ସମ୍ବଲପୁର : ସମ୍ବଲପୁରର ଇତିହାସ ଦୁଇ ହଜାର ବର୍ଷ ପୁରଣା । ୨ ଶହ ଶତାବ୍ଦୀରେ ଏହି ଅଂଚଲରେ ଉନ୍ନତ ସଭ୍ୟତା ରହିଥିବା ନେଇ ପରିବ୍ରାଜକ ମାନେ ଲେଖିଯାଇଛନ୍ତି । ଟଲେମି ୨ ଶହ ଶତାବ୍ଦୀରେ ସମ୍ବଲପୁର ସମ୍ବଲକ ନାମରେ ମହାନଦୀ କୁଲରେ ରହିଥିବା ବର୍ଣ୍ଣନା କରିଥିବା ବେଲେ ହ୍ବନେସାଂ ସମ୍ବଲ ଭାବେର ସମ୍ବଲପୁରକୁ ବର୍ଣ୍ଣନା କରିଛନ୍ତି । ବୌଦ୍ଧ ଧର୍ମ ଏବଂ ତନ୍ତ୍ର କ୍ଷେତ୍ର ଭାବରେ ସମ୍ବଲପୁରର ଇତିହାସରେ ବେଶ ଖ୍ୟାତି ରହିଥିଲା।
ଭାରତୀ ସମାଜ ପକ୍ଷରୁ ସମ୍ବଲପୁରର ଇତିହାସର ଅଧ୍ୟୟନ ପାଇଁ ବିଗତ କିଛି ବର୍ଷ ହେବ ଉଦ୍ୟମ କରାଯାଇ ଆସୁଛି । ଏହି କ୍ରମରେ ସମ୍ବଲପୁରରୁ ତିବ୍ବତ ଏବଂ ହିମାଚଳ ପ୍ରଦେଶର ବୌଦ୍ଧ ପୀଠ ଗୁଡିକ ସହ ସମ୍ପର୍କ ଯୋଡିବା ପାଇଁ ଗତ ଜୁଲାଇ ୨୫ ତାରିଖରୁ ଦୁଇଜଣିଆ ଟିମ ବାଇକରେ ଲଦ୍ଦାଖ ପର୍ଯ୍ୟନ୍ତ ଯାତ୍ରାକରି ଫେରିଛନ୍ତି । ଭାରତୀ ସମାଜ ପକ୍ଷରୁ ଭେଙ୍କଟ ରମଣ ଦୋରା ଏବଂ ରଜତ ବେହେରା ଏହି ଅଭିଯାନରେ ସାମିଲ ହୋଇଥିଲେ । ସେମାନେ ସମ୍ବଲପୁର ଫେରିବା ପରେ ଚେରୁଆ ପଡାଠାରେ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଲଦ୍ଦାଖ ଏବଂ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଥିବା ବୌଦ୍ଧ ପୀଠ ଗୁଡିକ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଉଦ୍ୟମ କରାଯାଇ ଥିଲା । ଲଦ୍ଦାଖ ଏବଂ ହିମାଳୟ ଅଞ୍ଚଳରେ ଗୁରୁ ପଦ୍ମସମ୍ଭବ ବୌଦ୍ଧ ଧର୍ମାବଲମ୍ବୀ ମାନେ ଦ୍ବିତୀୟ ବୁଦ୍ଧ ଏବଂ ଧର୍ମ ଗୁରୁ ଭାବରେ ମାନ୍ୟତା ଦେଉଥିବା ଉଭୟେ ମତ ଦେଇଥିଲେ ।
ସମ୍ବଲପୁର ଯାହା ପୁରାତନ ସମ୍ବଲକ ଏବଂ ସମ୍ବଲ ବୋଲି ପ୍ରମାଣିତ ତେବେ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମସ୍ଥାନ ଭାବରେ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ପାଖରେ ଅଧିକ ତଥ୍ୟ ପହଂଚି ପାରିନଥିବା ଉଭୟେ ଜାଣିବାକୁ ପାଇଥିଲେ । ବିଭିନ୍ନ ସ୍ଥାନରେ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ସହ ଆଲୋଚନା କରିବା ସମୟରେ ସେମାନେ ଗୁରୁ ପଦ୍ମସମ୍ଭବଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ ମଧ୍ୟ ତାଙ୍କର ଶୈଶବ ବିଷୟରେ ଅଧିକ ଜାଣିନାହାନ୍ତି । ସେ ନାଲନ୍ଦାରେ ପାଠ ପଢିବା ପରବର୍ତ୍ତୀ ଜୀବନ ଅଧିକ ଆଲୋଚିତ ହୋଇ ଆସୁଛି । ତେବେ ବାଇକ ଯାତ୍ରାରେ ମିଳିଥିବା ତଥ୍ୟକୁ ଆଧାର କରି ଭାରତୀ ସମାଜ ତରଫରୁ ପଦ୍ମସମ୍ଭବଙ୍କ ଜନ୍ମ ସ୍ଥାନ ସମ୍ବଲପୁର ବିଷୟରେ ଅଧିକ ତଥ୍ୟ ସଂଗ୍ରହ ଏବଂ ପ୍ରଚାର ପ୍ରସାର ପାଇଁ ଖୁବ ଶିଘ୍ର ଏକ ସେମିନାର କରାଯିବା ପାଇଁ ସମ୍ବର୍ଦ୍ଧନା ସଭାରେ ମତ ପ୍ରକାଶ ପାଇଥିଲା। ଏହା ସହ ତନ୍ତ୍ରଯାନର ମହାନ ସାଧିକା ଲକ୍ଷ୍ମୀକରାଙ୍କ ସହ ଲକ୍ଷ୍ମୀ ଡୁଂଗରୀର ସମ୍ପର୍କ ବିଷୟରେ ମଧ୍ୟ ସ୍ଥାନିୟ ଅଂଚଳରୁ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ କରିବାକୁ ବୈଠକରେ ସ୍ଥିର ହୋଇଥିଲା। ସମ୍ବଲପୁରର ଗୌରବମୟ ଇତିହାସର ପ୍ରତିକୃତି ଲକ୍ଷ୍ମୀ ଡୁଂଗରୀ ଠାରେ ନିର୍ମାଣ କରିବା ପାଇଁ ଭାରତୀ ସମାଜ ଲକ୍ଷ୍ୟ ରଖିଛି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଭାରତୀ ସମାଜ ର ସଂଚାଳକ ଭବାନୀଶ ଭୋଇ, ମହାସଚିବ ଦେବୀପ୍ରସାଦ ଭୋଇ ଏବଂ କୋଷାଧ୍ୟକ୍ଷ ସୁବୋଧ ଦୋରା, ସମ୍ବଲପୁର ସଂଯୋଜକ କାର୍ତ୍ତିକ ପ୍ରସାଦ ବହିଦାର, ଗବେଷକ କୁଳମଣି ପୁଟେଲ, ପଶ୍ଚିମାଞ୍ଚଳ ଏକତା ମଂଚର ଯୁବ ସଂଯୋଜକ ଦେବାଶିଷ ବେହେରା, ସାଂସ୍କୃତିକ ସଂଯୋଜକ ରାଜେଶ ସ୍ବାଇଁ, ସମ୍ବଲପୁର ଶାଖା ସଂଯୋଜକ ରାହୁଲ ଗୁପ୍ତା ପ୍ରମୁଖ ସାମିଲ ହୋଇଥିଲେ।



