ବହୁମୁଖୀ ଆଭ୍ୟନ୍ତର କ୍ରୀଡାଙ୍ଗନର ଭିତ୍ତିପ୍ରସ୍ତର ସ୍ଥାପନ

ଆଠଗଡ :  ଆଠଗଡରେ ଏକ ନୂତନ ବହୁମୁଖୀ ଆଭ୍ୟନ୍ତର କ୍ରୀଡାଙ୍ଗନ (ଇଣ୍ଡୋର ଷ୍ଟାଡିୟମ) ନିର୍ମାଣ ପାଇଁ ସୋମବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପୂର୍ତ୍ତବିଭାଗ ପକ୍ଷରୁ ୧୨ହଜାର ବର୍ଗଫୁଟ ବିଶିଷ୍ଟ ଏହି ଆଭ୍ୟନ୍ତର କ୍ରୀଡାଙ୍ଗନ ନିର୍ମାଣ ପାଇଁ ରାଜ୍ୟସରକାର ୬କୋଟି ୧୭ ଲକ୍ଷ ୫୮ହଜାର ଟଙ୍କା ମଞ୍ଜୁର କରିଥିବାବେଳେ ଏହାର ନିର୍ମାଣ ଦାୟିତ୍ୱ ଟେଣ୍ଡର ମାଧ୍ୟମରେ ବିଏମ୍‍ ଇଂଜିନିୟରିଂ ଆଣ୍ଡ କନ୍‍ଷ୍ଟକ୍‍ସନ୍‍ କମ୍ପାନୀ ନାମକ ଠିକା ସଂସ୍ଥାକୁ ଅର୍ପଣ କରାଯାଇଛି । ଆସନ୍ତା ୯ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି।

prayash

ଆଠଗଡର ମୁଖ୍ୟ କ୍ରୀଡାଙ୍ଗନ ସନ୍ନିକଟ ଜାଗାରେ ନିର୍ମାଣ ହେବାକୁ ଥିବା ଏହି ବହୁମୁଖୀ ଆଭ୍ୟନ୍ତର କ୍ରୀଡାଙ୍ଗନର ଶିଳାନ୍ୟାସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହାର ନିର୍ମାଣ ଶେଷ ହେବା ପରେ ଆଠଗଡ ଉପଖଣ୍ଡରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ ହେବ ଏବଂ କ୍ରୀଡାବିତ୍‍ ଓ ସ୍ଥାନୀୟ ଅଞ୍ଚଳର ଉଦୀୟମାନ ଯୁବକ, ଛାତ୍ରଛାତ୍ରୀ ଏହାଦ୍ୱାରା ବେଶ୍‍ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହାଛଡା ଏହି ବହୁମୁଖୀ ଆଭ୍ୟନ୍ତର କ୍ରୀଡାଙ୍ଗନଟି ପ୍ରାକୃତିକ ଦୁର୍ବିପାକ ଯଥା ବାତ୍ୟା ଓ ବନ୍ୟା ସମୟରେ ଆଶ୍ରୟସ୍ଥଳ ରୂପେ ଏବଂ କରୋନା ମହାମାରୀ ଭଳି କୌଣସି ମହାମାରୀ ସମୟରେ ଏହା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବେ ମଧ୍ୟ କାର୍ଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏହି କ୍ରୀଡାଙ୍ଗନ ମଧ୍ୟରେ ବ୍ୟାୟାମଶାଳା, ଯୋଗ କେନ୍ଦ୍ର, ବ୍ୟାଡମିଣ୍ଟନ ଓ ଟେନିସ୍‍ ଖେଳ ସହିତ ଅନ୍ୟାନ୍ୟ ଆଭ୍ୟନ୍ତର କ୍ରୀଡା ପାଇଁ ବ୍ୟବସ୍ଥା ରହିବ। ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ, ପୂର୍ବତନ ନଗରପାଳ ସୁଚିତ୍ରା ସାହୁ ଓ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ଆଠଗଡ ଖୋ-ଖୋ ଆସୋସିଏସନର ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ, ପୂର୍ବତନ କାଉନସିଲର ଶିଶିର ପ୍ରସାଦ ମାନସିଂହ ସମାଜସେବୀ ରଞ୍ଜିତା ଭକ୍ତା, ବିନୋଦିନି ତ୍ରିପାଠୀ, ସୁଷମା ପରିଡାଙ୍କ ସମେତ ବହୁ କ୍ରୀଡାବିତ୍‍ ଯୋଗଦାନ କରି ଉଦବୋଧନ ଦେଇ ଏହି ଆଭ୍ୟନ୍ତର କ୍ରୀଡାଙ୍ଗନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ପୂର୍ତ୍ତବିଭାଗର ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ପଣ୍ଡା ଓ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.