ରାହୁଲଙ୍କୁ ଜବାବ ଦେଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କେନ୍ଦ୍ର ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିବା ପରେ ବିରୋଧୀ କଂଗ୍ରେସ କଡ଼ା ସମାଲୋଚନା କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଦେଶରେ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିଛନ୍ତି। ଏଥିରେ ସୁଧାର ଆଣିବା ଲାଗି ସରକାର ଆରବିଆଇରୁ ଟଙ୍କା ଚୋରି କରି ଆଣିଲେ ବି ଦେଶର ଆର୍ଥିକ ମାନ୍ଦାବସ୍ଥା ଦୂର କରିପାରିବେ ନାହିଁ ବୋଲି ସେ କହିଛନ୍ତି। ରାହୁଲଙ୍କ ଏପରି ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି, କଂଗ୍ରେସ ଏହି ପ୍ରସଙ୍ଗରେ କିଛି କହିବା ଅନୁଚିତ। ରାହୁଲ ଯେତେବେଳେ ଚୋରି କିମ୍ବା ଚୋର ପ୍ରସଙ୍ଗ ଉଠାଉଛନ୍ତି, ସେତେବେଳେ ମୋ​‌ର କେବଳ ଗୋଟିଏ କଥା ମନେପଡ଼ୁଛି ଯେ, ସେ ଏତେ ଚୋର ଚୋର ଚିତ୍କାର କରିବା ପରେ ଲୋକେ ତାଙ୍କୁ ଉଚିତ ଶିକ୍ଷା ଦେଇସାରିଛନ୍ତି। ବିରୋଧୀଙ୍କ ଏପରି ଅଭିଯୋଗ ପ୍ରତି ସେ ଆଦୌ ସମ୍ବେଦଳଶୀଳ ନୁହନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଆରବିଆଇଠାରୁ ମିଳିଥିବା ଟଙ୍କା କେଉଁ ବାଟରେ ବ୍ୟବହାର କରାଯିବ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ନିର୍ମଳା ସୀତାରମଣ କହିଛନ୍ତି, ଉକ୍ତ ଟଙ୍କାର ବ୍ୟବହାର ବିଷୟରେ ସେ ବର୍ତ୍ତମାନ କୌଣସି ସୂଚନା ଦେଇପାରିବେ ନାହିଁ। ସରକାର ଏ ନେଇ ନିଷ୍ପତ୍ତି ନେବା ପରେ ସୂଚନା ଦିଆଯିବ।

Comments are closed.