ବେନଘାଜି: ବାତ୍ୟା ‘ଡାନିଏଲ’ ଜନିତ ବର୍ଷା ଯୋଗୁଁ ଲିବ୍ୟାରେ ଦେଖାଯାଇଥିବା ବନ୍ୟାରେ ୨ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ ୧୦ହଜାର ଲୋକ ନିଖୋଜ ହୋଇଯାଇଛନ୍ତି। ବନ୍ୟା ଯୋଗୁଁ ପୂର୍ବ ଉପକୂଳ ସହର ଡେରନାର ଏକ ଚତୁର୍ଥାଂଶ ଅଞ୍ଚଳ ଧୋଇ ଯାଇଛି। ଲିବ୍ୟା ନ୍ୟାସନାଲ ଆର୍ମି (ଏଲଏନଏ) ମୁଖପାତ୍ର ଅହମ୍ମଦ ମିସମାରି କହିଛନ୍ତି ଯେ ବର୍ଷା ଯୋଗୁଁ ଡେରନା ସହରରେ ଥିବା କେତେକ ନଦୀ ବନ୍ଧ ଭାଙ୍ଗି ଯାଇଥିଲା। ଫଳରେ ସହରରେ ବନ୍ୟା ଦେଖାଯାଇଥିଲା। ଲୋକେ ବନ୍ୟା ପାଣିରେ ଭାସି ଯାଇ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି। ମିସମାରିଙ୍କ କହିବା ଅନୁଯାୟୀ ନିଖୋଜଙ୍କ ସଂଖ୍ୟା ପ୍ରାୟ ୧୦ହଜାର ହେବ।
http://ଚିକିତ୍ସା ଆଳରେ ଡାକ୍ତରଙ୍କୁ ଅପହରଣ ଓ ଲୁଟ୍, ମହିଳାଙ୍କ ସମେତ ୪ ଗିରଫ
ଶନିବାର ଭୂମଧ୍ୟସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡାନିଏଲ’ ସୋମବାର ଲିବ୍ୟାର ଉପକୂଳ ବେନଘାଜି, ସୌସ୍, ଅଲ ବେଦା, ଅଲ-ମାର୍ଜି ଓ ଡେରନା ଦେଇ ଗତି କରିଥିଲା। ରାଜନୈତିକ ବିବାଦ ଯୋଗୁଁ ଲିବ୍ୟା ପୂର୍ବ ଓ ପଶ୍ଚିମ ନାମରେ ଦୁଇ ଭାଗରେ ବିଭକ୍ତ ହୋଇଛି। ତେଣୁ ସାଧାରଣ ପ୍ରଶାସନିକ ସେବା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଆନ୍ତର୍ଜାତିକ ସମୁଦାୟ ତ୍ରିପୋଲିରେ ଅବସ୍ଥାପିତ ସରକାରକୁ ଲିବ୍ୟାର ଶାସକ ମାନ୍ୟତା ପ୍ରଦାନ କରିଛି। ମାତ୍ର ଏହି ସରକାର ଲିବ୍ୟାର ପୂର୍ବାଞ୍ଚଳକୁ ପରିଚାଳନା କରୁ ନାହିଁ। ତ୍ରିପୋଲିରେ ଅବସ୍ଥାପିତ ସରକାର ଏହି ବନ୍ୟା ପାଇଁ ଆନ୍ତର୍ଜାତିକ ସହାୟତା ଲୋଡିଛି।



