ନୂଆଦିଲ୍ଲୀ,୧୯ା୪: କୋଭିଡ୍-୧୯ ବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ମେ ୩ରେ ଶେଷ ହେଉଛି । ତେବେ ଏହି ସମୟ ସୁଦ୍ଧା ବର୍ତ୍ତମାନ ଦେଶରେ ରେଳ ଏବଂ ବିମାନ ସେବା ଆରମ୍ଭ ହେବାର ସମ୍ଭାବନା ଢେର କମ୍ । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ) ବୈଠକରୁ ଏହା ଜଣାଯାଇଛି ।
ମେ ୩ ପରେ ମଧ୍ୟ ଆରମ୍ଭ ହୋଇ ନ ପାରେ ବିମାନ, ରେଳସେବା
ଟିକଟ ବୁକିଂ ନ କରିବାକୁ ବିମାନ କମ୍ପାନୀଙ୍କୁ ମନ୍ତ୍ରାଳୟର ନିର୍ଦେଶ
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ତାଙ୍କର ବାସଭବନରେ ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ତେବେ ମେ ୧୫ରୁ ବିମାନ ସେବା ଆରମ୍ଭ କରାଯିବା ସମ୍ଭାବନା ଥିବା ବୈଠକରୁ ଜଣାଯାଇଛି । ବର୍ତ୍ତମାନ ସ୍ଥିତିରେ ଘରୋଇ ବିମାନ କମ୍ପାନୀଗୁଡିକ ବିମାନ ଟିକଟ ବୁକିଂ କରିବା ଉଚିତ ନୁହେଁ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ବୈଠକରେ ଶ୍ରୀ ପୁରୀଙ୍କ ବ୍ୟତୀତ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । ବୈଠକର ନିର୍ଯାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଯାଇଛି। ମନ୍ତ୍ରୀ ଗୋଷ୍ଠୀର ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମତ ତଥା ପ୍ରଧାନମନ୍ତ୍ରୀଙ୍କ ସ୍ଥିତିର ଆକଳନ ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଏଭଳି ପରିସ୍ଥିତିରେ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ କରିବା ସପକ୍ଷରେ ମନ୍ତ୍ରୀ ଗୋଷ୍ଠୀ ସହମତ ନୁହେଁ। ଟ୍ରେନରେ ସାମାଜିକ ଦୂରତାକୁ କଡାକଡି ଭାବେ ପାଳନ କରିବା ସମ୍ଭବପର ନୁହେଁ। ଏୟାର ଇଣ୍ଡିଆ ଏବଂ ବେସରକାରୀ ବିମାନ କମ୍ପାନୀଗୁଡିକୁ ମଧ୍ୟ ଟିକଟ ବୁକିଂ ନ କରିବାକୁ କୁହାଯାଇଛି।
ତେବେ ଏହା ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସ୍ପଷ୍ଟ କରିଛି, ଯେ ପର୍ଯ୍ୟନ୍ତ ଘରୋଇ କିମ୍ବା ଆନ୍ତର୍ଜାତୀୟ ବିମାନ ଚଳାଚଳ କରିବା ନେଇ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିଁ ସେ ପର୍ଯ୍ୟନ୍ତ ଦେଶରେ କୌଣସି ବିମାନ ଉଡାଣ ଆରମ୍ଭ ହେବ ନାହିଁ। ମାର୍ଚ୍ଚ ୨୫ ଠାରୁ ଦେଶରେ ଲକଡାଉନ୍ ଲାଗୁ କରାଯାଇଛି । ପ୍ରଥମ ଲକ୍ ଡାଉନ୍ ୧୪ ଏପ୍ରିଲ୍ ପର୍ଯ୍ୟନ୍ତ ରହିଥିଲା, କିନ୍ତୁ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ପରେ ଏହାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି |



