗୋଷ୍ଠୀର ନେତାମାନେ ମୂଳ ଆଭିମୁଖ୍ୟରୁ ଦୂରେଇ ଯାଇଥିବା ସେ ଅଭିଯୋଗ କରିଛନ୍ତି। ଦଳର ନେତୃତ୍ବ ପ୍ରସଙ୍ଗ ରାସ୍ତାଘାଟରେ ଆଲୋଚନା ନ ହେଉ ବୋଲି ସେ କହିଛନ୍ତି।
Comments are closed.