ସୁପ୍ରିମକୋର୍ଟଙ୍କ ଜାତୀୟ ଟାସ୍କ ଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ, ଆରମ୍ଭ ହେଲା ଏନଟିଏଫକୁ ପରାମର୍ଶ ପୋର୍ଟାଲ

ଡେସ୍କ: ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସୁପାରିସ କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ନ୍ୟାସନାଲ ଟାସ୍କ ଫୋର୍ସର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବା ସହ ସଦସ୍ୟମାନେ ନିଜର ପରାମର୍ଶ ରଖିଥିଲେ। ଏନଟିଏଫ୍ ସଦସ୍ୟମାନେ ସୂଚନା ଦେଇଛନ୍ତି ଯେ ସେମାନଙ୍କୁ ପ୍ରାୟ ୩୦୦ରୁ ୪୦୦ ପରାମର୍ଶ ଓ ପ୍ରସ୍ତାବ ମିଳିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ୱେବସାଇଟରେ “ଏନଟିଏଫକୁ ପରାମର୍ଶ” ଶୀର୍ଷକରେ ଏକ ଜାତୀୟ ପୋର୍ଟାଲ ଆରମ୍ଭ କରିଛି ଯେଉଁଥିରେ ଦେଶର ବ୍ୟକ୍ତିବିଶେଷ ଏବଂ ବିଭିନ୍ନ ଭାଗିଦାର ପରାମର୍ଶ ଦେଇପାରିବେ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଜାତୀୟ ପୋର୍ଟାଲ ଆଜିଠାରୁ କାର୍ଯ୍ୟକ୍ଷମ କରାଯାଇଛି। ଜାତୀୟ ଟାସ୍କ ଫୋର୍ସର ସଦସ୍ୟମାନେ ପୋର୍ଟାଲରେ ପ୍ରାପ୍ତ ପରାମର୍ଶଗୁଡ଼ିକୁ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ। ରାଜ୍ୟରେ ଚିକିତ୍ସା ଅନୁଷ୍ଠାନଗୁଡ଼ିକରେ ଉପଲବ୍ଧ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି।

ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଡାକ୍ତରୀ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କରେ ସ୍ୱଳ୍ପକାଳୀନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ କେନ୍ଦ୍ର ଗୃହ ସଚିବ ଓ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ମିଳିତ ଭାବେ ଅଧ୍ୟକ୍ଷତା କରିବେ।

Comments are closed.