ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ର ତରଫରୁ ‘ମହୀରା’ କୃଷକ ଉତ୍ପାଦକ କଂପାନୀ ଉଦଘାଟିତ

ପିପିଲି : କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା(ସିଫା) ପରିସରସ୍ଥ ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ର (କେଭିକେ) ଓ ଭୁବନେଶ୍ୱରର ଅଣସରକାରୀ ସଂସ୍ଥା ନିଗମର ମିଳିତ ସହଯୋଗରେ ବାଲିପାଟଣା ବ୍ଲକରେ ଆଜି ଏକ କୃଷକ ଉତ୍ପାଦକ କଂପାନୀ ଲିମିଟେଡ ଉଦ୍‍ଘାଟିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୀରା କୃଷକ ଉତ୍ପାଦକ କମ୍ପାନୀକୁ ଉଦ୍‍ଘାଟନ କରିବା ଅବସରରେ ଏଥିପାଇଁ କୃଷକ ସଭ୍ୟ କୁମୁଦିନୀ ସ୍ୱାଇଁ ତଥା ନିର୍ଦ୍ଦେଶକ ପରିଷଦଙ୍କର ଉଦ୍ୟମକୁ ସେ ଉଚ୍ଚପ୍ରଶଂସା କରିଥିଲେ। ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ସମ୍ମାନୀତ ଅତିଥିଭାବେ ଯୋଗଦେଇ ନିଜ ଅଭିଭାଷଣରେ ବାଲିପାଟଣା ବ୍ଲକ୍ର ସମସ୍ତ ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ଆଧୁନିକ ଜ୍ଞାନକୌଶଳକୁ ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ ।

ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ଶିବଶଙ୍କର ଗିରି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବାଲିପାଟଣା ବ୍ଲକର ୧୬ଟି ଗ୍ରାମପଞ୍ଚାୟତର ୩୫ଟି କୃଷକ ଗୋଷ୍ଠୀରେ ଥିବା ସମସ୍ତ ୭୦୦ କୃଷକଙ୍କୁ ଏହି ମହୀରା କୃଷକ ଉତ୍ପାଦକ କଂପାନୀର ସଦସ୍ୟ କରାଯାଇଛି । ଅଣସରକାରୀ ସଂଗଠନ ଦ୍ୱାରା କରାଯାଇଥିବା କାର୍ଯ୍ୟାବଳୀ ସଂପର୍କରେ ନିଗମର କର୍ମଚାରୀ କାଦମ୍ବିନୀ ପାତ୍ର ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଫାର ମୁଖ୍ୟ ପ୍ରଶାସନିକ ଅଧିକାରୀ ବି. କେ. ସିହ୍ନା ଉପସ୍ଥିତ ଥିଲେ। ଏଥିରେ ୧୫୦ ଜଣ କୃଷକ ଓ ମହିଳା କୃଷିଜୀବି ଯୋଗଦେଇଥିବା ବେଳେ ଏସ୍ଏମ୍ଏସ୍ ଅଜୟ କୁମାର ଦାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.